ଉଠିଯିବ ପାଟକୁରା ମେଡିକାଲ !
ତାତିଲେ ସ୍ଥାନୀୟବାସୀ, ଦେଲେ ଚେତାବନୀ…
ମେଡିକାଲ ଉଠିଲେ ଜଳିବ ପାଟକୁରା !
ଏହା ଗୁଜବ ନା ସତ ?
ବିଧାୟକ ଦେଲେ ବଡ ବୟାନ !
ସତରେ କ’ଣ ଉଠିଯିବ ପାଟକୁରାର ଲାଇଫ୍ ଲାଇନ୍? ପରକଣାକୁ ଚାଲିଯିବ କି ଗରିବର ଭରସା? କାହିଁ କେଉଁ କାଳରୁ ପାଟକୁରା ଛାତି ଉପରେ ଛିଡ଼ା ହୋଇଥିବା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଗୁଜବ ଉଠିଛି, ପାଟକୁରାରୁ ମେଡିକାଲକୁ ସ୍ଥାନାନ୍ତର କରାଯିବ। ଆଉ ଏହି ଗୋଟିଏ ଖବର ପୂରା ପାଟକୁରାରେ ନିଆଁ ଲଗାଇ ଦେଇଛି।
ଏହା କେବଳ ଗୋଟିଏ ଡାକ୍ତରଖାନା ନୁହେଁ। ଆଖି, ଦାନ୍ତ, ଶିଶୁ, ପ୍ରସୂତି ଓ ନିଶା ଭଳି ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ମୋଟ ୯ ଜଣ ଡାକ୍ତରଙ୍କୁ ନେଇ ବଞ୍ଚିଛି ହଜାର ହଜାର ଲୋକଙ୍କ ଜୀବନ। ଯେଉଁ ମାଆ ୨ କିଲୋମିଟର ଆସି ଛୁଆର ଜୀବନ ବଞ୍ଚାଉଥିଲା, ସେ ୧୫ କିଲୋମିଟର ଦୂର ପରକଣା ଯିବ କେମିତି? କେବଳ ରୋଗୀ ନୁହଁନ୍ତି, ମେଡିକାଲ ଉପରେ ନିର୍ଭର କରୁଥିବା ଔଷଧ ଦୋକାନୀ, ଚାହା ଖଟି, ଅଟୋ ଚାଳକଙ୍କ ଜୀବିକା ଉପରେ ବି ଘୋଟି ଆସିଛି କଳା ବାଦଲ। ମେଡିକାଲ ଉଠିଲେ ଚୁଲି ଲିଭିଯିବ, ବଜାର ମରିଯିବ। ସେଥିପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ତାତିଥିବା ପାଟକୁରାବାସୀ।
ତେବେ ଏହି ଆତଙ୍କ ଓ କ୍ଷୋଭ ଭିତରେ ବଡ଼ ଆଶ୍ୱସ୍ତି ଦେଇଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ସେ ସ୍ପଷ୍ଟ କରିଛନ୍ତି, ସ୍ଥାନାନ୍ତର ଖବର ସମ୍ପୂର୍ଣ୍ଣ ମିଥ୍ୟା। ପାଟକୁରା ମେଡିକାଲ କେଉଁଠିକୁ ବି ଉଠିବ ନାହିଁ, ବରଂ ଆଗକୁ ଏହାର ଅଧିକ ଉନ୍ନତିକରଣ ହେବ।
ଧାୟକଙ୍କ ପ୍ରତିଶ୍ରୁତି ପରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ସତ, ହେଲେ ଲୋକଙ୍କ ଏକତା ପ୍ରମାଣ କରିଦେଇଛି ଯେ- ପାଟକୁରା ମେଡିକାଲ କେବଳ କୋଠା ନୁହେଁ, ଏହା ପାଟକୁରାର ସ୍ପନ୍ଦନ।
