ମୃତ୍ୟୁ ସହ ଖେଳ, ଯାତ୍ରା ପେଣ୍ଡାଲରେ ଭୟଙ୍କର ନିଆଁ !

ଆଖି ପିଛୁଳାକେ ଚାଲିଯାଇଥାନ୍ତା ଅନେକ ନିରୀହ ଜୀବନ। ଖୁସିର ମାହୋଲ କ୍ଷଣିକରେ ପାଲଟି ଯାଇଥାନ୍ତା ଶ୍ମଶାନ। ବ୍ରହ୍ମପୁର ସହର ଉପକଣ୍ଠରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ଅବହେଳା, ଯେଉଁଠି ନିଜ ଜୀବନ ସହ ଖେଳୁଥିଲେ ଉଭୟ କଳାକାର ଓ ଦର୍ଶକ।

ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ପଞ୍ଚାୟତରେ। ରାମେଶ୍ୱର ମହାଦେବ ଓ ବୀର ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ହୋଇଥିଲା ରାମାୟଣ ନାଟକ। ହେଲେ ରାତିରେ ମଞ୍ଚ ଉପରେ କଳାକାରମାନେ ହାତରେ ବାଣ ଧରି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଥିବା ବେଳେ ଘଟିଲା ଅଘଟଣ। ବାଣରୁ ନିଆଁ ଝୁଲ ଖସି ସିଧା ମଞ୍ଚ ତଳେ ପଡ଼ିଯାଇଥିଲା। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ମଞ୍ଚ ତଳେ ଆଗରୁ ଗଚ୍ଛିତ ଥିଲା ବିପୁଳ ପରିମାଣର ବାଣ ସହ ଗ୍ୟାସ ଟାଙ୍କି! ଦେଖୁ ଦେଖୁ ନିଆଁ ଧରିନେଲା ଆଉ ଗୋଟିଏ ପରେ ଗୋଟିଏ ବାଣ ଫୁଟିବାକୁ ଲାଗିଲା।

ଚାରିଆଡ଼େ ଖେଳିଗଲା କୋକୁଆ ଭୟ। ସ୍ଥାନୀୟ ଲୋକ ଓ ମନ୍ଦିର କମିଟିର ଉପସ୍ଥିତ ବୁଦ୍ଧି ଯୋଗୁଁ ନିଆଁକୁ ବହୁ କଷ୍ଟରେ ଆୟତ୍ତ କରାଗଲା ସତ, ହେଲେ ଏଠି ଉଠୁଛି ପ୍ରଶାସନର ପାରିବାପଣିଆ ଉପରେ ସବୁଠୁ ବଡ଼ ପ୍ରଶ୍ନ। ବ୍ରହ୍ମପୁର ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଏତେ ବଡ଼ ଆୟୋଜନ ହେଉଥିବା ବେଳେ, ଅଗ୍ନିଶମ ଗାଡ଼ି କେଉଁଠି ଥିଲା? ଅନୁମତି ମାଗିବା ବେଳେ କଣ କମିଟିକୁ ନିରାପତ୍ତା ନିୟମ କାନୁନ ବୁଝାଯାଇନଥିଲା?

ଯଦି ଆଜି ସେହି ଗ୍ୟାସ ଟାଙ୍କି ଫାଟି ଯାଇଥାନ୍ତା ଆଉ କାହାର ମୂଲ୍ୟବାନ ଜୀବନ ଯାଇଥାନ୍ତା, ତେବେ ଏଥିପାଇଁ ଦାୟୀ କିଏ ହୋଇଥାନ୍ତା? ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ନା ଖାମଖିଆଲି କମିଟି ସଦସ୍ୟ? ଏଭଳି ଚରମ ଅବହେଳାର ଜବାବ କିଏ ଦେବ?

Leave a Reply

Your email address will not be published. Required fields are marked *