\n\n\n\n\n\n\n

୧୨ ଘଣ୍ଟା ଠପ୍ କଳାହାଣ୍ଡି!

ଦଫା ଦାବି ନେଇ ଆଜି କଳାହାଣ୍ଡି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ। ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ସକାଳୁ ସକାଳୁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭବାନୀପାଟଣା ଓ ଧର୍ମଗଡ଼ ସମେତ ବିଭିନ୍ନ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତାରେ ବ୍ୟାରିକେଡିଂ କରିବା ସହ ଛକ ଛକରେ ପିକେଟିଂ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଆନ୍ଦୋଳନକାରୀମାନେ ଆହ୍ୱାନ ଦେଇଛନ୍ତି।

ତେବେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଔଷଧ ଦୋକାନ ଏବଂ ଅଗ୍ନିଶମ ସେବା ସ୍ୱାଭାବିକ ଭାବେ ଚାଲୁ ରହିଛି। ପରୀକ୍ଷାର୍ଥୀମାନଙ୍କ ଯାତାୟାତରେ ମଧ୍ୟ କୌଣସି ବାଧା ଦିଆଯିବ ନାହିଁ। ଅନ୍ୟପଟେ ବନ୍ଦ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।