ଆନ୍ତର୍ଜାତୀୟ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟରେ ପୁଣି ଐତିହାସିକ ହ୍ରାସ ଘଟିଛି। ଡଲାର ତୁଳନାରେ ଭାରତୀୟ ଟଙ୍କା ଏବେ ସବୁଠାରୁ ଦୁର୍ବଳ ସ୍ଥିତିରେ ପହଞ୍ଚିଛି, ଯାହା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଜି କାରବାର ଆରମ୍ଭରୁ ହିଁ ଟଙ୍କାର ମୂଲ୍ୟ ନିମ୍ନଗାମୀ ହୋଇଛି। ୧ ଡଲାରର ମୂଲ୍ୟ ଏବେ ୯୪ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଏହା ଭାରତୀୟ ମୁଦ୍ରା ଇତିହାସରେ ସବୁଠାରୁ ବଡ଼ ଅଧୋପତନ ବୋଲି କୁହାଯାଉଛି । ବିଶ୍ୱ ବଜାରରେ ଡଲାର ଶକ୍ତିଶାଳୀ ହେବା ଏବଂ ବିଦେଶୀ ପୁଞ୍ଜି ନିବେଶକଙ୍କ କ୍ରମାଗତ ଅନାଗ୍ରହ ଯୋଗୁଁ ଭାରତୀୟ ଟଙ୍କା ଉପରେ ଏହି ଚାପ ବଢ଼ିବାରେ ଲାଗିଛି। ତେବେ ଟଙ୍କା ଦୁର୍ବଳ ହେଲେ ଏହାର ପ୍ରଭାବ କିପରି ପଡ଼ିବ? ପ୍ରଥମତଃ, ବିଦେଶରୁ ଆମଦାନୀ ହେଉଥିବା ଜିନିଷ ମହଙ୍ଗା ହେବ। ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାର ସମ୍ଭାବନା ରହିଛି, କାରଣ ଭାରତ ବିଦେଶରୁ ଡଲାର ଦେଇ ଅଶୋଧିତ ତୈଳ କିଣିଥାଏ। ଖାଇବା ତେଲଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇପାରେ, ଯାହା ସିଧାସଳଖ ଦେଶର ଦରଦାମ ସ୍ଥିତିକୁ ବିଗାଡ଼ି ଦେବ। ଏହି ସ୍ଥିତିରେ ଆରବିଆଇ (RBI) କିଭଳି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର। ଯଦି ଟଙ୍କାର ମୂଲ୍ୟ ଏମିତି ହ୍ରାସ ପାଏ, ତେବେ ଆଗାମୀ ଦିନରେ ସାଧାରଣ ଲୋକଙ୍କ ପକେଟ୍ ଉପରେ ମହଙ୍ଗା ମାଡ଼ ହେବା ନିଶ୍ଚିତ
