ପାଣିରେ ପଡିଲା ସରକାରୀ ଅର୍ଥ।
ନଷ୍ଟ ହେଉଛି ମୂଲ୍ୟବାନ ଯନ୍ତ୍ରପାତି।
ବର୍ଷେ ହେଲା ପୁନର୍ବାସ କେନ୍ଦ୍ର ବନ୍ଦ।
କୋଟି କୋଟି ଟଙ୍କାର ଭିତ୍ତିଭୂମି ନଷ୍ଟ!
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଏବେ ଘୋର ଅବହେଳାର ଶିକାର। ଲୋକଙ୍କ ଟିକସ ଟଙ୍କାରେ ନିର୍ମିତ ଏହି ମୂଲ୍ୟବାନ ପ୍ରକଳ୍ପ ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ବନ୍ଦ ପଡିଛି। କୋଟି କୋଟି ଟଙ୍କାର ଭିତ୍ତିଭୂମି ଏବେ ଖତ ଖାଉଛି। ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ କେନ୍ଦ୍ରରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।ବିଭାଗୀୟ ଅଧିକାରୀଙ୍କ ଏହି ସାଂଘାତିକ ଅବହେଳା ତଥା ଉଦାସୀନତାକୁ ନେଇ ଜାତୀୟ ମାନବାଧିକାର ଆୟୋଗ ବା ଏନଏଚଆରସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭାଗୀୟ ପ୍ରମୁଖ ସଚିବଙ୍କୁ ନୋଟିସ୍ କରାଯିବା ସହ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ ରିପୋର୍ଟ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ରୋଗୀଙ୍କ ସ୍ୱାର୍ଥକୁ କିପରି ଖୋଲାଖୋଲି ଅଣଦେଖା କରାଯାଉଛି, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି।୨୦୧୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ରରେ ରୋବୋଟିକ୍ ପୁନର୍ବାସ ଯନ୍ତ୍ର ଏବଂ କୃତ୍ରିମ ଅଙ୍ଗ ସେବା ଭଳି ଅନେକ ଉନ୍ନତ ଜ୍ଞାନକୌଶଳ ଉପଲବ୍ଧ ଥିଲା। ବିଭିନ୍ନ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଲୋକଙ୍କୁ ଏଠାରେ ମାଗଣାରେ ଉନ୍ନତ ଥେରାପି ମିଳୁଥିଲା। ହେଲେ ଏବେ ଦାମୀ ଯନ୍ତ୍ରପାତି ଖରାପ ହେବାକୁ ବସିଥିବା ବେଳେ ଗରିବ ଅସହାୟ ଲୋକେ ସେବାରୁ ବଞ୍ଚିତ ହେଉଛନ୍ତି।ତୁରନ୍ତ ଏହି କେନ୍ଦ୍ରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସବୁ ମହଲରେ ଦାବି ଜୋର ଧରିଛି। ଆବଶ୍ୟକୀୟ ତାଲିମପ୍ରାପ୍ତ କର୍ମଚାରୀ ନିଯୁକ୍ତି କରି ଯନ୍ତ୍ରପାତି ଗୁଡିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଅନୁରୋଧ କରାଯାଇଛି। ନଚେତ୍ ସରକାରୀ ଯୋଜନାର ବିକାଶ କେବଳ ପ୍ରଚାର ପ୍ରସାର ଓ କାଗଜ କଲମରେ ସୀମିତ ରହିବ ବୋଲି ବୁଦ୍ଧିଜୀବୀମାନେ କଠୋର ସମାଲୋଚନା କରିଛନ୍ତି।ସାଧାରଣ ଜନତାଙ୍କ ଅର୍ଥରେ ନିର୍ମିତ ଭିତ୍ତିଭୂମିର ଏପରି ଶୋଚନୀୟ ଦୁର୍ଦ୍ଦଶା ପ୍ରଶାସନିକ ବିଫଳତାର ଏକ ବଡ଼ ଚିତ୍ର ସାମ୍ନାକୁ ଆଣିଛି। ଏନଏଚଆରସିଙ୍କ କଡ଼ା ହସ୍ତକ୍ଷେପ ପରେ ଏବେ ଦେଖିବାକୁ ବାକି ରହିଲା, ସମ୍ପୃକ୍ତ ବିଭାଗ କେବେ ତତ୍ପରତା ଦେଖାଉଛି ଏବଂ ସାଧାରଣ ଲୋକଙ୍କୁ ସେମାନଙ୍କର ପ୍ରକୃତ ସେବା କେବେ ମିଳୁଛି।
