କୋଳଥ ଡାଲି କେବଳ ଡାଲି ନୁହେଁ, ମହାଔଷଧ
କିଡ୍ନୀ ଷ୍ଟୋନ୍ ସମସ୍ୟାରୁ ମଧ୍ୟ ଦେଇପାରେ ମୁକ୍ତି!
ଆଜି ଆମେ ଜାଣିବା କୋଳଥ ଡାଲିର ବିଭିନ୍ନ ଔଷଧୀୟ ଗୁଣ ଓ ଉପକାରିତା ସମ୍ପର୍କରେ।
ପ୍ରାଚୀନ କାଳରୁ କୋଳଥ ଡାଲିକୁ ଆୟୁର୍ବେଦରେ ଏକ ଔଷଧ ଭାବରେ ବ୍ୟବହାର କରାଯାଇ ଆସୁଛି। ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥିବାରୁ ଏହା ମାଂସପେଶୀ ଗଠନ ତଥା ଶରୀର ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ। ଏହା ବ୍ୟତୀତ ଓଜନ ନିୟନ୍ତ୍ରଣ କରିବା, କୋଲେଷ୍ଟ୍ରୋଲ୍ ହ୍ରାସ କରିବା ଏବଂ କିଡ୍ନୀ ଷ୍ଟୋନ୍ ଦୂର କରିବାରେ ଏହା ବିଶେଷ ସହାୟକ ହୋଇଥାଏ।
ବିଶେଷ କରି କିଡ୍ନୀ ଷ୍ଟୋନ୍ ବା ବୃକ୍କରେ ପଥର ଥିବା ରୋଗୀଙ୍କ ପାଇଁ କୋଳଥ ଡାଲି ଏକ ରାମବାଣ ଔଷଧ ସଦୃଶ। ଯେଉଁମାନଙ୍କର କିଡ୍ନୀରେ ଷ୍ଟୋନ୍ ରହିଛି, ସେମାନେ ନିୟମିତ କୋଳଥ ଡାଲି କିମ୍ବା ଏହାର ପାଣି ସେବନ କଲେ ଷ୍ଟୋନ୍ ଧୀରେ ଧୀରେ ତରଳି ପରିସ୍ରା ବାଟ ଦେଇ ବାହାରିଯାଏ; ଫଳରେ ଅସ୍ତ୍ରୋପଚାର ବା ଅପରେସନର ଆବଶ୍ୟକତା ପଡ଼ି ନଥାଏ।
କେବଳ ସେତିକି ନୁହେଁ, କୋଳଥ ଡାଲି ନିୟମିତ ଖାଇଲେ କିଡ୍ନୀରେ ପୁନର୍ବାର ଷ୍ଟୋନ୍ ହେବାର ଆଶଙ୍କା ମଧ୍ୟ ରୁହେ ନାହିଁ। ସାଧାରଣତଃ କ୍ୟାଲସିୟମ୍ ଓ ଫସ୍ଫରସ୍ ପରି ଖଣିଜ ଲବଣ ଜମାଟ ବାନ୍ଧିବା ଯୋଗୁଁ କିଡ୍ନୀରେ ଷ୍ଟୋନ୍ ସୃଷ୍ଟି ହୋଇଥାଏ। କିନ୍ତୁ କୋଳଥ ଡାଲି ଏହି ଉପାଦାନଗୁଡ଼ିକୁ ଶରୀରରେ ଜମାଟ ବାନ୍ଧିବାକୁ ଦିଏ ନାହିଁ, ଯାହା ଫଳରେ କିଡ୍ନୀ ସୁସ୍ଥ ରହିଥାଏ।
