ଭାଗ୍ୟ ସହ ଲଢୁଛନ୍ତି ମିନାକ୍ଷୀ, କେବେ ପଡିବ ପ୍ରଶାସନଙ୍କ ଦୃଷ୍ଟି ?

ଦୁଃଖ କେବେ ଏକା ଆସେନା, ସାଥିରେ ଆଣେ ଯନ୍ତ୍ରଣାର ଏମିତି ଏକ କାଳବୈଶାଖୀ ଯାହା ସବୁକିଛି ଉଜାଡ଼ି ଦିଏ! ଦୁର୍ଭାଗ୍ୟର ଏମିତି ଏକ ନଗ୍ନ ଓ ଲୋମଟାଙ୍କୁରା ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କ ଛାତି ବି ଥରିଉଠିବ। କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ୍ ବଟିରା ଗାଁ। ଏଠି ଗୋଟିଏ ପଟେ ସ୍ୱାମୀଙ୍କୁ ଛଡ଼ାଇ ନେଲା ଅକାଳ ମୃତ୍ୟୁ, ଆଉ ଏବେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ କିମ୍ବା ପେଟକୁ ନାହିଁ ଦାନା। ଆଜି ନିଜ ଭାଗ୍ୟ ସହ ଲଢ଼ୁଛି ମିନାକ୍ଷୀ ଖଟୁଆ

ବଟିରା ଗାଁର ଦିନମଜୁରିଆ ଅନନ୍ତ ଖଟୁଆ। ହଠାତ୍ କିଡନୀ ଓ ଲିଭର ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ଆଉ ପଛରେ ଅନାଥ କରିଦେଇଗଲେ ସ୍ତ୍ରୀ ମିନାକ୍ଷୀ, ଅଷ୍ଟମ ଶ୍ରେଣୀର ଝିଅ ଓ ୬ ବର୍ଷର କୁନି ପୁଅକୁ। ଏବେ ଏହି ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଛିଡ଼ିପଡିଛି। ଘର କହିଲେ କେବଳ କେଇଟା ଖୁଣ୍ଟ ଉପରେ ଆଜବେଷ୍ଟସ୍, କାନ୍ଥ ବୋଲି କିଛି ନାହିଁ। ଦିନରେ ଛଣ ଗଦା ମୂଳେ ପିଲାଙ୍କୁ ଧରି ବସୁଛନ୍ତି ମିନାକ୍ଷୀ, ଆଉ ସଞ୍ଜ ନଇଁଲେ ଖରା ବର୍ଷାରୁ ବର୍ତ୍ତିବା ପାଇଁ ଆଶ୍ରୟ ନେଉଛନ୍ତି ପଡ଼ୋଶୀଙ୍କ ଘରେ।

ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି… ସରକାରଙ୍କ ଆବାସ ଯୋଜନା ଗଲା କୁଆଡେ? କାହିଁକି ଏହି ଅସହାୟ ପରିବାରକୁ ଆଜି ବାର ଦୁଆର ଶୁଣ୍ଢିପିଣ୍ଢା ହେବାକୁ ପଡୁଛି? ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ଓ କେବେ ମିଳିବ ଥଇଥାନ? ତାହା ଉପରେ ଏବେ ସମସ୍ତଙ୍କ ନଜର। ଯଦି ଆପଣ ଏହି ନିଷ୍ପାପ ପିଲାଙ୍କ ଲୁହ ପୋଛିବାକୁ ଚାହୁଁଛନ୍ତି, ତେବେ ସ୍କ୍ରିନରେ ଦିଆଯାଇଥିବା ଆକାଉଣ୍ଟକୁ ନିଜର ସାହାଯ୍ୟ ପଠାନ୍ତୁ।

Leave a Reply

Your email address will not be published. Required fields are marked *