ବାସ୍ତବ ଦୁନିଆର ‘ମଦର ଇଣ୍ଡିଆ’
ଅଭାବ ଆଗରେ ହାରିଲା ମଣିଷପଣିଆ !
ବଳଦର ମୃତ୍ୟୁ ପରେ ନିଜେ ଯୁଆଳି କାନ୍ଧେଇଲେ ପତ୍ନୀ
କୁଆଡ଼େ ଗଲା ଗରିବ ଚାଷୀଙ୍କ ପାଇଁ ଥିବା ସରକାରୀ ଯୋଜନା ?
୧୯୫୭ ମସିହା… ରୂପେଲି ପରଦାରେ ଆସିଥିଲା ଫିଲ୍ମ ‘ମଦର ଇଣ୍ଡିଆ’। ବଳଦ ବଦଳରେ ଯୁଆଳି କାନ୍ଧେଇଥିଲେ ଅଭିନେତ୍ରୀ ନର୍ଗିସ ଦତ୍ତ। ଆଉ ସେହି ଗୋଟିଏ ଦୃଶ୍ୟ, ପୂରା ଦେଶର ଆଖିରେ ଲୁହ ଆଣିଦେଇଥିଲା। … କିନ୍ତୁ, ଆଜି ଆମେ ଆପଣଙ୍କୁ ଯେଉଁ ଦୃଶ୍ୟ ଦେଖାଇବାକୁ ଯାଉଛୁ, ତାହା କୌଣସି ସିନେମାର ସେଟ୍ ନୁହେଁ। ଏହା ହେଉଛି ସ୍ୱାଧୀନତାର ୭ ଦଶନ୍ଧି ପରେ ବି ବଞ୍ଚିଥିବା ଏକ ନିଷ୍ଠୁର ବାସ୍ତବତା!
ଟିକେ ଭଲଭାବେ ଦେଖନ୍ତୁ ଏହି ଦୃଶ୍ୟକୁ। ଗୋଟିଏ ପଟେ ଅବୋଲା ପଶୁ, ଆଉ ଅନ୍ୟ ପଟେ… ଜଣେ ରକ୍ତ ମାଂସର ମଣିଷ! ମହାରାଷ୍ଟ୍ର ଲାଟୁର ଜିଲ୍ଲାର ଏହି ଚାଷ ଜମିରେ ଆଜି ମଣିଷପଣିଆ, ଗରିବୀ ଆଗରେ ହାରିଯାଇଛି। ପରିବାରର ପେଟ ପୋଷୁଥିବା ଦୁଇଟି ବଳଦରୁ ଗୋଟିଏ ହଠାତ୍ ଆଖି ବୁଜିଦେଲା। ନୂଆ ବଳଦ କିଣିବାକୁ ପାଖରେ ଚିରା ନୋଟ୍ ଖଣ୍ଡେ ବି ନାହିଁ। କିନ୍ତୁ ଋତୁ ଅନୁସାରେ ଚାଷ ନକଲେ, ପୂରା ପରିବାର ଉପାସରେ ମରିବେ। ତେଣୁ ବାଧ୍ୟ ହୋଇ… ସ୍ୱାମୀ ଧରିଲେ ଲଙ୍ଗଳ, ଆଉ ସ୍ତ୍ରୀ ସାଜିଲେ ‘ବଳଦ’!
ଥକି ଗଲେ ଦୁହେଁ ନିଜ ଭିତରେ ସ୍ଥାନ ଅଦଳବଦଳ କରୁଛନ୍ତି। ଥରେ ସ୍ୱାମୀ ହଳିଆ ତ ଆଉ ଥରେ ସ୍ତ୍ରୀ। ଏ ଦୃଶ୍ୟ କେବଳ ଗୋଟିଏ ପରିବାରର ଦୁର୍ଦ୍ଦଶା ନୁହେଁ, ବରଂ ଆମ ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନଚିହ୍ନ! ସରକାରୀ ଯୋଜନା, କୃଷି ଋଣ, ଆଉ ଡିଜିଟାଲ୍ ଇଣ୍ଡିଆର ବଡ଼ ବଡ଼ ସ୍ଲୋଗାନ ଭିତରେ… କେଉଁଠି ହଜିଯାଇଛି ଏହି ଗରିବ ଚାଷୀର ଠିକଣା?
ଏହି ହୃଦୟଥରା ଦୃଶ୍ୟ ଦେଖିବା ପରେ ଆପଣଙ୍କ ମତ କଣ? କଣ ସତରେ ଆମ ଦେଶର ଚାଷୀର ଭାଗ୍ୟ ବଦଳିଛି? କମେଣ୍ଟ ବକ୍ସରେ ନିଜର ମତ ନିଶ୍ଚୟ ଜଣାନ୍ତୁ।
