ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳର ଐତିହାସିକ ବିଜୟ! ଦୀର୍ଘ ୪୪ ବର୍ଷର ଲମ୍ବା ଅପେକ୍ଷା ପରେ ଦେଶକୁ ପୁଣି ମିଳିଛି ସ୍ୱର୍ଣ୍ଣିମ ସଫଳତା। ଫାଇନାଲ୍ ମୁକାବିଲାରେ କଡ଼ା ପ୍ରତିଦ୍ୱନ୍ଦ୍ୱୀ ଚୀନ୍କୁ ୧-୦ ଗୋଲ୍ରେ ମାତ୍ ଦେଇ ଇତିହାସ ରଚିଛି ଟିମ୍ ଇଣ୍ଡିଆ।
ମ୍ୟାଚ୍ର ଆରମ୍ଭରୁ ହିଁ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର। ଭାରତ ଗୋଟିଏ ଗୋଲ୍ରେ ଆଗୁଆ ଥିବା ବେଳେ, ଶେଷ କ୍ୱାର୍ଟରରେ ମାରୋ କିମ୍ବା ମରୋ ସ୍ଥିତିରେ ଥିଲା ଚୀନ୍। ନିଜ ଗୋଲ୍କିପରଙ୍କୁ ପଡ଼ିଆରୁ ବାହାର କରି ଲଗାତାର ଆକ୍ରମଣ କରିଥିଲା। ହେଲେ ଭାରତୀୟ ଖେଳାଳିଙ୍କ ଅଭେଦ୍ୟ ପ୍ରାଚୀର ଆଗରେ ହାର୍ ମାନିଥିଲା ଡ୍ରାଗନ୍। ଖାସ୍ କରି ଶେଷ ମୁହୂର୍ତ୍ତରେ ଅଧିନାୟିକା ସବିତା ପୁନିଆଙ୍କ ସେହି ମୂଲ୍ୟବାନ 'ସେଭ୍' ଭାରତର ସୁନା ପଦକକୁ ପକ୍କା କରିଦେଇଥିଲା।
ସବୁଠୁ ଗର୍ବର କଥା, ଏହି ଐତିହାସିକ ବିଜୟୀ ଦଳରେ ସାମିଲ ଅଛନ୍ତି ଏକମାତ୍ର ଓଡ଼ିଆ ଝିଅ ସୁନେଲିତା ଟପ୍ପୋ; ଯାହା ସମଗ୍ର ଓଡ଼ିଶା ପାଇଁ ଦ୍ୱିଗୁଣିତ ଖୁସି ଆଣିଦେଇଛି।
ଖାଲି ସ୍ୱର୍ଣ୍ଣ ପଦକ ନୁହେଁ, ଏହି ମହାବିଜୟ ସହ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ସିଧାସଳଖ ଟିକେଟ୍ ହାତେଇଛି ଭାରତ। ଏହି ସଫଳତା ଏବେ ପୂରା ଦେଶରେ ଖେଳାଇ ଦେଇଛି ଉତ୍ସବର ମାହୋଲ।
