\n\n\n\n\n\n\n

ଗୋଟିଏ ମଞ୍ଚରେ ୩ ପଦ୍ମଶ୍ରୀ! ନୂଆଁଖାଇ ଭେଟଘାଟରେ ଧମାକା

ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇ ଉପଲକ୍ଷେ ବରଗଡ଼ ଜିଲ୍ଲା ଘେଁସଠାରେ ଏକ ଭବ୍ୟ ‘ନୂଆଁଖାଇ ଭେଟଘାଟ’ ଅନୁଷ୍ଠିତ ହୋଇଯାଇଛି। ସଂଯୁକ୍ତ କୃଷକ ସଂଗଠନ ଓ ସହିଦ ମାଧୋ ସିଂହ କୃଷକ ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଉତ୍ସବରେ ବରଗଡ଼ ଏସପି ରବୀନ୍ଦ୍ର ନାଥ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପଧାନ, ପଦ୍ମଶ୍ରୀ କ୍ରିଷ୍ଣା ପଟେଲ, ବିଶିଷ୍ଟ ଗାୟକ ପଙ୍କଜ ଜାଲ ଏବଂ ବରଗଡ଼ ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ବିଶେଷ କଥା ହେଉଛି, ଏହି ଗୌରବମୟ ଅବସରରେ ‘ବି ଟିଭି’ ର ବରଗଡ଼ ଜିଲ୍ଲା ପ୍ରତିନିଧି ନିତ୍ୟାନନ୍ଦ ବାଗଙ୍କୁ ତାଙ୍କର ନିଷ୍ଠାପର ସାମ୍ବାଦିକତା ପାଇଁ ସମ୍ମାନିତ କରାଯାଇଛି। ଏଥିସହ ଅନ୍ୟ ସାମ୍ବାଦିକ ଓ ସାମାଜିକ ସଂଗଠନଗୁଡ଼ିକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ସଂକଳ୍ପ ପରିବାର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମହତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶେଷରେ ସଂଯୁକ୍ତ କୃଷକ ସଂଗଠନର ସଭାପତି ରମେଶ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।