ପୁରୀରେ ପୁଣି ସିଲ୍ ହେଲା ବେଆଇନ ଖଜା ଭାଟି !
ନଷ୍ଟ ହେଲା ପ୍ରାୟ ୧୫ କ୍ୱିଣ୍ଟାଲ୍ ଖଜା।
ଭକ୍ତଙ୍କ ସ୍ୱାସ୍ଥ୍ୟ ସହ ଖେଳ।
୫ଟି ବେଆଇନ ଭାଟି ବି ସିଲ୍।
ପୁରୀ: ମହାପ୍ରଭୁଙ୍କ ପ୍ରିୟ ଖଜାକୁ ନେଇ କିଛି ଅସାଧୁ ବ୍ୟବସାୟୀଙ୍କ ମନମୁଖୀ କାରବାର ଉପରେ ଏବେ ପ୍ରଶାସନର କଡ଼ା ନଜର।ଅତ୍ୟନ୍ତ ଅପରିଷ୍କାର ଏବଂ ଅସ୍ୱଚ୍ଛ ପରିବେଶରେ ପ୍ରସ୍ତୁତ ହେଉଥିଲା ଖଜା। ବିନା ଲାଇସେନ୍ସରେ ଚାଲିଥିଲା ଏହି ବେଆଇନ ବେପାର। ଶ୍ରଦ୍ଧାଳୁଙ୍କ ଭାବାବେଗ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ୧୩ ଦିନ ଭିତରେ ଏହା ହେଉଛି ଦ୍ୱିତୀୟ ବଡ଼ ଚଢ଼ାଉ। ଏହି ଅଚାନକ ଚଢ଼ାଉ ବେଳେ ପ୍ରାୟ ୧୫ କ୍ୱିଣ୍ଟାଲରୁ ଅଧିକ ଖରାପ ମାନର ଖଜାକୁ ଜବତ କରି ନଷ୍ଟ କରାଯାଇଛି।କେବଳ ସେତିକି ନୁହେଁ, ନିୟମ ଉଲ୍ଲଂଘନ କରୁଥିବା ୫ଟି ବେଆଇନ ଖଜା ଭାଟିକୁ ପ୍ରଶାସନ ପକ୍ଷରୁ ସିଲ୍ ମଧ୍ୟ କରାଯାଇଛି। ଲୋକଙ୍କୁ ସ୍ୱଚ୍ଛ ଏବଂ ସୁରକ୍ଷିତ ଖଜା ଯୋଗାଇଦେବା ପାଇଁ ଏହି ସକାରାତ୍ମକ ପଦକ୍ଷେପ ନିଆଯାଇଛି।ଭକ୍ତମାନଙ୍କ ବିଶ୍ୱାସ ଏବଂ ସୁରକ୍ଷା ସହ ଯେପରି କେହି ଖେଳ ନ ଖେଳନ୍ତି, ସେଥିପାଇଁ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ଏକ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆଶା କରାଯାଉଛି ଆଗକୁ ମଧ୍ୟ ଏଭଳି ସଚେତନତା ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ଯାହା ଦ୍ୱାରା ଶ୍ରଦ୍ଧାଳୁମାନେ ସର୍ବଦା ଶୁଦ୍ଧ ଖାଦ୍ୟ ପାଇପାରିବେ।
