ବିଚାରପତି ନାହାନ୍ତି, ଅଟକିଛି ନ୍ୟାୟ…
ରାଜରାସ୍ତାରେ ଚାଲିଲେ ଓକିଲ !
ହାଇକୋର୍ଟରେ ଖାଲି ପଡ଼ିଛି ୧୮ ବିଚାରପତି ପଦ
ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ !
ତୁରନ୍ତ ପୂରଣ ହେଉ ଖାଲି ପଦବୀ
ନ୍ୟାୟପାଳିକାର ସୁଦୃଢ଼ତା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଆଇନଜୀବୀ। କଳା କୋର୍ଟ ପିନ୍ଧି ପ୍ରତିଦିନ କୋର୍ଟ ରୁମ୍ରେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଯୁକ୍ତି ବାଢୁଥିବା ଓକିଲ, ଆଜି ନିଜେ ନ୍ୟାୟ ବ୍ୟବସ୍ଥାର ସୁଧାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। କଟକ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଦାବିରେ, ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କୋର୍ଟ କାର୍ଯ୍ୟ ବର୍ଜନ କରାଯିବା ସହ ରାଜଭବନ ଅଭିମୁଖେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରାଯାଇଛି।
ଗତ ଅକ୍ଟୋବର ୧ ତାରିଖରେ ହାଇକୋର୍ଟ ବାର୍ ଆସୋସିଏସନ୍ର ଶତାଧିକ ପ୍ରତିନିଧି ଏବଂ ଆଇନଜୀବୀ କଟକରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ପୂର୍ବରୁ ହୋଇଥିବା ସାଧାରଣ ବୈଠକର ନିଷ୍ପତ୍ତି କ୍ରମେ, ସମସ୍ତେ ଭୁବନେଶ୍ୱର କ୍ଲବ୍ ଠାରୁ ଲୋକଭବନ ଅର୍ଥାତ୍ ରାଜଭବନ ପର୍ଯ୍ୟନ୍ତ ଏକ ଶୃଙ୍ଖଳିତ ପଦଯାତ୍ରାରେ ବାହାରିଥିଲେ। ପରେ ବାର୍ ଆସୋସିଏସନ୍ର ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ କରିବା ନେଇ ଏକ ସ୍ମାରକପତ୍ର ବା ମେମୋରାଣ୍ଡମ୍ ପ୍ରଦାନ କରିଛନ୍ତି।
ଆଇନଜୀବୀମାନେ ଯେଉଁ ଉଦ୍ବେଗ ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାର୍ ଆସୋସିଏସନ୍ର ତଥ୍ୟ ଅନୁସାରେ, ଓଡ଼ିଶା ହାଇକୋର୍ଟରେ ମୋଟ ୩୩ଟି ବିଚାରପତି ପଦ ଅନୁମୋଦିତ ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ, ବର୍ତ୍ତମାନ ସମୟରେ ମାତ୍ର ୧୫ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଅର୍ଥାତ୍ ଅଧାରୁ ଅଧିକ, ମୋଟ ୧୮ଟି ବିଚାରପତି ପଦବୀ ଏବେ ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ମାତ୍ର ୧୫ ଜଣ ବିଚାରପତିଙ୍କ କାନ୍ଧରେ ପୂରା ରାଜ୍ୟର ସର୍ବୋଚ୍ଚ ଅଦାଲତର ଭାର ରହିଛି। ଯାହା ଫଳରେ ନ୍ୟାୟିକ ପ୍ରକ୍ରିୟା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି। ମାମଲାଗୁଡ଼ିକର ଶୁଣାଣିରେ ଅହେତୁକ ବିଳମ୍ବ ହେବା ସହ ସାଧାରଣ ଲୋକଙ୍କୁ ଠିକ୍ ସମୟରେ ନ୍ୟାୟ ମିଳିପାରୁନାହିଁ ବୋଲି ବାର୍ ପକ୍ଷରୁ କୁହାଯାଇଛି।
ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଗମ ଏବଂ କ୍ରିୟାଶୀଳ କରିବା ପାଇଁ ଖାଲି ପଡ଼ିଥିବା ଏହି ୧୮ଟି ପଦବୀକୁ ଯଥାଶୀଘ୍ର ପୂରଣ କରିବାକୁ ଆଇନଜୀବୀ ସମାଜ ଦୃଢ଼ ଦାବି କରିଛି। ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ଶୀଘ୍ର ପଦକ୍ଷେପ ନିଆଗଲେ ହାଇକୋର୍ଟରେ ପେଣ୍ଡିଂ ଥିବା ହଜାର ହଜାର ମାମଲାର ଫଇସଲା ହୋଇପାରିବ। ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରା ଓ ଦାବିପତ୍ର ପ୍ରଦାନ ପରେ, ଖୁବ୍ ଶୀଘ୍ର ହାଇକୋର୍ଟରେ ସମସ୍ତ ପଦବୀ ପୂରଣ ହେବ ଏବଂ ନ୍ୟାୟ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ବାର୍ ଆସୋସିଏସନ୍ ବଡ଼ ଆଶା ରଖିଛି।
