କଟକରେ ଗର୍ଜିଲା ଓଡିଶା ଜନତା କଂଗ୍ରେସ
CMC ବିରୁଦ୍ଧରେ ଦେଲା ପ୍ରଥମ ରଣହୁଙ୍କାର !
ଦଳ ନୂଆ, କିନ୍ତୁ ଲଢ଼େଇ ପୁରୁଣା !
କଟକ ମାଟିରେ ନିଜର ଦମ୍ ଦେଖାଇଲା ଓଡ଼ିଶା ଜନତା କଂଗ୍ରେସ।
କଟକ ସହରରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ଗର୍ଜନ। CMC ବା କଟକ ମହାନଗର ନିଗମର ଅବ୍ୟବସ୍ଥା ଏବଂ ଅନିୟମିତତା ବିରୁଦ୍ଧରେ ଗତକାଲି ରାଜରାସ୍ତାକୁ ଓହ୍ଲାଇଛି ‘ଓଡ଼ିଶା ଜନତା କଂଗ୍ରେସ’। ନୂଆ କରି ଦଳ ଗଠନ ହେବା ପରେ କଟକ ମାଟିରେ ଏହା ଥିଲା ଦଳର ପ୍ରଥମ ବଡ଼ ଶକ୍ତି ପ୍ରଦର୍ଶନ। କଟକର ନୂଆ ସଡ଼କ ଅଞ୍ଚଳରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ଓଡ଼ିଶା ଜନତା କଂଗ୍ରେସର ଶତାଧିକ କର୍ମୀ। ଦଳର ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ କର୍ମୀମାନେ ହାତରେ ଦଳୀୟ ପତାକା ଏବଂ ପ୍ଲାକାର୍ଡ ଧରି CMC ମେୟର ଏବଂ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।
ଦଳର ଅଭିଯୋଗ ହେଉଛି- କଟକ ସହର ଆଜି ଅଳିଆ ଆବର୍ଜନାରେ ଭର୍ତ୍ତି। ସାମାନ୍ୟ ବର୍ଷା ହେଲେ ନାଳ ନର୍ଦ୍ଦମା ପାଣି ଲୋକଙ୍କ ଘରେ ପଶୁଛି। ବକ୍ସ ଡ୍ରେନ୍ କାମ ଅଧପନ୍ତରିଆ ହୋଇ ପଡିରହିଛି। ମେୟର ସୁବାସ ସିଂଙ୍କ ପାଖରେ ସମସ୍ତ କ୍ଷମତା ଥିଲେ ମଧ୍ୟ ସେ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ବିକ୍ଷୋଭ ସମୟରେ ଗିରିବାଳା ବେହେରା ସିଧାସଳଖ ଆକ୍ରମଣ କରି କହିଛନ୍ତି ଯେ, କୋଟି କୋଟି ଟଙ୍କାର ଟ୍ୟାକ୍ସ ପଇସା ଆଜି ହଡ଼ପ ହେଉଛି। ସହରର ମୌଳିକ ସମସ୍ୟା- ଯେମିତିକି ମଶା ତେଲ ପକାଇବାଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠି ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି। ଯଦି ଆଗାମୀ ଦିନରେ ଏହାର ସମାଧାନ ନହୁଏ, ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଦଳ ଚେତାବନୀ ଦେଇଛି।
ଶେଷରେ ଦଳ ପକ୍ଷରୁ ଏକ ଦାବିପତ୍ର CMC କମିଶନରଙ୍କୁ ପ୍ରଦାନ କରାଯାଇଛି। କଟକବାସୀଙ୍କ ହକ ପାଇଁ ଓଡ଼ିଶା ଜନତା କଂଗ୍ରେସର ଏହି ଲଢ଼େଇ ଆଗକୁ କେଉଁ ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।
