\n\n\n\n\n\n\n

ଛାତ୍ର ସଂସଦ ନିର୍ବାଚନ ! କିଏ ମାରିଲା ବାଜି ?

କେଉଁ କଲେଜରେ କିଏ ମାରିଲା ବାଜି?

ଛାତ୍ର ରାଜନୀତିରେ କାହାର ହେଲା ଭାରି ଦବଦବା!

ABVP , BCJD , NSUI ନା ସ୍ୱାଧୀନ ପ୍ରାର୍ଥୀ ?

କେଉଁ ଦଳ ମାରିଲା ବାଜି ?

ଆଠ ବର୍ଷର ଅପେକ୍ଷାର ଅନ୍ତ! କ୍ୟାମ୍ପସ୍‌କୁ ଫେରିଲା ଛାତ୍ର ସଂସଦ ନିର୍ବାଚନର ଉଷ୍ମତା। କେଉଁଠି ଏବିଭିପିର ବିଜୟ ଉତ୍ସବ, ତ ଆଉ କେଉଁଠି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍। ପୁଣି କେଉଁଠି ସ୍ୱାଧୀନ ପ୍ରାର୍ଥୀ ଦେଖାଇଛନ୍ତି ନିଜର ଦମ୍‌। ତେବେ ଏଥର ଛାତ୍ର ସଂସଦ ନିର୍ବାଚନରେ କାହାର ଦବଦବା ରହିଲା? କେଉଁ କଲେଜରେ କେଉଁ ଛାତ୍ର ସଙ୍ଗଠନ ହାତେଇଲା ବିଜୟ? ଆସନ୍ତୁ ଦେଖିବା ଏହି ସ୍ପେଶାଲ୍ ରିପୋର୍ଟ।

ଏଥର ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଏବିଭିପିର ପ୍ରଦର୍ଶନ। ଭୁବନେଶ୍ୱରର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ବଡ଼ ବିଜୟ ଛାତ୍ର ରାଜନୀତିରେ ନୂଆ ସମୀକରଣର ସଙ୍କେତ ଦେଇଛି। ଦୀର୍ଘଦିନ ଧରି ବିଜେଡି ସମର୍ଥିତ ଛାତ୍ର ସଙ୍ଗଠନର ପ୍ରଭାବ ରହିଥିବା ଏହି କ୍ୟାମ୍ପସ୍‌ରେ ଏବିଭିପିର ସଫଳତା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି।

ସେହିପରି ରାଜଧାନୀ ମହାବିଦ୍ୟାଳୟରେ ମଧ୍ୟ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ କ୍ଲିନ୍ ସୁଇପ୍ ଦେଖିବାକୁ ମିଳିଛି। ନୂଆପଲ୍ଲୀର ଦେବରାୟ ମହାବିଦ୍ୟାଳୟରେ ମଧ୍ୟ ସମସ୍ତ ଆସନରେ ଏବିଭିପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ଫଳାଫଳ ରାଜଧାନୀର କ୍ୟାମ୍ପସ୍ ରାଜନୀତିରେ ଏବିଭିପିର ଶକ୍ତିକୁ ପୁଣି ଚର୍ଚ୍ଚାକୁ ଆଣିଛି।

କିନ୍ତୁ ସବୁ କଲେଜରେ ଗୋଟିଏ ଦଳର ଦବଦବା ନାହିଁ। ଏକାମ୍ର ମହାବିଦ୍ୟାଳୟରେ ଏବିଭିପି ସମର୍ଥିତ ସଞ୍ଜୟ କୁମାର ସାହୁ ସଭାପତି ଭାବେ ବିଜୟୀ ହୋଇଥିବା ବେଳେ ବିଜେଡି ସମର୍ଥିତ ସ୍ୱାଗତିକା ସାହୁ ସାଧାରଣ ସମ୍ପାଦକ ପଦ ହାତେଇଛନ୍ତି। ଅର୍ଥାତ୍ ଏଠାରେ ଉଭୟ ସଙ୍ଗଠନ ନିଜର ଉପସ୍ଥିତି ଜାହିର କରିଛନ୍ତି।

ଅନ୍ୟପଟେ ମହର୍ଷି କଲେଜ ଅଫ୍ ନାଚୁରାଲ୍ ଲ’ରେ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ୍ ହୋଇଛି। ସଭାପତି ଭାବେ ସୁଶାନ୍ତ କୁମାର ଦାଶ ବିଜୟୀ ହୋଇ ଦେଖାଇଛନ୍ତି ଯେ, କ୍ୟାମ୍ପସ୍‌ରେ କେବଳ ଦଳୀୟ ପ୍ରଭାବ ନୁହେଁ, ପ୍ରାର୍ଥୀଙ୍କ ନିଜସ୍ୱ ଲୋକପ୍ରିୟତା ମଧ୍ୟ ନିର୍ଣ୍ଣାୟକ ହୋଇପାରେ।

ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଫଳାଫଳ ମଧ୍ୟ ବିଶେଷ ଚର୍ଚ୍ଚାରେ ରହିଛି। ରମାଦେବୀରେ ବିଜେଡି ସମର୍ଥିତ ସୋନାଲି ବେହେରା ସଭାପତି ଏବଂ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ସାଧାରଣ ସମ୍ପାଦିକା ଭାବେ ବିଜୟୀ ହୋଇଛନ୍ତି।

କମଳା ନେହେରୁ ମହିଳା କଲେଜରେ ସଭାପତି ପଦ ହାତେଇଛନ୍ତି ବିଷ୍ଣୁପ୍ରିୟା ହଜାରୀ। ବାଳକାଟିର ପ୍ରତାପ ଶାସନ ଡିଗ୍ରୀ ମହାବିଦ୍ୟାଳୟରେ ଦିବ୍ୟରଞ୍ଜନ ବେହେରା ସଭାପତି ଭାବେ ବିଜୟୀ ହୋଇଛନ୍ତି।

ତେବେ ଏହି ନିର୍ବାଚନ କେବଳ ବିଜୟ ଉତ୍ସବରେ ସୀମିତ ରହିନାହିଁ। କେତେକ କ୍ୟାମ୍ପସ୍‌ରେ ଉତ୍ତେଜନା, ଗଣ୍ଡଗୋଳ ଓ ରାସ୍ତାରୋକ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାରରେ ଟଙ୍କା ଖର୍ଚ୍ଚ, ବ୍ୟାନର୍‌-ପୋଷ୍ଟର୍ ଏବଂ ସୋସିଆଲ୍ ମିଡିଆର ପ୍ରଭାବକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି।

ସାମଗ୍ରିକ ଭାବେ ଦେଖିଲେ, ଏହି ନିର୍ବାଚନ ଛାତ୍ର ରାଜନୀତିରେ ଏବିଭିପିର ଶକ୍ତି ପ୍ରଦର୍ଶନ, ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ବିଜୟ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସଫଳତାକୁ ସାମ୍ନାକୁ ଆଣିଛି।

ଏବେ ଦେଖିବାକୁ ରହିଲା, ଛାତ୍ରଛାତ୍ରୀଙ୍କ ଭରସାରେ ଜିତିଥିବା ଏହି ନୂଆ ଛାତ୍ରନେତାମାନେ କ୍ୟାମ୍ପସ୍‌ର ସମସ୍ୟା ସମାଧାନ, ଶିକ୍ଷାର ମାନ ଏବଂ ଛାତ୍ରଛାତ୍ରୀଙ୍କ ଅଧିକାର ପାଇଁ କେତେଦୂର କାମ କରୁଛନ୍ତି। କାରଣ ନିର୍ବାଚନରେ ଜିତିବା ଗୋଟିଏ କଥା, ଆଉ ଛାତ୍ରଛାତ୍ରୀଙ୍କ ଆଶା ପୂରଣ କରିବା ସମ୍ପୂର୍ଣ୍ଣ ଭିନ୍ନ କଥା।