\n\n\n\n\n\n\n

ବିଜେଡି-ବିଜେପି ଡିଲ୍ ! ହିସାବ ନଦେଲେ ମାତିବ ଶନି ମହାସେନା !

ବିଜେଡି-ବିଜେପି ସିକ୍ରେଟ୍ ଡିଲ୍ ?

ଲୁଚୁଛି କି ମହାଦୁର୍ନୀତିର ଫାଇଲ୍ !

ହିସାବ ନଦେଲେ ମାତିବ ଶନି ମହାସେନା…

ସରକାରଙ୍କୁ ଦେଲା ଖୋଲା ଚେତାବନୀ !

ବଦଳୁନି ରାଜ୍ୟରେ ବ୍ୟବସ୍ଥା | ଯେଉଁ ସୂଚନା ଅଧିକାର ଆଇନ ବଳରେ ସାଧାରଣ ଜନତା ଦୁର୍ନୀତିର ପର୍ଦ୍ଦାଫାଶ କରୁଥିଲେ, ଆଜି ସେହି ଆଇନକୁ କରୁଛନ୍ତି ହତ୍ୟା | ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଚାଲିଛି ଦୁର୍ନୀତି ବିରୋଧୀ ସପ୍ତାହ। ଆଉ ଏହି ମଞ୍ଚରୁ ଉଠିଛି ଏକ ବଡ଼ ପ୍ରଶ୍ନ। ସରକାର ଯେକୌଣସି ଦଳର ହେଉନା କାହିଁକି, ସେମାନେ ଆଇନର ଊର୍ଦ୍ଧ୍ୱରେ ନୁହଁନ୍ତି, ଏବଂ ନିୟମ ଅନୁଯାୟୀ ସମସ୍ତେ ସୂଚନା ଅଧିକାର ବଳରେ ଲୋକଙ୍କୁ ତଥ୍ୟ ଦେବାକୁ ବାଧ୍ୟ ବୋଲି ଶନି ମହାସେନାର ମୁଖ୍ୟ ମିଟୁ ମିଥୁନ ସିଧାସଳଖ ଚେତାବନୀ ଦେଇଛନ୍ତି।

ମନ୍ତ୍ରୀ ହୁଅନ୍ତୁ କି ସରପଞ୍ଚ, କିମ୍ବା ବିଧାୟକ ଓ ସାଂସଦ, ଜଣେ ସାଧାରଣ ନାଗରିକ ହିସାବ ମାଗିଲେ ତାଙ୍କୁ ସୂଚନା ଦେବାକୁ ପଡିବ ବୋଲି ମିଟୁ ମିଥୁନ କହିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କେହି ମଧ୍ୟ ସାଧାରଣ ଜନତାଙ୍କୁ ଏହି ତଥ୍ୟ ଦେଉନାହାନ୍ତି। ଆଇନରେ ଥାଇ ମଧ୍ୟ ଲୋକଙ୍କୁ ଟେଣ୍ଟ ତଳେ ବସି ନ୍ୟାୟ ମାଗିବାକୁ ପଡୁଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜନତା ନିଜ ଭୋଟ୍ ଦେଇ ସରକାର ଗଢିଛନ୍ତି, ତେଣୁ ସେମାନଙ୍କ ପ୍ରଶ୍ନର ଉତ୍ତର ନମିଳିଲେ ଶନି ମହାସେନା ଆଗାମୀ ଦିନରେ ଏହାର କଡ଼ା ଜବାବ ଦେବ ବୋଲି ସେ ଖୋଲାଖୋଲି କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ନେତା ଓ ଅଧିକାରୀମାନେ ତଥ୍ୟ ଲୁଚାଉଛନ୍ତି କାହିଁକି ? ଏହା ପଛରେ ରହିଛି କି କୌଣସି ବଡ଼ ରାଜନୈତିକ ସମୀକରଣ ? ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ବଣ୍ଟାଯାଇଥିବା ପତ୍ରିକାରେ ବିଜେପି ଏବଂ ବିଜେଡି ମଧ୍ୟରେ ଏକ ‘ସିକ୍ରେଟ୍ ଡିଲ୍’ ବା ଗୋପନୀୟ ସନ୍ଧି ହୋଇଥିବା ସାଂଘାତିକ ଅଭିଯୋଗ ଆସିଛି। ପୂର୍ବତନ ସରକାର ସମୟରେ ହୋଇଥିବା ନୂଆ-ଓ (NUA-O) କାର୍ଯ୍ୟକ୍ରମର ଅନିୟମିତତା ହେଉ କିମ୍ବା ୫୧ ହଜାର କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପର ଦୁର୍ନୀତି, ଏସବୁର କୌଣସି ତଦନ୍ତ ନକରି ସୁରକ୍ଷା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାର କମିଶନ ରିପୋର୍ଟକୁ ମଧ୍ୟ ଲୁଚାଇ ରଖାଯାଉଛି।

ଏହି ସବୁ ଦୁର୍ନୀତି ଉପରୁ ଯେପରି ପରଦା ନହଟେ, ସେଥିପାଇଁ ସୂଚନା ଅଧିକାର ଆଇନକୁ ହିଁ ଦୁର୍ବଳ କରିଦିଆଯାଉଛି। ସ୍ୱଚ୍ଛତା ଆଣିବା ପରିବର୍ତ୍ତେ, ଅଯୋଗ୍ୟ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ସୂଚନା କମିଶନ ପଦବୀରେ ବସାଇ ଆରଟିଆଇ କର୍ମୀଙ୍କ ସ୍ୱରକୁ ଚାପି ଦିଆଯାଉଥିବା ଅଭିଯୋଗ ଆସିଛି। ‘ଓଡ଼ିଆ ଅସ୍ମିତା’ ନାରା ଦେଇ କ୍ଷମତାକୁ ଆସିଥିବା ସରକାର ଏବେ ଅଣ-ଓଡ଼ିଆ ଠିକାଦାର ଓ ଖଣି ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି।

ରାଜ୍ୟରେ ଏବେ ଏକ ମିଳିତ ସରକାର ଚାଲିଥିବା ଭଳି ମନେହେଉଛି, ଯେଉଁଠି ଦୁର୍ନୀତିର ହିସାବ ମାଗିଲେ ଉତ୍ତର ମିଳୁନି। ଆଉ ସେଥିପାଇଁ ଆଜି ରାସ୍ତାକୁ ଓହ୍ଲାଇଛି ଶନି ମହାସେନା ଏବଂ ସୂଚନା ଅଧିକାର କର୍ମୀ। ଯଦି ପ୍ରଶାସନ ସ୍ୱଚ୍ଛ, ତେବେ ତଥ୍ୟ ଦେବାକୁ ଡର କାହିଁକି ? ଆଗକୁ ଏହି ଆନ୍ଦୋଳନ କେଉଁ ରୂପ ନେଉଛି, ତାହା ଦେଖିବା ବାକି ରହିଲା।