\n\n\n\n\n\n\n

ଖୋର୍ଦ୍ଧା ଓ ଚିଲିକା ଜଙ୍ଗଲରେ ଭୟାବହ ବନାଗ୍ନି

ଜଙ୍ଗଲରେ ବଢ଼ୁଛି ନିଆଁ ଚିନ୍ତା
ପରିବେଶ ପାଇଁ ବଡ଼ ଚିନ୍ତା।
ବନ୍ୟପ୍ରାଣୀ ବଳୟ ପ୍ରଭାବିତ।
ସବୁଜ ଜଙ୍ଗଲକୁ କାହାର ନଜର?

ଖୋର୍ଦ୍ଧା ଜିଲ୍ଲା ଏବଂ ଏହାର ଆଖପାଖ ବନଖଣ୍ଡ ଗୁଡ଼ିକରେ ବନାଗ୍ନି ସ୍ଥିତି ଏବେ ଚିନ୍ତାଜନକ ରୂପ ନେଇଛି। ସରକାରୀ ବିଭାଗୀୟ ରିପୋର୍ଟ ଅନୁସାରେ, ଗତ ଗ୍ରୀଷ୍ମ ଋତୁରେ ବିଭିନ୍ନ ବନଖଣ୍ଡରେ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଛି। ଏହା କେବଳ ସାଧାରଣ ଜଙ୍ଗଲ ନୁହେଁ, ବରଂ ବନ୍ୟପ୍ରାଣୀ ବନଖଣ୍ଡ ପ୍ରତି ମଧ୍ୟ ବଡ଼ ସତର୍କ ଘଣ୍ଟି ସାଜିଛି।ବିଶେଷ କରି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ପରିସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଗତ ଦୁଇ ବର୍ଷ ଧରି ଏହି ଅଞ୍ଚଳରେ ନିଆଁର ସଂଖ୍ୟା ଶୂନ ଥିବା ବେଳେ, ଚଳିତ ଥର ହଠାତ୍ ୨୨୫ଟି ସ୍ଥାନରେ ନିଆଁ ଲାଗିଥିବା ରେକର୍ଡ ହୋଇଛି। ବନ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରାୟ ୯୯ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ପ୍ରଭାବିତ ହୋଇଛି।ସେହିପରି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡରେ ମଧ୍ୟ ବନାଗ୍ନିର ପ୍ରକୋପ ବୃଦ୍ଧି ପାଇଛି। ପୂର୍ବ ବର୍ଷ ମାତ୍ର ଗୋଟିଏ ସ୍ଥାନରେ ସୀମିତ ଥିବା ବେଳେ, ଗତ ଗ୍ରୀଷ୍ମ ଋତୁରେ ଏହା ୨୯ଟି ସ୍ଥାନକୁ ବୃଦ୍ଧି ପାଇ ବ୍ୟାପକ ସବୁଜିମାକୁ ନଷ୍ଟ କରିଛି। ଖୋର୍ଦ୍ଧା ବନଖଣ୍ଡ ଏବଂ ସିଟି ଫରେଷ୍ଟ ଡିଭିଜନରେ ମଧ୍ୟ ବନାଗ୍ନିର ପରିସୀମା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।ବନ ସମ୍ପଦ ଏବଂ ବନ୍ୟଜୀବଙ୍କ ସୁରକ୍ଷା ପାଇଁ ଏଭଳି ପରିସ୍ଥିତି ଗୁରୁତର ଆହ୍ୱାନ ସୃଷ୍ଟି କରିଛି। ପ୍ରଶାସନ ତଥା ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମ ଓ ସଚେତନତା ହିଁ ଆଗାମୀ ଦିନରେ ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିପାରିବ।