କଳାହାଣ୍ଡି ଜୟପାଟଣାରେ ସଙ୍ଗୀନ ଅଭିଯୋଗ: ମହିଳାଙ୍କୁ ଲୁଟ୍‌ର ପ୍ରତିବାଦ କରିବାରୁ ଆଦିବାସୀ ଯୁବକଙ୍କୁ ଜାତିଆଣ ଆକ୍ଷେପ ଓ ମାଡ଼ 

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି କାହିଁକି ବଦଳୁନି ଜାତିଆଣ ମାନସିକତା? କାହିଁକି ଆଜି ବି ସମାଜରେ ଆଦିବାସୀ ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ସହିବାକୁ ପଡ଼ୁଛି ଅତ୍ୟାଚାର? ଏମିତି ଏକ ସଙ୍ଗୀନ ଆଉ ହଜମ ନହେବା ଭଳି ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାରୁ। ଜଣେ ଆଦିବାସୀ ଯୁବକଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କିନ୍ତୁ ଜାଣନ୍ତି, ଏହି ଯୁବକଙ୍କର ଦୋଷ କ’ଣ ଥିଲା? ସେ କୌଣସି ଅପରାଧ କରିନଥିଲେ, ବରଂ ସେ କରିଥିଲେ ଏମିତି ଏକ କାମ… ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ!

ଘଟଣାଟି ଘଟିଛି ଜୟପାଟଣା ଥାନା ଅଞ୍ଚଳରେ। ପୀଡ଼ିତ ଯୁବକ ଜଣକ ସରକାରୀ ‘ମୁଖ୍ୟମନ୍ତ୍ରୀ ବସ’ରେ କାର୍ଯ୍ୟ କରନ୍ତି। ବସରେ ଚାଲିଥିବା କିଛି ଅନିୟମିତତା ଏବଂ ବିଶେଷ କରି ମହିଳା ଯାତ୍ରୀଙ୍କଠାରୁ ଜବରଦସ୍ତି ଅର୍ଥ ଆଦାୟ କରାଯାଉଥିବା ସେ ଦେଖିବାକୁ ପାଇଥିଲେ। ଜଣେ ସଚ୍ଚୋଟ କର୍ମଚାରୀ ଭାବେ ସେ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମହିଳାଙ୍କ ସୁରକ୍ଷା ଓ ଅଧିକାର ପାଇଁ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ଅନ୍ୟାୟ ବିରୋଧରେ ମୁହଁ ଖୋଲିବା ଟା ହିଁ ତାଙ୍କ ପାଇଁ କାଳ ସାଜିଲା! ସତ କହିବାରୁ ତାଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଅପମାନିତ କରାଗଲା ଏବଂ ପଶୁ ଭଳି ମାଡ଼ ମରାଗଲା।

ଏହି ଅନ୍ୟାୟ ବିରୋଧରେ ପୀଡ଼ିତ ଯୁବକ ଜଣକ ଚୁପ୍ ବସିନାହାନ୍ତି। ଗତ ୭ ତାରିଖରେ ସେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ଜୟପାଟଣା ଥାନା ଆଇଆଇସି ଅର୍ଚ୍ଚନା ନାୟକଙ୍କ ନେତୃତ୍ୱରେ ପୋଲିସ ଏହି ସଙ୍ଗୀନ ମାମଲାର ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ- ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଏହି ଆଦିବାସୀ ଯୁବକଙ୍କୁ କେବେ ମିଳିବ ନ୍ୟାୟ? ପୋଲିସ ଦୋଷୀଙ୍କୁ ଗିରଫ କରି ଜେଲ୍ ପଠାଇବ ନା ମାମଲାଟି ଚାପି ହୋଇ ରହିଯିବ? ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *