\n\n\n\n\n\n\n

ରାହୁଲଙ୍କ ୟୁ-ଟର୍ଣ୍ଣ! CJP ପାଇଁ ଖୋଲିଲା ଦ୍ୱାର?

ରାହୁଲଙ୍କ ଏଣ୍ଟ୍ରିରେ ବଦଳିବ କି ରାଜନୀତି?

CJP ପାଇଁ ଖୋଲାଖୋଲି ମଇଦାନକୁ ଓଲ୍ହାଇଲେ ରାହୁଲ!

ଜନ୍ତର ମନ୍ତରରେ ଜେଲ୍, ଦିଲ୍ଲୀରେ ଝଡ଼!

SIR ବିରୋଧରେ ଏକାଠି ହେବେ କି ବିରୋଧୀ?

CJP-କଂଗ୍ରେସ ନିକଟତର, ବଢ଼ିବ କି ଚାପ?

ଗୋଟିଏ ପଟେ SIRକୁ ନେଇ ରାଜନୈତିକ ଝଡ଼… ଅନ୍ୟପଟେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି! ଆଉ ଏହି ରାଜନୈତିକ ହଟଚମଟ ଭିତରେ ଏବେ ନୂଆ ଟ୍ୱିଷ୍ଟ!

ଯେଉଁ CJP ଠାରୁ ଏତେ ଦିନ ଦୂରତା ରଖୁଥିଲା କଂଗ୍ରେସ, ସେହି CJPର ଆନ୍ଦୋଳନକୁ ନେଇ ଏବେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧୀ! ଯୁବକଙ୍କ ଗିରଫଦାରୀକୁ ନେଇ କେନ୍ଦ୍ର ସରକାରଙ୍କୁ କରିଛନ୍ତି କଡ଼ା ଟାର୍ଗେଟ୍।

ତେବେ ଏହା କେବଳ ଗଣତାନ୍ତ୍ରିକ ଅଧିକାରର ସମର୍ଥନ, ନା ଏହା ପଛରେ ରହିଛି ବିରୋଧୀ ରାଜନୀତିର ନୂଆ ସମୀକରଣ?

ଘଟଣାର ଆରମ୍ଭ ଜନ୍ତର ମନ୍ତରରୁ। SIR ପ୍ରକ୍ରିୟା ବିରୋଧ ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଆନ୍ଦୋଳନ ଜୋର ଧରିଥିବା ବେଳେ, ଗେଟ୍ ଡେଇଁ ଜାତୀୟ ପତାକା ଉଡ଼ାଇବା ଓ ବିରୋଧ ପ୍ରଦର୍ଶନ ଅଭିଯୋଗରେ CJPର ସହସଂଯୋଜକ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ପାଞ୍ଚ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଏହି କାର୍ଯ୍ୟାନୁଷ୍ଠାନ ପରେ ରାଜନୀତି ଆହୁରି ତୀବ୍ର ହୋଇଛି। ଆଉ ଏହି ପ୍ରସଙ୍ଗରେ ଏବେ ସିଧାସଳଖ ମଇଦାନକୁ ଓହ୍ଲାଇଛି କଂଗ୍ରେସ।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ରାହୁଲ ଗାନ୍ଧୀ ସରକାରଙ୍କୁ ଘେରିଛନ୍ତି। ତାଙ୍କ ଯୁକ୍ତି—ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନର ସୁଯୋଗ ସଙ୍କୁଚିତ କରିବା ଏବଂ ଯୁବକଙ୍କୁ ଜେଲ୍ ପଠାଇବା ଗଣତାନ୍ତ୍ରିକ ଅଧିକାର ଉପରେ ପ୍ରଶ୍ନ ଉଠାଉଛି।

ସେ ଏହାକୁ ସରକାରଙ୍କ କାପୁରୁଷପଣ ବୋଲି ସମାଲୋଚନା କରିଛନ୍ତି। ତାଙ୍କ ବାର୍ତ୍ତା ସ୍ପଷ୍ଟ—ଛାତ୍ର, ଯୁବ ଏବଂ ବିରୋଧୀ ଦଳମାନଙ୍କ ରାସ୍ତା ଅଲଗା ହୋଇପାରେ, କିନ୍ତୁ ସାମ୍ବିଧାନିକ ଅଧିକାର ପାଇଁ ଲଢ଼େଇର ଉଦ୍ଦେଶ୍ୟ ଏକ।

ହେଲେ ଏଠି ଉଠୁଛି ବଡ଼ ପ୍ରଶ୍ନ—ରାହୁଲଙ୍କ ଏହି ବୟାନ କ’ଣ CJP ପ୍ରତି କଂଗ୍ରେସର ଆଭିମୁଖ୍ୟରେ ପରିବର୍ତ୍ତନର ସଙ୍କେତ?

ଏହା ପୂର୍ବରୁ NEET-UG ପେପର ଲିକ୍ ପ୍ରସଙ୍ଗରେ ଜନ୍ତର ମନ୍ତରରେ ହୋଇଥିବା ଆନ୍ଦୋଳନରେ CJP ଛାତ୍ର-ଯୁବ ଶକ୍ତି ଭାବେ ନିଜ ଉପସ୍ଥିତି ଜାହିର କରିଥିଲା। ସେହି ସମୟରେ କଂଗ୍ରେସ ମଧ୍ୟ ପେପର ଲିକ୍ ପ୍ରସଙ୍ଗ ଉଠାଇଥିଲା, କିନ୍ତୁ ରାହୁଲ ଗାନ୍ଧୀ CJPର ମଞ୍ଚଠାରୁ ଦୂରେଇ ରହିଥିଲେ।

ଏବେ ତାଙ୍କର ଖୋଲା ସମର୍ଥନ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ତେବେ ରାହୁଲ ନିଜ ପୋଷ୍ଟରେ CJP କିମ୍ବା ଏହାର ନେତାଙ୍କ ନାଁ ସିଧାସଳଖ ନେଇନାହାନ୍ତି। ତେଣୁ ଏହାକୁ ଦୁଇ ଦଳ ମଧ୍ୟରେ ଆନୁଷ୍ଠାନିକ ମେଣ୍ଟ ବୋଲି କହିବା ଏବେଠାରୁ ଠିକ୍ ହେବ ନାହିଁ।

ତେବେ ଏହି ବୟାନ କ’ଣ କେବଳ ଯୁବକଙ୍କ ଅଧିକାର ପାଇଁ ସମର୍ଥନ, ନା ବିରୋଧୀ ରାଜନୀତିରେ ନୂଆ ଏକତାର ଆରମ୍ଭ?

SIR ବିବାଦ, ଜନ୍ତର ମନ୍ତରର ଆନ୍ଦୋଳନ ଏବଂ ରାହୁଲଙ୍କ ଏହି ପଦକ୍ଷେପ—ଆଗକୁ ଏହି ରାଜନୈତିକ କାହାଣୀ କେଉଁ ମୋଡ଼ ନେବ, ତାହା ଉପରେ ରହିବ ସମସ୍ତଙ୍କ ନଜର।