ମନ୍ତ୍ରୀଙ୍କ ରଣନୀତି ଫେଲ୍… ଗୃହ ବିଭାଗ ଲାଚାର-ସଂସ୍କାର ବିନା ନିର୍ବାଚନ କରାଇ ଛାତ୍ରଙ୍କ ଜୀବନ ବାଜି ଲଗାଇଲା କିଏ?
ରେଭେନ୍ସାରୁ ବାଣୀବିହାର… ଭଦ୍ରକରୁ ନୟାଗଡ଼!
ସବୁଠି ଖଣ୍ଡା, ବୋମା ଆଉ ପୋଲିସ ଛାଉଣୀ
ଛାତ୍ର ସଂଗଠନମାନଙ୍କୁ ବଳ ଯୋଗାଉଛି କେଉଁ ରାଜନୈତିକ ଦଳ?
କିଏ ଅପାରଗ… ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନା ପିଲାଏ ବାଳୁଙ୍ଗା?
କ୍ୟାମ୍ପସ ହିଂସାର ଏହି ରକ୍ତାକ୍ତ ଖେଳ ପାଇଁ ଦାୟୀ କିଏ?
୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହେଲା ସତ… କିନ୍ତୁ ଶିକ୍ଷାର ମନ୍ଦିରରେ ଚାଲିଲା ଖୋଲା ବାରୁଦ ଆଉ ହିଂସାର ତାଣ୍ଡବ.କ୍ୟାମ୍ପସରେ ପୋଲିସ ନିରୁପାୟ, ପ୍ରଶାସନ ଫେଲ୍.ଫସିଗଲେ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ? ପ୍ରଶାସନ ଅପାରଗ ନା ପିଲାଏ ବାଳୁଙ୍ଗା?
ରାଜ୍ୟ ସରକାରଙ୍କ ରଣନୀତିରେ କ’ଣ ଦମ୍ ନାହିଁ? ନା ଛାତ୍ର ରାଜନୀତିକୁ ସମ୍ଭାଳିବାର ପ୍ରଶାସନିକ କ୍ଷମତା ହରାଇ ବସିଛି ମୋହନ ସରକାର? ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ସମଗ୍ର ଓଡ଼ିଶାର କଲେଜ କ୍ୟାମ୍ପସଗୁଡ଼ିକ ଏବେ ରକ୍ତାକ୍ତ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି.ମାରପିଟ୍, ରକ୍ତପାତ, ଆଉ ବୋମାମାଡ଼ ଭିତରେ ଖାକି ବର୍ଦ୍ଦିଧାରୀ ପୋଲିସ ଆଜି ନିରୁପାୟ ହୋଇ ଠିଆ ହୋଇଛି.ଯେଉଁ ହିଂସା ଓ ଅଶାନ୍ତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୮ ବର୍ଷ ଧରି କଲେଜ ନିର୍ବାଚନ ବନ୍ଦ ରଖିଥିଲେ, ସେହି ବାସ୍ତବତାକୁ ଆଖିବୁଜି ଦେଇ ବିଜେପି ସରକାର କ୍ୟାମ୍ପସ ରାଜନୀତିରେ ନିଆଁ ଲଗାଇଦେଲେ କାହିଁକି?
ଗ୍ରାଉଣ୍ଡ୍ ରିଆଲିଟି ନପରଖି, କଲେଜଗୁଡ଼ିକରେ କାହାର ଦବ୍ଦବା ଚାଲିଛି ତାହା ନବୁଝି, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କେଉଁ ଉତ୍ସାହରେ ନିର୍ବାଚନ ଘୋଷଣା କରିଦେଲେ? ବର୍ଷ ବର୍ଷ ଧରି ଅସାମାଜିକ ତତ୍ତ୍ୱଙ୍କ ଆଖଡ଼ା ପାଲଟିଥିବା କଲେଜ ବ୍ୟବସ୍ଥାରେ କୌଣସି ସଂସ୍କାର ନଆଣି, କେବଳ ରାଜନୈତିକ ବାହାବା ନେବାକୁ ଯାଇ ହଜାର ହଜାର ନିରୀହ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇଦିଆଗଲା ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଆଜି ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଛି.ପୋଲିସକୁ କାହାର ଡର ନାହିଁ, ଶାସନର କୌଣସି ଭୟ ନାହିଁ ଛାତ୍ର ସଂଗଠନମାନେ ଏବେ ବେଲଗାମ୍ ହୋଇ ରାଜରାସ୍ତାରେ ତାଣ୍ଡବ ରଚୁଛନ୍ତି.
ବାଣୀବିହାରରୁ ଭଦ୍ରକ, ରେଭେନ୍ସାରୁ ନୟାଗଡ଼ କିମ୍ବା ଜଗତସିଂହପୁରରୁ ଆର୍ଡି ଓମେନ୍ସ ସବୁଠି ଗୋଟିଏ ଚିତ୍ର କଲେଜ ଗେଟ୍ରେ ତାଲା, ହଷ୍ଟେଲ୍ ଆଗରେ ଖଣ୍ଡା-ବୋମାର ପ୍ରଦର୍ଶନ, ଆଉ କ୍ୟାମ୍ପସ ଭିତରେ ୨ ପ୍ଲାଟୁନ୍ ଲେଖାଏଁ ପୋଲିସ ଫୋର୍ସ ଛାଉଣୀ ଯେଉଁଠି ପାଠପଢ଼ା ହେବା କଥା, ସେଠି ଆଜି ବାରୁଦର ଗନ୍ଧ.ଏହି ଅଣାୟତ୍ତ ପରିସ୍ଥିତି ପାଇଁ ଦାୟୀ କିଏ? ନିର୍ବାଚନୀ ବାହାବା ଲୋଡୁଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅପାରଗ, ଗୃହ ବିଭାଗ ସମ୍ଭାଳୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଫଳ, ନା ରାଜନୈତିକ ଆଶ୍ରୟରେ ବଳୀୟାନ ହୋଇଥିବା ପିଲାମାନେ ବାଳୁଙ୍ଗା ପାଲଟିଯାଇଛନ୍ତି?ଜବାବ ମାଗୁଛି ସାରା ଓଡ଼ିଶା.
