ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବଡ଼ ସମସ୍ୟା।
ସ୍ୱାସ୍ଥ୍ୟସେବାରେ ପ୍ରଶାସନିକ ଅବହେଳା
ଭିତ୍ତିଭୂମି ଅଭାବରୁ ବଢ଼ୁଛି ଅସନ୍ତୋଷ।
ସାଧାରଣ ଲୋକେ ହେଉଛନ୍ତି ହଇରାଣ।
କେବେ ମିଳିବ ଉପଯୁକ୍ତ ସେବା ?
ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୌଳିକ ସୁବିଧାର ଘୋର ଅଭାବ ଦେଖାଦେଇଛି। ଏଠାରେ ଜରୁରୀ ଭିତ୍ତିଭୂମି ବା ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପାଖାପାଖି ୩୬ ଟି ପଞ୍ଚାୟତର ଲୋକମାନେ ଚିକିତ୍ସା ସେବା ପାଇଁ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। ମାତ୍ର ଅନେକ ସମୟରେ ଆବଶ୍ୟକ ଡାକ୍ତର ଓ ଉପଯୁକ୍ତ ସେବା ନମିଳିବାରୁ ଗ୍ରାମାଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ପରିସ୍ଥିତି କିମ୍ବା କୌଣସି ଅପ୍ରତ୍ୟାଶିତ ଦୁର୍ଘଟଣା ସମୟରେ ଆବଶ୍ୟକ ପରୀକ୍ଷା ନିରୀକ୍ଷା ପାଇଁ ଲୋକଙ୍କୁ ପ୍ରାୟ ୧୩ କିଲୋମିଟର ଦୂର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ଫଳରେ ସମୟ ଅପଚୟ ସହ ପରିବାର ଲୋକଙ୍କ ହଇରାଣ ହରକତ ବୃଦ୍ଧି ପାଉଛି। ପୂର୍ବରୁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ନିର୍ମାଣ ପାଇଁ ଆବେଦନ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅନ୍ୟପଟେ ନିକଟସ୍ଥ ଅନ୍ୟ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁମତି ମିଳିସାରିଥିବା ବେଳେ ଶରଣକୁଳ ପ୍ରତି ଏପରି ଅବହେଳା କାହିଁକି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।ସ୍ଥାନୀୟ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ଏବଂ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏଠାରେ ସମସ୍ତ ଭିତ୍ତିଭୂମିର ସମାଧାନ କରିବା ଜରୁରୀ ହୋଇପଡ଼ିଛି।
