ମିଛ ଆରେଷ୍ଟ, ସତ ପର୍ଦ୍ଦାଫାଶ! କ୍ୟାମେରା ଆଗରେ ପୋଲିସର ଗୁମର ଖୋଲିଲେ ନିର୍ଦ୍ଦୋଷ ବ୍ୟକ୍ତି
ନୟାଗଡ଼ ପୋଲିସର ବଡ଼ ଖେଳ: ମାଫିଆଙ୍କୁ ଘଣ୍ଟ, ନିରୀହଙ୍କୁ ଦଣ୍ଡ?
ଫସିବେ କି ଖାକି ବର୍ଦ୍ଦି? ଘଟଣାର ତଦନ୍ତ ପାଇଁ ମାନବାଧିକାର କମିଶନଙ୍କ କଡ଼ା ନିର୍ଦ୍ଦେଶ
ଅତିରିକ୍ତ SP ଙ୍କ ସ୍କାନରରେ ଭୂମିକା: କିଏ ଦେଉଛି ପଥର ମାଫିଆଙ୍କୁ ସୁରକ୍ଷା?
କେଉଁଠି ଅଛି ଆଇନର ଶାସନ? ପ୍ରେସମିଟ୍ ରେ ଫାଟିଲା ପୋଲିସର ମିଛର ବେଲୁନ୍!
ଗୋଟିଏ ଭୟଙ୍କର ହତ୍ୟାକାଣ୍ଡ… ଆଉ ତା’ପରେ ପୋଲିସର ଏକ ବଡ଼ ଧରଣର ନାଟକ! କଣ ପ୍ରକୃତ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛି କି ଖାକି ବର୍ଦ୍ଦି? ନୟାଗଡ଼ ଜିଲ୍ଲାରୁ ଆସିଛି ଏକ ଏମିତି ଚାଞ୍ଚଲ୍ୟକର ଖବର, ଯାହା ଆପଣଙ୍କୁ ଚମକାଇଦେବ।
ଗତ ମଇ ୧୦ ତାରିଖ ରାତିରେ ଓଡଗାଁ ଥାନା ଅଞ୍ଚଳରେ ଅଜିତ ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣାର ଦୁଇ ଦିନ ପରେ, ନୟାଗଡ଼ SP ଙ୍କ ଅଫିସରେ ଡିଆଇଜି ଏକ ବଡ଼ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠାରେ ହତ୍ୟାକାରୀ ଦର୍ଶାଇ କିଛି ଲୋକଙ୍କୁ ମୁହଁ ଘୋଡେଇ ଠିଆ ମଧ୍ୟ କରାଯାଇଥିଲା । କିନ୍ତୁ କାହାଣୀରେ ଟ୍ଵିଷ୍ଟ ସେତେବେଳେ ଆସିଲା , ଯେତେବେଳେ ସେହିମାନଙ୍କ ଭିତରୁ ଜଣେ ବ୍ୟକ୍ତି ଗଣମାଧ୍ୟମ ସାମ୍ନାରେ ଚିତ୍କାର କରି କହିଲେ- “ମୁଁ ନିର୍ଦ୍ଦୋଷ, ମୋତେ ଫସାଇଦିଆଯାଇଛି!” । ସେହି ବ୍ୟକ୍ତି ଜଣକ ଥିଲେ ଶ୍ରୀଧର ସାହୁ, ଯାହାଙ୍କୁ ପରେ ପୋଲିସ ନିଜ ତ୍ରୁଟି ବୁଝିପାରି ରାତିରେ ଛାଡିଦେଇଥିଲା । ନିଜ ଭୁଲ୍ ଲୁଚାଇବାକୁ ଯାଇ ପୋଲିସ ସଫେଇ ଦେଇଥିଲା ଯେ ତାଙ୍କୁ କେବଳ ଅଟକ ରଖାଯାଇଥିଲା ।
ବର୍ତ୍ତମାନ ଏହି ଘଟଣାରେ ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି ଓଡ଼ିଶା ମାନବାଧିକାର ଆୟୋଗ (OHRC) ଙ୍କ ଦ୍ଵାରସ୍ଥ ହୋଇଛନ୍ତି । ତାଙ୍କ ଅଭିଯୋଗ ମୁତାବକ, ନୟାଗଡ଼ ଅତିରିକ୍ତ SP ଜ୍ୟୋତି ରଞ୍ଜନ ସାମନ୍ତରାୟ ନିଜ କ୍ଷମତାର ଅପବ୍ୟବହାର କରି ପଥର ଓ ବାଲି ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି । OHRC ଏହି ଘଟଣାକୁ ଗୁରୁତ୍ଵର ସହ ନେଇ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଯଦି ବ୍ୟକ୍ତି ଜଣକ ନିର୍ଦ୍ଦୋଷ ଥିଲେ, ତେବେ ତାଙ୍କୁ ହତ୍ୟା ଅଭିଯୁକ୍ତ ସଜାଇ ଗଣମାଧ୍ୟମ ଆଗରେ କାହିଁକି ଛିଡ଼ା କରାଗଲା? ପ୍ରକୃତ ଅପରାଧୀଙ୍କୁ ବଞ୍ଚାଇବା ପାଇଁ ଏହା କଣ ପୋଲିସର ଏକ ସୁଚିନ୍ତିତ ଷଡଯନ୍ତ୍ର ଥିଲା? ତେବେ ଏହି ତମାମ ପ୍ରଶ୍ନକୁ ନେଇ ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଫୋନ ଇନ ଜରିଆରେ ଆମେ ପ୍ରତିକ୍ରିୟା ନେଇଛୁ ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି |
