ରାତାରାତି ଚାକିରିରୁ ବିଦା ହେଲେ ବିଡିଓ | ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉନ୍ନୟନ ଅଧିକାରୀ ବା ସିଧାସଳଖ କହିଲେ BDO ସଞ୍ଜୀବ କୁମାର ମହାପାତ୍ରଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରୁ ସସ୍ପେଣ୍ଡ କରାଯାଇଛି। ରାଜ୍ୟ ସରକାର ନେଇଛନ୍ତି ଏକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଗତ ସେପ୍ଟେମ୍ବର ୩୦ ତାରିଖରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବଡ଼ ନିର୍ଦ୍ଦେଶନାମା ଜାରି କରାଯାଇଛି।
କିନ୍ତୁ... ସବୁଠାରୁ ବଡ଼ ପ୍ରଶ୍ନ ହେଉଛି... କେଉଁ ଅଭିଯୋଗରେ ଫସିଲେ ବିଡିଓ ବାବୁ ? ଏମିତି କେଉଁ ସଙ୍ଗିନ ମାମଲା ରହିଛି, ଯାହା ପାଇଁ ସରକାର ତାଙ୍କୁ ସିଧାସଳଖ ନିଲମ୍ବନ ଆଦେଶ ଧରାଇଦେଲେ ? ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଶ୍ରୀଯୁକ୍ତ ମହାପାତ୍ରଙ୍କ ବିରୋଧରେ ଏକ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ବିଚାରଧୀନ ରହିଛି। ଆଉ ଏହାକୁ ଆଧାର କରି ଓଡ଼ିଶା ସିଭିଲ ସର୍ଭିସେସ ନିୟମାବଳୀ ୧୯୬୨ର ରୁଲ୍-୧୨ ଅନୁଯାୟୀ ରାଜ୍ୟପାଳ ତାଙ୍କୁ ତୁରନ୍ତ ପ୍ରଭାବରୁ ସସ୍ପେଣ୍ଡ କରିଛନ୍ତି।
କେବଳ ସେତିକି ନୁହେଁ, ବିଡିଓଙ୍କ ସେବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ମଧ୍ୟ ତୁରନ୍ତ ପ୍ରତ୍ୟାହାର କରି ନିଆଯାଇଛି। ତେବେ କେଉଁ କାରଣରୁ ଏତେ ବଡ଼ ଆକ୍ସନ୍ ନିଆଗଲା, ତାହା ବର୍ତ୍ତମାନ ସୁଦ୍ଧା ସସ୍ପେନ୍ସ ଘେରରେ। ଆଦେଶନାମାରେ ପ୍ରକୃତ କାରଣକୁ ସ୍ପଷ୍ଟ କରାଯାଇନାହିଁ। ତେଣୁ ଏବେ ଚାରିଆଡ଼େ ଚର୍ଚ୍ଚା... ଭିତିରି କଥା କ'ଣ ? କେଉଁ ଦୁର୍ନୀତି ନା କେଉଁ ବଡ଼ ଅନିୟମିତତା ପାଇଁ ଛନ୍ଦି ହେଲେ ସଞ୍ଜୀବ ମହାପାତ୍ର ? ତେବେ ଦେଖିବାକୁ ବାକି ରହିଲା, ତଦନ୍ତରେ ଆଉ କେଉଁ ସବୁ ଗୁମର ଖୋଲୁଛି।
