ହଜାରେ କୋଟିର ‘ଟେଣ୍ଡର ଟେରର୍’, ଫସିବେ କି ମନ୍ତ୍ରୀ ?
କଳାତାଲିକାଭୁକ୍ତ କମ୍ପାନୀ ଉପରେ ସରକାରଙ୍କ ଦରଦ କାହିଁକି?
ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବାସଭବନ ଘେରାଉ!
ସୁଭଦ୍ରା ଆପ୍ ତିଆରି ପଛରେ ଚିଟଫଣ୍ଡ୍ ଠକଙ୍କ ହାତ!
ଭାବନ୍ତୁ ତ… ଯେଉଁ ଟାକ୍ସ ଟଙ୍କାରେ ରାଜ୍ୟର ବିକାଶ ହେବା କଥା… ଯେଉଁ ଅର୍ଥରେ ସ୍କୁଲ୍ ପିଲାଙ୍କ ଭବିଷ୍ୟତ ଗଢ଼ାହେବା କଥା… ସେଇ ହଜାରେ କୋଟି ଟଙ୍କା ଯଦି ରାତାରାତି କଳାତାଲିକାଭୁକ୍ତ କମ୍ପାନୀଙ୍କ ପକେଟକୁ ଚାଲିଯାଏ? ଆଉ ଏହି ଖେଳର ପଛରେ ଯଦି ଥାଏ ଖୋଦ୍ ସରକାରଙ୍କ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଆଶୀର୍ବାଦ! ଆଜ୍ଞା ହଁ, ପରଦା ପଛର ଏହି କଳା କାରନାମା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସାମ୍ନାକୁ ଆସିଛି OCAC ବା ଓକାକ୍ ମାଧ୍ୟମରେ ହୋଇଥିବା ୧୦୦୦ କୋଟି ଟଙ୍କାର ମେଗା ଟେଣ୍ଡର ଦୁର୍ନୀତିର ଗନ୍ଧ। ଆଉ ଏବେ ଅଭିଯୋଗର ତୀର ସିଧାସଳଖ ରାଜ୍ୟର ଆଇଟି ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଆଡ଼କୁ!
ଓଡ଼ିଶାରେ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ସରକାରଙ୍କ ଆଢୁଆଳରେ ଚାଲିଛି କି ବଡ଼ ଧରଣର ସେଟିଂ? ଯୁବ କଂଗ୍ରେସର ଏହି ସାଂଘାତିକ ଅଭିଯୋଗ ଆଜି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ଓକାକ୍ ମାଧ୍ୟମରେ ହୋଇଥିବା ହଜାରେ କୋଟିର ଟେଣ୍ଡର ପ୍ରକ୍ରିୟାରେ କଳାତାଲିକାଭୁକ୍ତ ବା Blacklisted ସଂସ୍ଥାଗୁଡ଼ିକୁ ଅହେତୁକ ଅନୁକମ୍ପା ଦେଖାଯାଇଛି। ଏହି ଦୁର୍ନୀତିରେ ଆଇଟି ବିଭାଗର ମୁଖ୍ୟ ଭାବରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସଚିବ ବିଶାଳ ଦେବଙ୍କ ସିଧାସଳଖ ଭୂମିକା ଥିବା ଦର୍ଶାଇ, ଯୁବ କଂଗ୍ରେସ ପକ୍ଷରୁ ସେମାନଙ୍କ ବାସଭବନ ଘେରାଉ କରାଯାଇଛି।
ଦୁର୍ନୀତିର ଚେର କେତେ ଲମ୍ବିଛି ଶୁଣନ୍ତୁ… ଓଡ଼ିଶାର ୫୩୭୦ ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସ୍ ପାଇଁ ପ୍ରାୟ ୧୦୦୦ କୋଟିର ଟେଣ୍ଡର ପାଇଛି ‘ସିଲିକନ୍ ଇମେଜ୍ ପ୍ରାଇଭେଟ୍ ଲିମିଟେଡ୍’। ଯାହା ନାଁରେ ଜାଲିଆତି, ଆର୍ଥିକ ଅପରାଧ ଏବଂ ହାଇଦ୍ରାବାଦରେ ଠକେଇ ମାମଲା ରହିଛି। ସେହିପରି ଦିଲ୍ଲୀ ହାଇକୋର୍ଟରେ ବିନା ଅନୁମତିରେ କାମ କରିବା ମାମଲା ଥାଇ ମଧ୍ୟ ‘ଆଇଏଲଏନପି’ ନାମକ ସଂସ୍ଥାକୁ ୭୦ କୋଟିର କାମ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ଲାକ୍ ଲିଷ୍ଟେଡ୍ ହୋଇଥିବା ‘ପ୍ରିଣ୍ଟଲିଙ୍କ୍’ ମଧ୍ୟ ନିଜ ନାମ ବଦଳାଇ ‘ଓମିନିଲିଙ୍କ୍’ ନାମରେ ପୁଣି ୨୦ କୋଟିର କାମ ହାତେଇ ନେଇଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଯୋଜନା ‘ସୁଭଦ୍ରା ଯୋଜନା’ ପାଇଁ ଯେଉଁ ୱେବସାଇଟ୍ ଓ ଆପ୍ ତିଆରି ହୋଇଛି, ତାହାର ଦାୟିତ୍ୱ ମିଳିଛି ‘ଇନ୍ଫ୍ରାସଫ୍ଟ ସିଷ୍ଟମସ୍’ କୁ। ଯେଉଁଥିପାଇଁ ଏହି ଆପ୍ ବାରମ୍ବାର କ୍ରାସ୍ କରୁଛି। କାରଣ ଏହି କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ଜଣେ ଚିଟଫଣ୍ଡ ଅଭିଯୁକ୍ତ, ଯିଏ ଏବେ ବେଲ୍ରେ ଅଛନ୍ତି ଏବଂ ତାଙ୍କ ନାଁରେ ଓଡ଼ିଶା ସରକାରଙ୍କର ଖୋଦ୍ କେସ୍ ଚାଲିଛି।
ଜଣେ ଚିଟଫଣ୍ଡ ମାଫିଆ ଏବଂ କଳାତାଲିକାଭୁକ୍ତ କମ୍ପାନୀମାନଙ୍କୁ ସରକାରଙ୍କର ଏତେ ପ୍ରେମ କାହିଁକି ବୋଲି ପ୍ରଶ୍ନ ଉଠିଛି। ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସଚିବଙ୍କ ବିନା ଇସାରାରେ କଣ ଏତେ ବଡ଼ ଖେଳ ସମ୍ଭବ ହୋଇପାରିଲା? ଯଦି ଏହି ହରିଲୁଟ୍ ଟେଣ୍ଡର ଗୁଡ଼ିକୁ ତୁରନ୍ତ ବାତିଲ କରା ନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି। ସ୍ୱଚ୍ଛତାର ନାରା ଦେଉଥିବା ସରକାର ଏବେ ମନ୍ତ୍ରୀଙ୍କ ବିରୋଧରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।
ବ୍ୟୁରୋ ରିପୋର୍ଟ ବି ଟିଭି
