ଲୋକଙ୍କ କଥା ଶୁଣିବାକୁ ଏଠି କେହି ନାହିଁ
କଠିନ ପରିସ୍ଥିତି ଦେଇ ଗତି କରୁଛି ଓଡ଼ିଶା
ଖଣି ଉପରୁ ଅଧିକାର ହରାଇଲା ଓଡ଼ିଶା
ପିଲାଙ୍କୁ ବହି ନାହିଁ, ବୁଢ଼ାବୁଢ଼ୀଙ୍କୁ ଭତ୍ତା ନାହିଁ
ସାମ୍ବିଧାନିକ ଅଧିକାର ଛଡ଼ାଇ ନେଉଛନ୍ତି ସରକାର
ବିଜେପି ସରକାର ଉପରେ ବର୍ଷିଲେ ନବୀନ-ସୁଜାତା !
ତତଲା କାଡେଇଲେ ଭଜୀ ହେଉଛି ରାଜ୍ୟ ରାଜନୀତି । ବିରୋଧୀ ଆସନରେ ବସିବା ପରେ ସରକାରଙ୍କ ଉପରେ ସିଧାସଳଖ ଏବଂ ଜୋରଦାର ଆକ୍ରମଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ଶାସକ ଦଳର ବିଫଳତାକୁ ଟାର୍ଗେଟ୍ କରି ନବୀନ ସିଧା ସିଧା କହିଛନ୍ତି- ‘ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି, ଆଉ ଲୋକଙ୍କ କଥା ଶୁଣିବାକୁ ଏଠି କେହି ନାହିଁ’।
ସରକାରଙ୍କ ଉପରେ ବର୍ଷି ନବୀନ ଅଭିଯୋଗ କରିଛନ୍ତି ଯେ, ସ୍କୁଲ ପିଲାଙ୍କ ପାଖରେ ଏବେ ବହି ନାହିଁ କି ବୁଢ଼ାବୁଢ଼ୀଙ୍କ ପାଇଁ ଭତ୍ତା ନାହିଁ। ଚାଷୀକୂଳ ଓ ମାଆମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟରେ ଆଇନଶୃଙ୍ଖଳା ବୋଲି ଆଉ କିଛି ନାହିଁ।
ଏହି ନୂଆ ସରକାର ‘କୁପରିଚାଳନା’ରେ ସ୍ପେସିଆଲିଜେସନ୍ କରିଛି ବୋଲି କଟାକ୍ଷ କରିଛନ୍ତି ନବୀନ। ରଥଯାତ୍ରା ଠାରୁ ଆରମ୍ଭ କରି ବନ୍ୟା ରିଲିଫ୍ ବଣ୍ଟନ ଓ ପରୀକ୍ଷା ପରିଚାଳନା… ସବୁଥିରେ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ରାଜ୍ୟର ଅର୍ଥନୀତିକୁ ନେଇ ମଧ୍ୟ ବିରୋଧୀ ଦଳ ଚିନ୍ତା ପ୍ରକଟ କରିଛି। ନବୀନ କହିଛନ୍ତି, ରାଜ୍ୟରେ ରାଜସ୍ୱ କମୁଛି, କିଛି କାମ ହେଉନି, ବଜେଟ୍ ଖର୍ଚ୍ଚ ହେଉନି ଏବଂ ରାଜ୍ୟ ଉପରେ କେବଳ ଋଣଭାର ବଢ଼ିଚାଲିଛି। ସବୁଠାରୁ ସଙ୍ଗୀନ ଅଭିଯୋଗ ହେଲା, ଆମ ଖଣି ଉପରେ ଆମର ଅଧିକାର ଆଉ ନାହିଁ। ରାଜ୍ୟ ସରକାର ଓ ୨୦ ଜଣ ସାଂସଦ ଲୋକଙ୍କ ସ୍ୱାର୍ଥ ପାଇଁ ଚୁପ୍ ବସିଛନ୍ତି, ହେଲେ ଖଣି ମାଲିକଙ୍କ ପାଇଁ କହିବାକୁ ସେମାନେ ସବୁବେଳେ ପ୍ରସ୍ତୁତ।
ସେପଟେ ଏହି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ବିଜେଡି ନେତ୍ରୀ ସୁଜାତା ରାଉତ ପାଣ୍ଡିଆନ୍ ମଧ୍ୟ ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା କେବେ ବି ଏଭଳି ସଙ୍କଟର ସମ୍ମୁଖୀନ ହୋଇନଥିଲା। ମାଆ, ମାଟି ଓ ମାତୃଭୂମି ପ୍ରତି ଏ ସରକାର ଅନ୍ୟାୟ କରୁଛି ଏବଂ ଲୋକଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ଲଢେଇ କରିବାକୁ ଆହ୍ୱାନ ଦେଇ ବିଶେଷ କରି ଯୁବପିଢ଼ି ବା ‘ଜେନ୍-ଜି’ (Gen-Z) ଏହି ପଦଯାତ୍ରାରେ ସାମିଲ ହୋଇ ଓଡ଼ିଶାର ସ୍ୱରକୁ ଉଠାଇବାକୁ ସେ ନିବେଦନ କରିଛନ୍ତି।
ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଚାଲିବ ବିଜେଡିର ଏହି ଜନସମ୍ପର୍କ ଅଭିଯାନ। ଏହି ପଦଯାତ୍ରା ମାଧ୍ୟମରେ ସରକାରଙ୍କ ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ବିରୋଧୀ ବିଜେଡି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେବେ ଦେଖିବାକୁ ବାକି ରହିଲା, ବିରୋଧୀଙ୍କ ଏହି ଶାଣିତ ଆକ୍ରମଣର କି ଜବାବ ରଖୁଛନ୍ତି ରାଜ୍ୟ ସରକାର।
