\n\n\n\n\n\n\n\n\n\n\n\n
← Back to Home
ଆଜି ଓଡ଼ିଶା ବନ୍ଦ!
LIVE

ଆଜି ଓଡ଼ିଶା ବନ୍ଦ!

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । କଂଗ୍ରେସ ନେତୃତ୍ୱାଧୀନ 'ଇଣ୍ଡିଆ' ବ୍ଲକ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ଯୋଗୁଁ ସାରା ରାଜ୍ୟରେ ଆଜି ଜନଜୀବନ ପ୍ରଭାବିତ ହେଉଛି । ପ୍ରମୁଖ ୩ଟି ଦାବିକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ବିବାଦୀୟ MMDR ବିଲ୍ ପ୍ରତ୍ୟାହାର ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । କେବଳ କଂଗ୍ରେସ ନୁହେଁ, ବାମ ଦଳ ସମେତ ସିପିଆଇ, ସିପିଆଇ (ଏମ୍), ଆରଜେଡି ଓ ଜେଏମଏମ୍ ଭଳି ଅନେକ ବିରୋଧୀ ଦଳ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ଏହି ବନ୍ଦର ସବୁଠାରୁ ବଡ଼ ପ୍ରଭାବ ପଡିଛି ଗମନାଗମନ ଉପରେ । ଟ୍ରକ୍, ବସ୍ ସାଙ୍ଗକୁ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ତେବେ ରାଜ୍ୟରେ ୧ ଲକ୍ଷରୁ ଅଧିକ ଅଟୋ ଆଜି ଚାଲିବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛି ନିଖିଳ ଓଡ଼ିଶା ଅଟୋ ଟାକ୍ସି ଚାଳକ ମହାସଂଘ । କେବଳ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୨୦ ହଜାର ଅଟୋର ଚକା ଜାମ୍ ରହିବ । ବନ୍ଦ ବେଳେ ଗାଡ଼ି ଭଙ୍ଗାରୁଜା ହେଲେ ବୀମା କମ୍ପାନୀ କ୍ଷତିପୂରଣ ଦେଉନଥିବାରୁ, କୌଣସି ଅଟୋ ଚାଳକ କ୍ଷତି ସହିବାକୁ ପ୍ରସ୍ତୁତ ନାହାନ୍ତି । ସେହିପରି ଦୋକାନ, ବଜାର, ପେଟ୍ରୋଲ ପମ୍ପ୍ ଓ ଅଫିସ୍ ଉପରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ତେବେ ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିର କଥା ହେଉଛି, ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି । ହସ୍ପିଟାଲ୍, ଆମ୍ବୁଲାନ୍ସ, ଦମକଳ ଏବଂ ଔଷଧ ଦୋକାନ ସ୍ୱାଭାବିକ ଭାବେ ଖୋଲା ରହିବ । ବନ୍ଦ ପାଳନ ବେଳେ ଲୋକଙ୍କ ସହ ଭଦ୍ର ବ୍ୟବହାର କରିବା ସହ ଜରୁରୀ କାମରେ ଯାଉଥିବା ଲୋକଙ୍କୁ ସହଯୋଗ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ODISHAStarted 08/10/2026, 11:16 AMLast updated 1 week ago
12:56 PM08/10/2026

ଓଡ଼ିଶା ବନ୍ଦର ସବୁଠାରୁ ବଡ଼ ପ୍ରଭାବ ଏବେ ପରୀକ୍ଷାର୍ଥୀଙ୍କ ଉପରେ ପଡ଼ିଛି। ବନ୍ଦ ଯୋଗୁଁ ଅଧା ରାସ୍ତାରେ ଫସିଛନ୍ତି RRB ଟେକ୍ନିସିଆନ୍ ପରୀକ୍ଷା ଦେବାକୁ ଆସିଥିବା ଛାତ୍ର।

ଝାଡ଼ଖଣ୍ଡରୁ ଆସିଥିବା ଏହି ପରୀକ୍ଷାର୍ଥୀ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାସ୍ତାରେ ଗାଡ଼ିମୋଟର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଯାତାୟାତ ପାଇଁ ଗୋଟିଏ ବି ଅଟୋ କିମ୍ବା ବସ ମିଳୁନାହିଁ। ପରୀକ୍ଷା ଦେବାକୁ କେନ୍ଦ୍ରକୁ କେମିତି ଯିବେ, ସେନେଇ ଘୋର ଚିନ୍ତାରେ ପଡ଼ିଛନ୍ତି।

ଏପରି ଅସହାୟ ସ୍ଥିତିରେ ପରୀକ୍ଷାର୍ଥୀ ପୋଲିସ ପାଖରେ ଗୁହାରି କରିଥିଲେ। ହେଲେ ପୋଲିସ ପ୍ରଶାସନ ସାହାଯ୍ୟ କରିବା ବଦଳରେ "ଗାଡ଼ି ରିଜର୍ଭ କରି ପଳାନ୍ତୁ" ବୋଲି ସଫା ସଫା କହିଦେଇଛି। ଅନ୍ୟପଟେ ସୁଯୋଗର ଫାଇଦା ଉଠାଇ ଅଟୋ ଚାଳକମାନେ ରିଜର୍ଭ ପାଇଁ ୮୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମନଇଚ୍ଛା ଲୁଟ୍ କରୁଛନ୍ତି।

ଏତେ ଟଙ୍କା ଦେଇ ଗରିବ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଆଉ ସେମାନଙ୍କ ଭବିଷ୍ୟତ କ'ଣ ହେବ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Updated by Verifier Table
12:45 PM08/10/2026

୪ ଦଫା ଦାବି ନେଇ ଆଜି କଳାହାଣ୍ଡି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ। ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ସକାଳୁ ସକାଳୁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭବାନୀପାଟଣା ଓ ଧର୍ମଗଡ଼ ସମେତ ବିଭିନ୍ନ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତାରେ ବ୍ୟାରିକେଡିଂ କରିବା ସହ ଛକ ଛକରେ ପିକେଟିଂ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଆନ୍ଦୋଳନକାରୀମାନେ ଆହ୍ୱାନ ଦେଇଛନ୍ତି।

ତେବେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଔଷଧ ଦୋକାନ ଏବଂ ଅଗ୍ନିଶମ ସେବା ସ୍ୱାଭାବିକ ଭାବେ ଚାଲୁ ରହିଛି। ପରୀକ୍ଷାର୍ଥୀମାନଙ୍କ ଯାତାୟାତରେ ମଧ୍ୟ କୌଣସି ବାଧା ଦିଆଯିବ ନାହିଁ। ଅନ୍ୟପଟେ ବନ୍ଦ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Updated by Verifier Table
11:46 AM08/10/2026

ଓଡ଼ିଶା ବନ୍ଦ ବେଳେ ଭଦ୍ରକରେ ଦେଖିବାକୁ ମିଳିଛି ଖଣ୍ଡଯୁଦ୍ଧ ! ପୋଲିସ ଏବଂ ଆନ୍ଦୋଳନକାରୀ ହୋଇଛନ୍ତି ମୁହାଁମୁହିଁ । ବନ୍ଦ ପାଳନ ସମୟରେ ଭଦ୍ରକ ରେଲୱେ ଷ୍ଟେସନ ପରିସରରେ ଦେଖାଦେଇଛି ପ୍ରବଳ ଉତ୍ତେଜନା, ଯାହାକୁ ନେଇ ସ୍ଥିତି କିଛି ସମୟ ପାଇଁ ଅଣାୟତ୍ତ ହୋଇପଡିଥିଲା ।

ଆଜି ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ବ୍ୟାପକ ପ୍ରଭାବ ଭଦ୍ରକରେ ଦେଖିବାକୁ ମିଳିଛି । ଇଣ୍ଡିଆ ମେଣ୍ଟର ଶତାଧିକ କର୍ମକର୍ତ୍ତା ଏକାଠି ହୋଇ ଭଦ୍ରକ ରେଲୱେ ଷ୍ଟେସନକୁ ଜବରଦସ୍ତ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଟ୍ରେନ୍ ଅଟକାଇବା ଉଦ୍ଦେଶ୍ୟରେ ଆନ୍ଦୋଳନକାରୀମାନେ ଷ୍ଟେସନ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ, ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲା । ଆଉ ଏହାପରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବ୍ୟାପକ ଧସ୍ତାଧସ୍ତି ।

କେବଳ ରେଳ ଷ୍ଟେସନ ନୁହେଁ, ଭଦ୍ରକ ସହରର ବିଭିନ୍ନ ଛକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆନ୍ଦୋଳନକାରୀମାନେ ବିଶାଳ ବାଇକ୍ ଶୋଭାଯାତ୍ରା କରିଛନ୍ତି । ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ତେବେ ଷ୍ଟେସନରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

Updated by Verifier Table