ହଠାତ୍ IAS ସ୍ତରରେ ବଡ଼ ଅଦଳବଦଳ !
ସିଧା CM ଅଫିସକୁ ଗଲେ ଏହି IAS ଅଫିସର !
କ୍ଷମତା ଅଳିନ୍ଦରେ ଆଇଏଏସ୍ ଅଦଳବଦଳ ସସ୍ପେନ୍ସ
କାହାକୁ ମିଳିଲା କେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ?
ରାଜ୍ୟ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ! ସଚିବାଳୟରୁ ନେଇ ଜିଲ୍ଲା ସ୍ତର ଯାଏଁ, ଗୋଟିଏ ନିର୍ଦ୍ଦେଶନାମାରେ ବଦଳିଗଲା ଅନେକ ସମୀକରଣ। ହଠାତ୍ କାହିଁକି ଏହି ବଡ଼ ପରିବର୍ତ୍ତନ ? କାହାକୁ ମିଳିଲା ପ୍ରମୋସନ୍ ଆଉ କିଏ ଗଲେ ନୂଆ ଜିଲ୍ଲା ?
ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ସବୁଠାରୁ ବଡ଼ ଖବର ହେଉଛି ନବରଙ୍ଗପୁର ଏବଂ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳାଇ ଦିଆଯାଇଛି। ନବରଙ୍ଗପୁରର ଜିଲ୍ଲାପାଳ ଥିବା ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଉପରେ ସରକାର ବଡ଼ ଭରସା କରି ତାଙ୍କୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଗୁରୁଦାୟିତ୍ୱ ମିଳିଛି। ସେହିପରି ତାଙ୍କ ସ୍ଥାନରେ ନବରଙ୍ଗପୁରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ଆଇଏଏସ୍ ଅଫିସର ଆନ୍ୟା ଦାସ।
ସେପଟେ ନୂଆପଡ଼ାରେ ମଧ୍ୟ ଆସିଛନ୍ତି ନୂଆ ବସ୍। ପୂର୍ବତନ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଆଉ ତାଙ୍କ ସ୍ଥାନରେ ନୂଆପଡ଼ାର କମାଣ ଧରିବେ ଆଇଏଏସ୍ ମଧୁମିତା। ଅନ୍ୟପକ୍ଷରେ ଆଇଏଏସ୍ ପ୍ରଦୀପ କୁମାର ନାୟକଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ମିଳିଛି, ସେ ହୋଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ନୂଆ ଅତିରିକ୍ତ ସଚିବ।
ଏହି ତାଲିକାରେ ମୋଟ ୭ ଜଣ ଅଫିସରଙ୍କ ନାଁ ରହିଛି। କେବଳ ସଚିବ କି ଜିଲ୍ଲାପାଳ ନୁହେଁ, ଭବାନୀପାଟଣା ଉପଜିଲ୍ଲାପାଳ ସ୍ତରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେବେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ଏବଂ କ୍ରିୟାଶୀଳ କରିବା ପାଇଁ ସରକାରଙ୍କ ଏହି ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ଆଗକୁ ଆହୁରି ଅନେକ ବିଭାଗରେ ପରିବର୍ତ୍ତନର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି |
