ରାତି ଅଧରେ ଆସିଲା ପୋଲିସ, ଲେଖିକାଙ୍କ ନାଁରେ ୧୧ ସଙ୍ଗିନ ଦଫା
ମଧୁ କିଶ୍ୱରଙ୍କ ବିରୋଧରେ ଚଣ୍ଡିଗଡ଼ ପୋଲିସର ବଡ଼ ଆକ୍ସନ୍
BNS ର ୮ ଏବଂ IT ଆକ୍ଟର ୩ଟି ଦଫାରେ ମାମଲା ରୁଜୁ
ବନ୍ଧା ହେବେ କି ଲେଖିକା ମଧୁ କିଶ୍ୱର?
ରାତିର ଅନ୍ଧାର… ଆଉ ହଠାତ୍ ଦୁଆର ମୁହଁରେ ପୋଲିସର କଡା ନକ୍। ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ… ଆଉ ତା’ପରେ ସିଧା ୧୧ଟି ସଙ୍ଗିନ ଦଫା। ଦେଶର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି, ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆଙ୍ଗୁଠି ଉଠାଇବା ଜଣେ ଜଣାଶୁଣା ଲେଖିକାଙ୍କୁ ମହଙ୍ଗା ପଡିଛି। କିଏ ଏହି ଲେଖିକା? କଣ ପାଇଁ ରାତି ଅଧରେ ତାଙ୍କ ଅଫିସରେ ପହଞ୍ଚିଲା ଫୋର୍ସ?
ଦର୍ଶକବନ୍ଧୁ, ଆମେ କହୁଛୁ ଜଣାଶୁଣା ଲେଖିକା ତଥା ସାମ୍ବାଦିକା ମଧୁ କିଶ୍ୱରଙ୍କ କଥା। ଚଣ୍ଡିଗଡ଼ ପୋଲିସ ମଧୁ କିଶ୍ୱରଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଏକ ବହି ଲେଖିବା ସହ, ସୋସିଆଲ ମିଡିଆରେ ସେ ଲଗାତାର ଟିପ୍ପଣୀ ଦେଉଥିଲେ। କିଛି ଆପତ୍ତିଜନକ ଭିଡିଓ ଏବଂ ମନ୍ତବ୍ୟକୁ ରି-ଟ୍ୱିଟ୍ କରିବା ଅଭିଯୋଗରେ, ଏବେ ତାଙ୍କ ନାଁରେ ଚଣ୍ଡିଗଡ଼ ସେକ୍ଟର-୩୯ ଥାନାରେ ରୁଜୁ ହୋଇଛି FIR।
ମାମଲା ଛୋଟମୋଟ ନୁହେଁ। ଭାରତୀୟ ନ୍ୟାୟ ସଂହିତା (BNS) ର ୮ଟି ଦଫା ଏବଂ ଆଇଟି ଆକ୍ଟ (IT Act) ର ୩ଟି ଦଫା… ଏମିତି ସମୁଦାୟ ୧୧ଟି କଡ଼ା ଦଫା ଲଗାଇଛି ପୋଲିସ। ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ତଥ୍ୟ ପ୍ରସାରଣ କରି ସାମ୍ବିଧାନିକ ପଦବୀର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା ଏବଂ ଶାନ୍ତି ଭଙ୍ଗ କରିବା ନେଇ ତାଙ୍କ ନାଁରେ ସିଧାସଳଖ ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, ନିଜ ପ୍ରତିକ୍ରିୟା ରଖିଛନ୍ତି ମଧୁ କିଶ୍ୱର। ସୋସିଆଲ ମିଡିଆ ‘ଏକ୍ସ’ ରେ ସେ ସ୍ପଷ୍ଟ କରିଛନ୍ତି ଯେ, ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ନୋଟିସ୍ ଦେବାକୁ ଆସିଥିଲା। କିନ୍ତୁ ଜଣେ ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ବା ସୂର୍ଯ୍ୟୋଦୟ ପୂର୍ବରୁ ଗିରଫ କରାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ବାଢିବାରୁ ପୋଲିସ କେବଳ ହାଜର ହେବାକୁ ନୋଟିସ ଦେଇ ଫେରିଯାଇଛି।
ଗାନ୍ଧୀ, କାଶ୍ମୀର ଓ ମୋଦିଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଥିବା ମଧୁ କିଶ୍ୱର ଏବେ ନିଜେ ଆଇନର ଛନ୍ଦିରେ। ଆଗକୁ ପୋଲିସ କଣ ପଦକ୍ଷେପ ନେବ? ସମୟ ହିଁ କହିବ।
