RTI ତଥ୍ୟରୁ ଖୁଲସା , ବୁଲାବୁଲିରେ ସାରିଦେଲେ ଦେଢ଼ କୋଟି !ମହାନଦୀ ଟ୍ରିବ୍ୟୁନାଲ କମିଟି

ମାତ୍ର ୫ ଦିନର ଗସ୍ତ, ଖର୍ଚ୍ଚ ହେଲା ଦେଢ଼ କୋଟି !

RTI ରୁ ଖୋଲିଲା ମହାନଦୀ ଟ୍ରିବ୍ୟୁନାଲଙ୍କ ରାଜକୀୟ ଖର୍ଚ୍ଚର ଗୁମର !

କେବଳ ରହିବା-ଖାଇବାରେ ଉଡିଗଲା ୫୬ ଲକ୍ଷ !

ଇଭେଣ୍ଟ ମ୍ୟାନେଜମେଣ୍ଟ ନେଲା ୮୪ ଲକ୍ଷ, ହୋଟେଲ୍ ବିଲ୍ ୫୪ ଲକ୍ଷ

ପାଣି ପାଇଁ ରାଜ୍ୟ ରାଜ୍ୟ ଲଢେଇ, ଏପଟେ ପଞ୍ଚତାରକା ସୁବିଧା ଭୋଗୁଛନ୍ତି ଟ୍ରିବ୍ୟୁନାଲ୍ କମିଟି !

ମାତ୍ର ୫ ଦିନର ଗସ୍ତ… ଆଉ ଖର୍ଚ୍ଚ ଦେଢ଼ କୋଟି ଟଙ୍କା ! ଏହା କୌଣସି ଶିଳ୍ପପତି କିମ୍ବା ରାଜା ମହାରାଜାଙ୍କର ଗସ୍ତ ନୁହେଁ। ଏହା ହେଉଛି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ବହୁ ଚର୍ଚ୍ଚିତ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଗଠିତ ‘ମହାନଦୀ ଟ୍ରିବ୍ୟୁନାଲ କମିଟି’ର ବିଲ୍। ହଁ ଦର୍ଶକବନ୍ଧୁ… କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ବୁଲାବୁଲି ରେ ସାରିଦେଲେ ଦେଢ଼ କୋଟି ମହାନଦୀ ଟ୍ରିବ୍ୟୁନାଲ କମିଟି।

ଗତ ୨୦୨୬ ମସିହା ଫେବୃଆରୀ ୨୬ ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ ପରିଦର୍ଶନରେ ଆସିଥିଲେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟ । ବୁର୍ଲା ମୁଖ୍ୟ ଡ୍ୟାମ୍ ଡିଭିଜନର ପବ୍ଲିକ୍ ଇନଫରମେସନ୍ ଅଫିସର (PIO) ଙ୍କ ଦ୍ୱାରା ଦିଆଯାଇଥିବା ସରକାରୀ RTI ରିପୋର୍ଟରୁ ଏବେ ଏମିତି ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଏହି ୫ ଦିନିଆ ଗସ୍ତରେ ମୋଟ୍ ଖର୍ଚ୍ଚ ହୋଇଛି ୧ କୋଟି ୪୫ ଲକ୍ଷ ୫୫ ହଜାର ୪୮୦ ଟଙ୍କା !

ଖର୍ଚ୍ଚର ତାଲିକା ଶୁଣିଲେ ଆପଣ ବି ଆଶ୍ଚର୍ଯ ହୋଇଯିବେ । କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ଦାୟିତ୍ୱ ନେଇଥିବା ‘ଏମ୍.ଏମ୍. ଇଭେଣ୍ଟ ମ୍ୟାନେଜମେଣ୍ଟ’ କୁ ତିନୋଟି ପର୍ଯ୍ୟାୟରେ ଦିଆଯାଇଛି ପାଖାପାଖି ୮୪ ଲକ୍ଷ ଟଙ୍କା ! ସେହିପରି କମିଟିର ରହିବା ଏବଂ ଖାଇବା ବାବଦକୁ ‘ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ୍’ କୁ ମିଳିଛି ୫୩ ଲକ୍ଷ ୯୫ ହଜାରରୁ ଅଧିକ ଟଙ୍କା ଏବଂ ‘ହୋଟେଲ ଦି ଗ୍ରାଣ୍ଡ ଶିବା’ ନେଇଛି ୨ ଲକ୍ଷ ୧୭ ହଜାର ଟଙ୍କା । ଏତିକିରେ କଥା ସରିନି… କେବଳ ଯିବାଆସିବା ଓ ବୁଲାବୁଲି ପାଇଁ ଟ୍ରାଭେଲ୍ ଏଜେନ୍ସି ‘ସିଟୁ ଟ୍ରାଭେଲ୍ସ’ କୁ ଦିଆଯାଇଛି ୫ ଲକ୍ଷ ୩୧ ହଜାର ଟଙ୍କା ।

ବର୍ଷ ବର୍ଷ ଧରି ମହାନଦୀ ପାଣି ଟୋପାଏ ପାଇଁ ଓଡ଼ିଶାର ଚାଷୀ ହାହାକାର କରୁଛି, ଦୁଇ ରାଜ୍ୟ ଭିତରେ ଲଢେଇ ଜାରି ରହିଛି । ଅଥଚ, ସମାଧାନର ବାଟ ବାହାର କରିବାକୁ ଆସିଥିବା କମିଟି, ମାତ୍ର କିଛି ଦିନର ଗସ୍ତ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବା ଏବେ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଏବେ ସବୁଠୁ ବଡ଼ ପ୍ରଶ୍ନ, କଣ କେବଳ ପଞ୍ଚତାରକା ସୁବିଧା ଭୋଗିବା ପାଇଁ ଟ୍ରିବ୍ୟୁନାଲ କମିଟି ଗଠନ ହୋଇଛି? ଆଉ ରାଜକୋଷରୁ ଉଡିଯାଇଥିବା ଏହି ଦେଢ଼ କୋଟି ଟଙ୍କାର ହିସାବ କିଏ ଦେବ? ବ୍ୟୁରୋ ରିପୋର୍ଟ…

Leave a Reply

Your email address will not be published. Required fields are marked *