Gfx :
ପ୍ରେମ ପାଇଁ ‘ଉଈହୁଙ୍କା’ ଭିତରେ ପୁନର୍ଜନ୍ମ !
୪ କୁକୁଡ଼ା ଓ ୧ ବୋଦା… ଆଉ ବଦଳିଗଲା ଧର୍ମ !
ଏହା ପ୍ରେମର ବିଜୟ ନା ଅନ୍ଧବିଶ୍ୱାସର ପ୍ରହସନ?
ଏକବିଂଶ ଶତାବ୍ଦୀର ସବୁଠୁ ଆଶ୍ଚର୍ଯ୍ୟକର ‘ଶୁଦ୍ଧିକରଣ’ !
ଦୃଶ୍ୟଟିକୁ ଟିକିଏ ଭଲ ଭାବରେ ଦେଖନ୍ତୁ… ମାଟିର ଏକ ଗଭୀର ହୁଙ୍କା ଭିତରୁ ଜଣେ ମହିଳା ବାହାରି ଆସୁଛନ୍ତି। ଚାରିପାଖରେ ଲୋକଙ୍କ ଭିଡ଼, କେହି ସାହାଯ୍ୟ କରୁଛନ୍ତି ତ ଆଉ କେହି ଉତ୍ସୁକତାର ସହ ଚାହିଁ ରହିଛନ୍ତି। ପ୍ରଥମ ଦୃଶ୍ୟରେ ଆପଣଙ୍କୁ ଲାଗିପାରେ ଏହା କୌଣସି ଉଦ୍ଧାର କାର୍ଯ୍ୟ। କିନ୍ତୁ ନା… ଆପଣ ଯାହା ଦେଖୁଛନ୍ତି, ତାହା କୌଣସି ଦୁର୍ଘଟଣା ନୁହେଁ, ବରଂ ପ୍ରେମକୁ ପାଇବା ପାଇଁ ଏକ ଅଜବ ‘ପୁନର୍ଜନ୍ମ’ର ପ୍ରକ୍ରିୟା!
ତେବେ ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମଇଁଷିଡୁବା ଗ୍ରାମରେ। ଗାଁର ପାଣ୍ଡୁ ସୋରେନଙ୍କ ପୁଅ ରତନ ସୋରେନ ଭୁବନେଶ୍ବରରେ କାମ କରୁଥିବା ବେଳେ ଜାନକୀ ହାଁସଦା ନାମକ ଯୁବତୀଙ୍କୁ ପ୍ରେମ କରିଥିଲେ। ପରେ ଉଭୟ ବିବାହ କରିବାକୁ ମନସ୍ଥ କରିବାରୁ ପ୍ରେମିକାକୁ ସାଙ୍ଗରେ ଧରି ଗାଁ ରେ ପହଞ୍ଚିଥିଲେ ରତନ। ପରିବାର ଲୋକେ ଏଥିରେ ରାଜି ହୋଇଥିଲେ। ହେଲେ ଯୁବତୀ ଜଣଙ୍କ ଅନ୍ୟ ଧର୍ମର ହୋଇଥିବାରୁ ପ୍ରଥମେ ତାଙ୍କୁ ନିଜ ଧର୍ମରେ ସାମିଲ କରିବାକୁ କହିଥିଲେ।
ଗାଁ ମୁଖିଆ ଓ ସମାଜ ବସିଲା। ନିଷ୍ପତ୍ତି ହେଲା— ପ୍ରେମ ସତ, କିନ୍ତୁ ପରମ୍ପରା ଅଟଳ। ଏହି ସମାଜର ବୋହୂ ହେବାକୁ ହେଲେ ଝିଅଟିକୁ ପୁଣିଥରେ ଜନ୍ମ ନେବାକୁ ପଡ଼ିବ। ଆରମ୍ଭ ହେଲା ପରମ୍ପରାର ଏହି ରୋମାଞ୍ଚକର ନିୟମ। ନିର୍ଦ୍ଦେଶ ଅନୁଯାୟୀ, ଝିଅଟିକୁ ଏହି ଗଭୀର ଉଈହୁଙ୍କା ଭିତରେ ପଶି ବାହାରିବାକୁ ପଡ଼ିଲା। ତା’ପରେ ହଳଦୀ ଓ ଗଙ୍ଗାଜଳର ସ୍ନାନ… ଆଉ ସମାଜକୁ ଦଣ୍ଡସ୍ୱରୂପ ଭେଟି ଦିଆଗଲା ୪ଟି କୁକୁଡ଼ା, ଗୋଟିଏ ବୋଦା ଏବଂ ୨ ହାଣ୍ଡି ହାଣ୍ଡିଆ।
ସମାଜ ସନ୍ତୁଷ୍ଟ ହେଲା, ପ୍ରେମିକାକୁ ତା’ର ସିନ୍ଦୂର ମିଳିଗଲା। କିନ୍ତୁ ଆଜିର ଡିଜିଟାଲ୍ ଯୁଗରେ ଏହି ଭିଡିଓ ଆମକୁ ଏକ ବିରାଟ ପ୍ରଶ୍ନବାଚୀ ସାମ୍ନାରେ ଛିଡ଼ା କରାଇଦେଇଛି— ମଣିଷ ଚନ୍ଦ୍ରରେ ପହଞ୍ଚିଗଲା ସତ, କିନ୍ତୁ ଆମ ମାନସିକତା କ’ଣ ଆଜି ବି ସେହି ଗଭୀର ହୁଙ୍କା ଭିତରେ ରହିଯାଇଛି? ଆପଣଙ୍କ ମତରେ ଏହା ପ୍ରେମର ତ୍ୟାଗ ନା ଅନ୍ଧବିଶ୍ୱାସ? କମେଣ୍ଟରେ ନିଶ୍ଚୟ ଲେଖନ୍ତୁ।
