\n\n\n\n\n\n\n

ଓଡ଼ିଶାର ମହାଦୁର୍ନୀତି ! ଫସିଲେ ସରକାରୀ ବାବୁ !୨୭ ବିଭାଗରୁ ୪୮ ହଜାର କୋଟି ଲୁଟ୍

ମହାଦୁର୍ନୀତିର ମହାଖୁଲାସା: କୁଆଡେ ଗଲା ୪୮,୪୪୮ କୋଟି ଟଙ୍କା?

୨୭ ବିଭାଗରେ ହରିଲୁଟ୍; ଦୀର୍ଘ ୨୦ ବର୍ଷ ହେଲା ଶୋଇଥିଲା କି ଅର୍ଥ ବିଭାଗ?

ଗାଏବ ୮୨୧୪ ଅଡିଟ୍ ରିପୋର୍ଟ; ଟାର୍ଗେଟରେ ସରକାରୀ ବାବୁ!

ବଜେଟର ୧୬% ଟଙ୍କା ହଡ଼ପ, କିଏ ଦେବ ହିସାବ?

ଥରେ ଚିନ୍ତା କରନ୍ତୁ ଗୋଟିଏ କି ଦୁଇଟି ନୁହେଁ, ବରଂ ରାଜ୍ୟ ସରକାରଙ୍କ ୨୭ଟି ବିଭାଗ… ଆଉ ଗାଏବ ହୋଇଯାଇଛି ପୂରା ୪୮ ହଜାର ୪୪୮ କୋଟି ଟଙ୍କା! ହଁ ଦର୍ଶକବନ୍ଧୁ, ଓଡ଼ିଶା ଇତିହାସର ଏକ ବଡ଼ ଆର୍ଥିକ କେଳେଙ୍କାରୀର ପର୍ଦ୍ଦାଫାଶ ହୋଇଛି। ଆଉ ଏହି ଗୁମର ଫିଟିବା ପରେ ପୂରା ପ୍ରଶାସନିକ କଳରେ ଖେଳିଯାଇଛି ଭୂକମ୍ପ।

ଗତ ୧୦ ରୁ ୨୦ ବର୍ଷ ଧରି ଗୁପ୍ତରେ ଚାଲିଥିଲା ଏହି ମହା ହରିଲୁଟ୍। ଆଇନ ଓ ସଂସଦୀୟ ବ୍ୟାପାର ବିଭାଗକୁ ଛାଡିଦେଲେ, ଅନ୍ୟ ସବୁଠି ଚାଲିଥିଲା ଟଙ୍କା ବାଟମାରଣା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୮ ହଜାର ୨୧୪ଟି ଅଡିଟ୍ ରିପୋର୍ଟ ଏବଂ ୭୭ ହଜାରରୁ ଅଧିକ ଅଡିଟ୍ ପାରା ଏବେ ବି ବକେୟା ପଡିଛି। ରାଜ୍ୟର ମୋଟ ବଜେଟର ପ୍ରାୟ ୧୬ ପ୍ରତିଶତ ଟଙ୍କା ଦୁରୁପଯୋଗ ହୋଇଗଲା, ଅଥଚ ଅର୍ଥ ବିଭାଗ ଏତେ ବର୍ଷ ଧରି ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଥିଲା କେମିତି?

ବର୍ତ୍ତମାନ ଅର୍ଥ ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତାଙ୍କ ଗୋଟିଏ କଡ଼ା ଚିଠି ସମସ୍ତଙ୍କ ନିଦ ହଜାଇ ଦେଇଛି। “ତୁରନ୍ତ ହିସାବ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ”… ବିଭାଗୀୟ ଆର୍ଥିକ ପରାମର୍ଶଦାତାମାନଙ୍କୁ ମିଳିଛି ଏହି ଚେତାବନୀ। ପ୍ରଥମ ଟାର୍ଗେଟରେ ଅଛି ପୂର୍ତ୍ତ ବିଭାଗ।

କିନ୍ତୁ କାହାଣୀରେ ସବୁଠୁ ବଡ଼ ଟ୍ୱିଷ୍ଟ ହେଉଛି… ଟଙ୍କା ଆଦାୟ ହେବ କାହାଠାରୁ? ୧୦ ରୁ ୨୦ ବର୍ଷ ତଳର ଏହି ଖେଳରେ ଯେଉଁମାନେ ସମ୍ପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଅବସର ନେଇସାରିଲେଣି। ଆଉ କେତେକ ମୃତ୍ୟୁ ବରଣ କରିସାରିଲେଣି ! ତେବେ ନା ଅଛି ହିସାବ, ନା ଅଛନ୍ତି ହିସାବରକ୍ଷକ। ତେବେ ଏହି ୪୮ ହଜାର କୋଟିର ଉତ୍ତରଦାୟିତ୍ୱ ନେବ କିଏ? ଜନତାଙ୍କ ଝାଳବୁହା ଧନର ଏହି ଲୁଟ୍ ର ପୂରା ତଦନ୍ତ କିଏ କରିବ? ତାହା ଦେଖିବାକୁ ବାକି ରହିଲା |