\n\n\n\n\n\n\n

ଇସ୍ପାତ ସହରରେ ନିଯୁକ୍ତି ସଙ୍କଟ: ରୋଜଗାର ଅପେକ୍ଷାରେ ଯୁବପିଢ଼ି

ଶିଳ୍ପାଞ୍ଚଳରେ ରୋଜଗାର ଅଭାବ!
କାରଖାନା ବଢ଼ିଲା, କାମ କାହିଁ?
ବିପୁଳ ପୁଞ୍ଜିନିବେଶ,ବଡ଼ ବଡ଼ କାରଖାନା।
ତଥାପି ବେକାରୀ ସମସ୍ୟା,ଯୁବପିଢ଼ିଙ୍କ ହାତ ଖାଲି।
ଯୁବପିଢ଼ି ଖୋଜୁଛନ୍ତି ନିଜ ହକ୍!

ଯାଜପୁର : ଏସିଆର ଇସ୍ପାତ ରାଜଧାନୀ ଭାବେ ପରିଚିତ ଯାଜପୁର ଜିଲ୍ଲାର କଳିଙ୍ଗନଗର। ହଜାର ହଜାର ଏକର ଜମିରେ ଗଢ଼ି ଉଠିଛି ବଡ଼ ବଡ଼ ଶିଳ୍ପ କାରଖାନା। ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ବି ହୋଇଛି। ହେଲେ ଏତେ ସବୁ ପରେ ବି ଏଠାରେ ଯୁବକମାନେ କାମ ପାଇଁ ଡହଳବିକଳ ହେଉଛନ୍ତି।ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା ଏନଏସଓ ରିପୋର୍ଟର ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ତଥ୍ୟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଶିଳ୍ପ ସମୃଦ୍ଧ ଯାଜପୁରରେ ବେକାରି ହାର ସର୍ବାଧିକ ରହିଛି। ଅନ୍ୟପଟେ ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ମାତ୍ର ୫୦ ପ୍ରତିଶତକୁ ଖସି ଆସିଛି।ଯେଉଁ ମାଟି ପାଇଁ ହଜାର ହଜାର ପରିବାର ନିଜ ଭିଟାମାଟି ଓ ଚାଷଜମି ହରାଇ ବିସ୍ଥାପିତ ହେଲେ, ସେମାନଙ୍କୁ ସ୍ଥାନୀୟ ଶିଳ୍ପରେ ଆଶାନୁରୂପ ନିଯୁକ୍ତି ମିଳିପାରି ନାହିଁ। ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଯୋଗ୍ୟ ସ୍ଥାନୀୟ ଯୁବପିଢ଼ି କାମ ନପାଇ ବୁଲୁଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିୟମ ଅନୁସାରେ ବିସ୍ଥାପନ ନୀତି ଏବଂ ସିଏସଆର କାର୍ଯ୍ୟକ୍ରମ ସଠିକ୍ ଭାବେ ଲାଗୁ ନହେବାରୁ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରୁନି। ଶିଳ୍ପାୟନର ପ୍ରକୃତ ଲାଭ କାହା ପାଖକୁ ଯାଉଛି, ତାହାକୁ ନେଇ ଏବେ ଗାଁଠୁ ସହର ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସାଧାରଣ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ନଆସିବା ଏବଂ ବିକାଶର ସୁଫଳ ତୃଣମୂଳ ସ୍ତରରେ ନପହଞ୍ଚିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ନିଜ ହକ୍ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ସରକାର ଓ ଶିଳ୍ପ ସଂସ୍ଥା ଏଦିଗରେ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର୍ ଧରିଛି।ଶିଳ୍ପାୟନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଅଞ୍ଚଳର ବିକାଶ ଏବଂ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା। ଯଦି କୋଟି କୋଟି ଟଙ୍କା ବିନିଯୋଗ ପରେ ବି ଯୁବପିଢ଼ି କାମ ନପାଇବେ, ତେବେ ଏଭଳି ବିକାଶ ର ମଡେଲ୍ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ।