ସାବଧାନ ! ଘର ଭିତରେ ଲୁଚିଛି ମୃତ୍ୟୁ
ଖରାକୁ ନ ଗଲେ ବି ହୋଇପାରେ ଅଂଶୁଘାତ !
ବିଶେଷଜ୍ଞଙ୍କ ବଡ଼ ଚେତାବନୀ!
ବନ୍ଦ ଘର ଏବେ ପାଲଟୁଛି ‘ଗ୍ୟାସ୍ ଚ୍ୟାମ୍ବର’
ଡରାଉଛି ରିପୋର୍ଟ; ସହରାଞ୍ଚଳ ୧୭ % ଗ୍ରାମାଞ୍ଚଳରେ ୧ % ଲୋକଙ୍କ ପାଖରେ ଅଛି ଏସି
ଜଣାନ୍ତୁ କିପରି ବର୍ତ୍ତିବେ ଏ ବିପଦରୁ..
ଆପଣ ଭାବୁଛନ୍ତି କି, ବାହାରେ ଅସମ୍ଭାଳ ତାତି, ହେଲେ ଘର ଭିତରେ ରହିଗଲେ ଆମେ ପୂରା ସୁରକ୍ଷିତ? କବାଟ ଝରକା ବନ୍ଦ କରିଦେଲେ ଆଉ ଅଂଶୁଘାତର ଭୟ ନାହିଁ? ଯଦି ଆପଣଙ୍କର ବି ଏମିତି କିଛି ଧାରଣା ଅଛି… ତେବେ ସାବଧାନ ହୋଇଯାଆନ୍ତୁ! କାରଣ ଏବେ ଆପଣଙ୍କ ନିଜ ଘରର ଚାରି କାନ୍ଥ ଭିତରେ ବି ଛପି ରହିଛି ଏକ ଅଦୃଶ୍ୟ ବିପଦ। ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଇଛନ୍ତି ଏକ ଭୟଙ୍କର ଚେତାବନୀ… ଘର ଭିତରେ ବି ହୋଇପାରେ ଅଂଶୁଘାତ!
ବାହାରର ତାତିରୁ ବର୍ତ୍ତିବା ପାଇଁ ଆମେ ଘରର କବାଟ ଝରକା ବନ୍ଦ କରିଦେଉଛୁ ସତ, କିନ୍ତୁ ଭେଣ୍ଟିଲେସନ୍ ବା ବାୟୁ ଚଳାଚଳ ନହେବା କାରଣରୁ ଘର ଭିତରର ତାପମାତ୍ରା ଭୟଙ୍କର ଭାବେ ବଢିଯାଉଛି। ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀଙ୍କ ମତରେ ଏହା ଏକ ପ୍ରକାର ‘ୱେଟ୍ ବଲ୍ବ ଟେମ୍ପରେଚର୍’ ସ୍ଥିତି ସୃଷ୍ଟି କରୁଛି। ଫଳରେ ବନ୍ଦ ଘର ଏକ ଉତ୍ତପ୍ତ ଚୁଲା ପାଲଟି ଯାଉଛି।
ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ସୂଚନା ଅନୁସାରେ, ଯଦି ପରିବେଶର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହେ, ତେବେ ଆମ ଶରୀର ସେହି ଉତ୍ତାପକୁ ଶୋଷିବା ଆରମ୍ଭ କରେ। ରକ୍ତଚାପ କମିଯାଏ, ଡିହାଇଡ୍ରେସନ୍ ହୁଏ ଆଉ ତା’ପରେ ଆସେ ମଲ୍ଟିପଲ୍ ଅର୍ଗାନ ଫେଲିଓରର ଆଶଙ୍କା! ବିଶେଷ କରି ୫ ବର୍ଷରୁ କମ୍ ଶିଶୁ ଏବଂ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହା ଅତି ବିପଜ୍ଜନକ।
ଏବେ ଆସନ୍ତୁ ନଜର ପକାଇବା ଏକ କଡ଼ା ସତ୍ୟ ଉପରେ। ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି, ରାଜ୍ୟର ଗ୍ରାମାଞ୍ଚଳରେ ମାତ୍ର ୦.୫% ଏବଂ ସହରାଞ୍ଚଳରେ କେବଳ ୧୭% ଲୋକଙ୍କ ପାଖରେ ହିଁ ଏସି (AC) ଅଛି। ତାହେଲେ ବାକି ଲୋକଙ୍କ ଅବସ୍ଥା କଣ ହେଉଥିବ?
ତେଣୁ, କେବଳ ଖରାରୁ ବର୍ତ୍ତିବା ନୁହେଁ, ଘର ଭିତରେ ବି ନିଜକୁ ହାଇଡ୍ରେଟେଡ୍ ରଖନ୍ତୁ। ଘରେ ପର୍ଯ୍ୟାପ୍ତ ବାୟୁ ଚଳାଚଳର ବ୍ୟବସ୍ଥା କରନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ। କାରଣ ଏଥର ତାତି… ଘର ଭିତରେ ବି ଆପଣଙ୍କୁ ଛାଡିବନି! ସତର୍କ ରହନ୍ତୁ, ସୁରକ୍ଷିତ ରହନ୍ତୁ।
