ବିଜେପିରେ ବଡ଼ ହଲଚଲ; ବିଜେଡି ଛାଡି ପଦ୍ମ ଧରିବେ ‘ମଣ୍ଡଳ ଦମ୍ପତ୍ତି’ !

ଶଙ୍ଖ ଶିବିରରେ ‘ସସପେଣ୍ଡ’ ସୁନାମି

ପଦ୍ମ ପୋଖରୀରେ ମିଶ୍ରଣ ପର୍ବ !

ବିଜେଡି କହୁଛି ‘ଅଳିଆ ସଫା ହେଉଛି’, ବିଜେପି ଭାବୁଛି ‘ଦଳ ବଢୁଛି’

ହେଲେ ଆଗକୁ କାହାର ବଢିବ ଅଡୁଆ ?

କ୍ଷମତା ଖେଳରେ ନୂଆ ସମୀକରଣ…

ରାଜ୍ୟ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏ ପଟେ ବିଜେଡିରେ ଚାଲିଛି ‘ସସପେଣ୍ଡ’ ପର୍ବ ତ ଅନ୍ୟପଟେ ସରକାରରେ ଥିବା ବିଜେପି କ୍ୟାମ୍ପକୁ ଲମ୍ବିଛି ନେତାଙ୍କ ଲାଇନ୍। ଦଳ ବିରୋଧୀ କାର୍ଯ୍ୟର ଆଳ ଦେଖାଇ ଶଙ୍ଖ ଶିବିର ଗୋଟିଏ ପରେ ଗୋଟିଏ ୱିକେଟ୍ ପକାଉଥିବା ବେଳେ, ଖାଲି ହେଉଥିବା ବିଜେଡିରୁ ତୁଙ୍ଗ ନେତାଏ ଏବେ ପଦ୍ମ ଧରିବାକୁ ବ୍ୟାକୁଳ। ହେଲେ ଏହି ଦଳଡିଆଁ ରାଜନୀତିରେ ପ୍ରକୃତରେ କାହାର ଲାଭ ଆଉ କାହାର କ୍ଷତି ହେଉଛି? ଆସନ୍ତୁ ଜାଣିବା

ବିଜେଡିରେ ଲମ୍ବି ଚାଲିଛି ନିଲମ୍ବନ ତାଲିକା। ଛାତ୍ର, ଯୁବଠାରୁ ଆରମ୍ଭ କରି ବରିଷ୍ଠ ନେତା, ବିଧାୟକ ଓ ସାଂସଦ… କାହାକୁ ବି ଛାଡୁନି ବିଜେଡି। ସଦ୍ୟତମ ଘଟଣାକ୍ରମରେ ଭଦ୍ରକ ରାଜନୀତିରେ ପ୍ରଭାବଶାଳୀ ଥିବା ମଣ୍ଡଳ ଦମ୍ପତ୍ତି ଅର୍ଥାତ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦୁଇ ଦିନ ତଳୁ ଦଳରୁ ବିଦା କରାଯାଇଛି। ଚର୍ଚ୍ଚା ହେଉଛି, ଏହି ଦମ୍ପତ୍ତି ଖୁବ୍ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି। ତେବେ କ୍ରମାଗତ ସସପେଣ୍ଡ ପର୍ବ ଯୋଗୁଁ ଦଳ ଦୁର୍ବଳ ହେବାର ଆଶଙ୍କା ରହିଥିବା ବେଳେ, ବିଜେଡି କିନ୍ତୁ ନିଜ ଆଭିମୁଖ୍ୟରେ ଅଟଳ ରହିଛି। ଦଳର ସିଧାସଳଖ ଯୁକ୍ତି ହେଲା, “ଯିଏ ଗଲେ ବି କିଛି ଫରକ ପଡିବନି, ବରଂ ଅଳିଆ ସଫା ହେଲେ ଦଳ ଆହୁରି ମଜଭୁତ ହେବ।”

ଅନ୍ୟପଟେ ବିଜେଡି ଯେତିକି ଛିଣ୍ଡୁଛି, ବିଜେପି ସେତିକି ବଢୁଛି। ହେଲେ ଆଗାମୀ ଦିନରେ ଏହି ବର୍ଦ୍ଧିତ କଳେବର ବିଜେପି ପାଇଁ ଘାତକ ସାବ୍ୟସ୍ତ ହେବ ନାହିଁ ତ? ରାଜନୈତିକ ସମୀକ୍ଷକଙ୍କ ମତରେ, ଯେତେବେଳେ ଅନ୍ୟ ଦଳରୁ ନେତାମାନେ ଆସନ୍ତି, ସେମାନେ କୌଣସି ପଦବୀ କିମ୍ବା ସ୍ୱାର୍ଥ ପାଇଁ ‘ଡିଲ୍’ କରି ଆସିଥାନ୍ତି। ଯଦି ଆମଦାନୀ ନେତାଙ୍କୁ ପଦପଦବୀ ମିଳେ, ତେବେ ଦିନରାତି ଏକ କରି ବିଜେପିକୁ କ୍ଷମତାକୁ ଆଣିଥିବା ପୁରୁଣା ଏବଂ ନିଷ୍ଠାପର କର୍ମୀଙ୍କ ଭିତରେ ଅସନ୍ତୋଷ ବଢିବା ସୁନିଶ୍ଚିତ। ଯଦିଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି ଯେ “ଆମ ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି,” ତଥାପି ନୂଆ ଏବଂ ପୁରୁଣା ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦଳ ପାଇଁ ଏକ ବଡ଼ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

ରାଜନୀତିରେ କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନଥାନ୍ତି, କେବଳ କ୍ଷମତା ହିଁ ସର୍ବଶ୍ରେଷ୍ଠ। ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇବ, ରାଜ୍ୟ ରାଜନୀତିରେ ଏ ଦଳଡିଆଁ ଏବଂ ସସପେଣ୍ଡ ପର୍ବ ସେତିକି ଜୋର ଧରିବ। ଏବେ କେବଳ ଦେଖିବାର ବାକି ରହିଲା, ଏହି ସଙ୍କଟ ସମୟରେ ବିଜେଡି କେତେ ନେତାଙ୍କୁ ନିଜ ସାଥୀରେ ରଖିପାରୁଛି, ଆଉ ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ସମ୍ଭାଳି ବିଜେପି କେମିତି କରୁଛି ନିଜର ବିଶାଳ ସଙ୍ଗଠନର ପରିଚାଳନା!

Leave a Reply

Your email address will not be published. Required fields are marked *