ରିଅଲ୍ ଲାଇଫ୍ ‘ନାୟକ’; ନେପାଳର ପ୍ରଧାନମନ୍ତ୍ରୀ ରାସ୍ତାରେ!

ନେପାଳରେ ରିଅଲ୍ ଲାଇଫ୍ ‘ନାୟକ’ !

ରାସ୍ତାରେ ଟ୍ରାଫିକ୍ କଣ୍ଟ୍ରୋଲ୍ କରୁଛନ୍ତି ଦେଶର ମୁଖିଆ !

ବିନା ବଡିଗାର୍ଡ, ବିନା ସିକ୍ୟୁରିଟି…

ଲୋକଙ୍କ ଗହଣରେ ନେପାଳର ନୂଆ ନେତା

ରାପର ରୁ ସିଧା ପ୍ରଧାନମନ୍ତ୍ରୀ ଚେୟାର୍…

ଇଣ୍ଟରନେଟରେ ଭାଇରାଲ୍ Gen Z ନେତା ବାଲେନ୍ ଶାହ !

ଥରେ ଚିନ୍ତା କରନ୍ତୁ ଏମିତି ଜଣେ ନେତା, ଯାହାଙ୍କ ପଛରେ ଶହ ଶହ ସୁରକ୍ଷାକର୍ମୀ ଏବଂ କମାଣ୍ଡୋ ରହିବା କଥା, କିନ୍ତୁ ସେ ହଠାତ୍ ନିଜ ଗାଡ଼ିରୁ ଓହ୍ଲାଇ ରାସ୍ତାରେ ଟ୍ରାଫିକ୍ କଣ୍ଟ୍ରୋଲ୍ କରୁଛନ୍ତି। ଆଗରେ କୌଣସି ପୋଲିସ ଗାଡ଼ି ନାହିଁ, କି ପଛରେ କୌଣସି ଭିଆଇପି (VIP) ତାମଝାମ୍ ନାହିଁ। ବିନା ବଡିଗାର୍ଡରେ ସେ ରାସ୍ତା କଡ଼ରେ ଠିଆ ହୋଇଥିବା ସାଧାରଣ ଲୋକଙ୍କ ସହ ସେଲ୍ଫି ନେଉଛନ୍ତି। ରାସ୍ତାରେ ଯାଉଥିବା ଏକ ଇ-ରିକ୍ସା ଅଟକାଇ ସେଥିରେ ବସିଥିବା ସାଧାରଣ ମହିଳାଙ୍କ ଭଲମନ୍ଦ ପଚାରି ବୁଝୁଛନ୍ତି।

ଏ ଦୃଶ୍ୟ ବଲିଉଡ୍ ଫିଲ୍ମ ‘ନାୟକ’ର ଅନିଲ କପୁରଙ୍କ ପରି ଲାଗୁଥାଇପାରେ, କିନ୍ତୁ ଏହା କୌଣସି ଫିଲ୍ମର ସୁଟିଂ ନୁହେଁ। ଏହା ହେଉଛି ପଡ଼ୋଶୀ ଦେଶ ନେପାଳର ବାସ୍ତବ ଚିତ୍ର! ଆଉ ଏହି ବ୍ୟକ୍ତି ଜଣକ ହେଉଛନ୍ତି ନେପାଳର ନୂଆ ତାରକା, ବାଲେନ୍ ଶାହ। ଯାହାଙ୍କୁ ଏବେ ପୂରା ଇଣ୍ଟରନେଟ୍ ନେପାଳର ରିଅଲ୍ ଲାଇଫ୍ ‘ନାୟକ’ ବୋଲି କହୁଛି।

ହଁ ଦର୍ଶକବନ୍ଧୁ, ନେପାଳରେ ହୋଇଥିବା ‘ଜେନ୍-ଜେଡ୍’ (Gen Z) ଆନ୍ଦୋଳନ ପରେ ସତ୍ତା ପରିବର୍ତ୍ତନ ହୋଇଛି ଏବଂ ଏହି ଆନ୍ଦୋଳନରୁ ହିରୋ ସାଜି ବାହାରିଛନ୍ତି ବାଲେନ୍ ଶାହ। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଚେୟାରରେ ବସିବା ପରେ ତାଙ୍କର ଏହି ସାଦାସିଧା ଜୀବନଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ଭିଆଇପି କଲ୍ଚର୍ ଏବଂ ସିଷ୍ଟମର ଅହଂକାର ବିରୋଧରେ ନେପାଳର ଯୁବପିଢ଼ି ସ୍ୱର ଉତ୍ତୋଳନ କରିଥିଲେ, ଆଜି ବାଲେନ୍ ଶାହ ସେହି ଆଶାକୁ ପୂରଣ କରୁଛନ୍ତି। ନିଜେ ସେହି ଭିଆଇପି କଲ୍ଚରଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି।

କିନ୍ତୁ କିଏ ଏହି ବାଲେନ୍ ଶାହ? କିପରି ସେ ପହଞ୍ଚିଲେ ଏତେ ବଡ଼ ପଦବୀରେ? ଏହା ପଛର କାହାଣୀ ଆହୁରି ସାଂଘାତିକ। ରାଜନୀତିକୁ ଆସିବା ପୂର୍ବରୁ ସେ ଥିଲେ ଜଣେ ପେସାଦାର ର୍ୟାପର୍ (Rapper)। ନିଜ ରାପ୍ ଗୀତ ମାଧ୍ୟମରେ ସେ ଦୁର୍ନୀତି ଏବଂ ସିଷ୍ଟମରେ ଥିବା ଖରାପ ନୀତି ବିରୋଧରେ ଖୋଲାଖୋଲି ଆକ୍ରମଣ କରୁଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କର ଏହି ବିଦ୍ରୋହୀ ସ୍ୱର ନିଆଁ ଭଳି ବ୍ୟାପିଥିଲା। ଏହି ଲୋକପ୍ରିୟତା ତାଙ୍କୁ ପ୍ରଥମେ କାଠମାଣ୍ଡୁର ମେୟର୍ ଆସନରେ ବସାଇଲା ଏବଂ ଏବେ ଦେଶର ମଙ୍ଗୁଆଳ ସାଜିଛନ୍ତି।

କ୍ଷମତା ପାଇବା ପରେ ଅନେକ ନେତା ନିଜର ପ୍ରତିଶ୍ରୁତି ଭୁଲି ଯାଆନ୍ତି, ବଡିଗାର୍ଡ ଆଉ କଳା କାଚ ଲଗା ଗାଡ଼ି ଭିତରେ ହଜିଯାଆନ୍ତି। କିନ୍ତୁ ବାଲେନ୍ ଶାହ ପ୍ରମାଣ କରିଛନ୍ତି ଯେ ରାଜନୀତିରେ ସାଧାରଣ ଲୋକଙ୍କ ସହ ରହି ମଧ୍ୟ ସିଷ୍ଟମ୍ ବଦଳାଯାଇପାରିବ। ବର୍ତ୍ତମାନ ତାଙ୍କର ଏହି ଅନ୍ଦାଜ୍ କେବଳ ନେପାଳ ନୁହେଁ, ବରଂ ପୂରା ଦକ୍ଷିଣ ଏସିଆ ପାଇଁ ଏକ ବାର୍ତ୍ତା ସାଜିଛି।
ବ୍ୟୁରୋ ରିପୋର୍ଟ ବି ଟିଭି

Leave a Reply

Your email address will not be published. Required fields are marked *