ବନ୍ୟା ପାଣିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ
ଫସି ରହିଛନ୍ତି ୧୬୦ ପରିବାର !
ବୁଡିଯାଇଛି ସମଗ୍ର ରାସ୍ତା |
ଯିବା ଆସିବା ପାଇଁ ଡଙ୍ଗା ପାଲଟିଛି ଏକମାତ୍ର ସାହାରା !
ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଦାବି
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ମହମ୍ମଦପୁର ଗାଁରୁ ଆସିଛି ଏକ ଦୁଃଖଦ ଚିତ୍ର। ଲଗାଣ ବର୍ଷା ଓ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଯୋଗୁଁ ଗତ ତିନି ମାସ ହେଲା ପ୍ରାୟ ୧୬0 ପରିବାର ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଗୁଡ଼ିକ ୩ ମାସ ହେଲା ପାଣି ତଳେ ବୁଡ଼ି ରହିଥିବାରୁ ଯାତାୟାତ ଠପ୍ ହୋଇଛି। ଲୋକେ ଘରୁ ବାହାରିବା ଏବଂ ସ୍ୱାସ୍ଥ୍ୟ ସମସ୍ୟା ବେଳେ ଡାକ୍ତରଖାନା ଯିବା ପାଇଁ ଏବେ କେବଳ କଦଳୀ ଭେଳା ଓ ତାଳ ଡଙ୍ଗା ଉପରେ ନିର୍ଭର କରୁଛନ୍ତି। ଅନେକ ପରିବାର ଘରୁ ବାହାରି ପାରୁନଥିବା ବେଳେ ଗାଁରେ ଥିବା ଦୁଇ ଶହରୁ ଅଧିକ ଗୃହପାଳିତ ପଶୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ସରକାରୀ ରିଲିଫ୍ ସାମଗ୍ରୀ ପର୍ଯ୍ୟାପ୍ତ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ବର୍ଷା ଦିନେ ଲୋକେ ଏହି ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି। ତେଣୁ କେବଳ ରିଲିଫ୍ ଉପରେ ନିର୍ଭର ନକରି ତୁରନ୍ତ ସ୍ଥାୟୀ ଜଳ ନିଷ୍କାସନ ଓ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି। ମାସ ମାସ ଧରି ପାଣି ଘେରରେ ଦୁର୍ବିସହ ଜୀବନ ବିତାଉଥିବା ଏହି ବିପନ୍ନ ପରିବାରଗୁଡ଼ିକ ପାଇଁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଜରୁରୀ। ପ୍ରଶାସନ ଏହାର ସ୍ଥାୟୀ ସମାଧାନ ନକଲେ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ସ୍ଥିତି ଆହୁରି ସଙ୍ଗିନ ହେବାର ଆଶଙ୍କା ରହିଛି।
