\n\n\n\n\n\n\n

ଆମ ଗାଁରେ ଆମେ ସରକାର; ଖଣି ମାଫିଆଙ୍କୁ ତଣ୍ଟିଆ ମାରି ବିଦା !

ଆମ ଗାଁରେ ଆମେ ସରକାର

ମାଇନିଂ ପାଇଁ ଦେବୁନୁ ପାହାଡ଼…

କଳାହାଣ୍ଡି-ରାୟଗଡ଼ା ସୀମାନ୍ତରେ ମହାସଂଗ୍ରାମ!

ଜଳ, ଜଙ୍ଗଲ, ଜମି… ଆଦିବାସୀଙ୍କ ରଣହୁଙ୍କାର!

କମ୍ପାନୀକୁ ଚେତାବନୀ: ପଛଘୁଞ୍ଚା ଦେବେ କି ସରକାର?

ଶୁଣନ୍ତୁ ଏହି ଗର୍ଜନ… ଏ ଶବ୍ଦ କୌଣସି ସାଧାରଣ ଶୋଭାଯାତ୍ରାର ନୁହେଁ। ଏହା ହେଉଛି ନିଜ ଅସ୍ତିତ୍ୱ ବଞ୍ଚାଇବାର ଲଢ଼େଇ! ଜଳ, ଜଙ୍ଗଲ ଏବଂ ଜମି ପାଇଁ ଏକ ମହାସଂଗ୍ରାମର ଡାକରା। କଳାହାଣ୍ଡି ଓ ରାୟଗଡ଼ା ସୀମାନ୍ତରେ ପୁଣି ଥରେ ନିଆଁ ଜଳିଛି। ଶାନ୍ତ ପାହାଡ଼ ଏବେ ଅଶାନ୍ତ।

ସ୍ଥାନ- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର କେରପାଇ ପଞ୍ଚାୟତ। ସେଠାରେ ଗୁଞ୍ଜରିତ ହେଉଛି ଗୋଟିଏ ନାରା- “ଆମ ଗାଁରେ ଆମେ ସରକାର… ମାଇନିଂ ପାଇଁ ଦେବୁନୁ ପାହାଡ଼!” ମାଁ ମାଟି ମାଳି ସୁରକ୍ଷା ମଞ୍ଚର ବ୍ୟାନର ତଳେ ଏକାଠି ହୋଇଛନ୍ତି ହଜାର ହଜାର ଆଦିବାସୀ। ସେମାନଙ୍କ ଟାର୍ଗେଟରେ ଅଛନ୍ତି ଖଣି ମାଫିଆ ଏବଂ ବଡ଼ ବଡ଼ କମ୍ପାନୀ।

ତିଜ୍ ମାଲି, କୁଟ୍ରୁମାଲି ଓ ମାଜିଙ୍ଗ ମାଲି ପାହାଡ଼ ଉପରେ ପଡିଛି କମ୍ପାନୀମାନଙ୍କ ଲୋଲୁପ ଦୃଷ୍ଟି। କିନ୍ତୁ ଆଦିବାସୀ ସ୍ପଷ୍ଟ କରିଦେଇଛନ୍ତି- ପାହାଡ଼ ସେମାନଙ୍କ ପାଇଁ କେବଳ ମାଟି ବା ପଥର ନୁହେଁ, ଏହା ସେମାନଙ୍କ ଦେବତା, ପରମ୍ପରା, ସଂସ୍କୃତି ଓ ଆତ୍ମସମ୍ମାନ। ଖଣି ଖନନ ନାଁରେ ଆଦିବାସୀଙ୍କ ଜୀବିକା ଉପରେ ଆକ୍ରମଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ବିଦେଶୀ କମ୍ପାନୀର ଅନୁପ୍ରବେଶକୁ ବିରୋଧ କରି ଲୋକେ ସରକାରଙ୍କୁ ଦେଇଛନ୍ତି ଖୋଲା ଚେତାବନୀ। ଗ୍ରାମ ସଭାର ବିନା ଅନୁମତିରେ ଗୋଟିଏ ବି ପ୍ରକଳ୍ପକୁ ଗ୍ରହଣ କରାଯିବ ନାହିଁ। ଯଦି ପ୍ରଶାସନ ଲୋକଙ୍କ ଏହି ମୌଳିକ ଅଧିକାରକୁ କ୍ଷୁଣ୍ଣ କରେ, ତେବେ ଆଗାମୀ ଦିନରେ ଏହାର ଭୟଙ୍କର ରାଜନୈତିକ ପରିଣାମ ଭୋଗିବାକୁ ପଡିବ।

ବର୍ତ୍ତମାନ ଏହି ଜନଆନ୍ଦୋଳନ ସମଗ୍ର ଅଞ୍ଚଳରେ ଏକ ବିଶାଳ ପ୍ରତିରୋଧର ରୂପ ନେଇସାରିଛି। ଗୋଟିଏ ପଟେ କମ୍ପାନୀର ପାୱାର, ଅନ୍ୟ ପଟେ ଆଦିବାସୀଙ୍କ ଅଦମ୍ୟ ସାହସ। ପ୍ରଶ୍ନ ଉଠୁଛି, କର୍ପୋରେଟ୍ ଚାପରେ ମୁଣ୍ଡ ନୁଆଁଇବେ କି ସରକାର? ନା ଆଦିବାସୀଙ୍କ ସ୍ୱର ଜିତିବ? ସମସ୍ତଙ୍କ ନଜର ଏବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ… ଦେଖିବାର ବାକି ରହିଲା, ଏହି ଲଢ଼େଇର ପରିଣାମ କଣ ହେବ!