ମହାଦେବଙ୍କ ନାଁରେ ମହା ଘୋଟାଲା: ଠାକୁରଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ ଲୁଟ୍!
ସିଂହନାଥ ପୀଠରେ ୧୦ଟି ଏସି, ୧୨୦ଟି ଷ୍ଟ୍ରିଟ୍ ଲାଇଟ୍… ବାସ୍ତବରେ ବ୍ୟବହାର କରୁଛି କିଏ?
୧୧ ଲକ୍ଷରୁ ଅଧିକ ଟଙ୍କାର ବକେୟା ବିଲ୍, ଅନ୍ଧାରରେ ବାବା ସିଂହନାଥ!
ଆବେଦନ କଲେ ନିର୍ବାହୀ ଯନ୍ତ୍ରୀ, ଫସିଲେ ତହସିଲଦାର! କିଏ ଏହି ଖେଳର ମାଷ୍ଟରମାଇଣ୍ଡ?
ଆରଟିଆଇ (RTI) ତଥ୍ୟରୁ ସାଂଘାତିକ ଖୁଲାସା: ପ୍ରଶାସନ ଏବେ ବି ଚୁପ୍ କାହିଁକି?
ହିନ୍ଦୁତ୍ୱର ନାରା… ଆଉ ହିନ୍ଦୁ ଦେବଦେବୀଙ୍କ ପ୍ରତି ଚରମ ଅବହେଳା! ରାଜ୍ୟରେ ଏବେ ଠାକୁରଙ୍କ ନାଁରେ ଚାଲିଛି କି ବଡ଼ ଲୁଟ୍? ଯେଉଁ ବାବା ସିଂହନାଥଙ୍କ ଆଲୋକରେ ସାରା ଅଞ୍ଚଳ ଉଦଭାସିତ ହୁଏ, ସେହି ମହାଦେବ ଆଜି ଅନ୍ଧାରରେ। କାରଣ,ଠାକୁରଙ୍କ ନାଁରେ ହୋଇଛି ଏକ ସାଂଘାତିକ ବିଦ୍ୟୁତ ବିଲ୍ ଘୋଟାଲା।
ସୂଚନା ଅଧିକାର କର୍ମୀ ହୃଦାନନ୍ଦ କୋଦମସିଂହଙ୍କ ଆରଟିଆଇ (RTI) ତଥ୍ୟରୁ ଏକ ବଡ଼ ଖୁଲାସା ହୋଇଛି । ସିଂହନାଥ ମନ୍ଦିର ନାଁରେ ରହିଥିବା ଉପଭୋକ୍ତା ନମ୍ବର ୮୦୦୩୮୯୨୧୩୦୨ ରେ ଏକ ବଡ଼ ଧରଣର ବିଦ୍ୟୁତ୍ ସଂଯୋଗ ନିଆଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି କନେକ୍ସନ୍ ରେ ୨୧୫ ଟି ବଲ୍ବ, ୪୫ ଟି ଫ୍ୟାନ୍, ୧୨୦ ଟି ଷ୍ଟ୍ରିଟ୍ ଲାଇଟ୍ ଏବଂ ୧୦ ଟି ଏସି (AC) ଚାଲୁଥିବାର ରେକର୍ଡ ଦର୍ଶାଯାଇଛି! ପ୍ରଶ୍ନ ଉଠୁଛି, ମନ୍ଦିର ଭିତରେ ଏତେ ଗୁଡିଏ ଏସି ଆଉ ଷ୍ଟ୍ରିଟ୍ ଲାଇଟ୍ ବ୍ୟବହାର କରୁଛି କିଏ?
କେବଳ ଫେବୃଆରୀ ୨୦୨୬ ମାସରେ ୧୦,୦୧୩ ୟୁନିଟ୍ ବିଦ୍ୟୁତ ଖର୍ଚ୍ଚ ହୋଇଛି । ଆଉ ଏହିପରି ପ୍ରତି ମାସ ହଜାର ହଜାରୟୁନିଟ୍ ଉଠି ମୋଟ ବକେୟା ବିଲ୍ ପହଞ୍ଚିଛି ୧୧ ଲକ୍ଷ ୨୨ ହଜାର ୨୨୯ ଟଙ୍କାରେ! ବିଲ୍ ପୈଠ ନହେବାରୁ ୧୪ ନଭେମ୍ବର ୨୦୨୫ ରୁ ଟିପିସିଓଡିଏଲ୍ (TPCODL) ଲାଇନ୍ କାଟି ଦେଇଛି । ଫଳରେ ଅନ୍ଧାରରେ ଅଛନ୍ତି ସିଂହନାଥ। ବାବାଙ୍କର ୨୨ ବାଟି ସମ୍ପତ୍ତି ଥାଇ ମଧ୍ୟ ଏହି ବିଲ୍ କାହିଁକି ଦିଆଗଲା ନାହିଁ?
ସବୁଠୁ ବଡ଼ ସସପେନ୍ସ ହେଉଛି ଏହି କନେକ୍ସନ୍ ପାଇଁ ଆବେଦନ କିଏ କରିଥିଲା? କାଗଜପତ୍ର କହୁଛି, ଚାରବାଟିଆ ଜି.ଇ ସବ୍-ଡିଭିଜନ୍ ର ନିର୍ବାହୀ ଯନ୍ତ୍ରୀ ଏଥିପାଇଁ ଆବେଦନ କରିଥିଲେ । କିନ୍ତୁ ବିଲ୍ ଆସୁଛି ମନ୍ଦିରର ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା ତହସିଲଦାର ବଡମ୍ବାଙ୍କ ନାଁରେ! ଯଦି ତହସିଲଦାର ଆବେଦନ କରିନାହାନ୍ତି, ତେବେ ଏହା ପଛର ମାଷ୍ଟରମାଇଣ୍ଡ କିଏ? ମନ୍ଦିର ନାଁରେ ବିଦ୍ୟୁତ ନେଇ ଫାଇଦା ଉଠାଉଛି କିଏ?
ସରକାର ଏହି ମହା ଘୋଟାଲାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଧରିବେ ନା ଦେବଦେବୀଙ୍କୁ ଏମିତି ଅନ୍ଧାରରେ ରଖି ନିରବଦ୍ରଷ୍ଟା ସାଜିବେ? ଆପଣଙ୍କ ମତାମତ କଣ, କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।
