\n\n\n\n\n\n\n

ଭୁବନେଶ୍ୱର ଭୂତଳ ରାସ୍ତାରେ ଜଳବନ୍ଦୀ ସମସ୍ୟା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ଓ ଜନସାଧାରଣ ଅସନ୍ତୁଷ୍ଟ

ଭୂତଳ ରାସ୍ତାରେ ଜମିଛି ପାଣି
ବଢ଼ୁଛି ଯାତ୍ରୀଙ୍କ ଦୁର୍ଦ୍ଦଶା।
ବର୍ଷ ବର୍ଷର ଦୁର୍ଦ୍ଦଶା ଅଟକିଗଲା ଯାତାୟାତ।
କେବେ ମିଳିବ ସ୍ଥାୟୀ ସମାଧାନ?

ଉତ୍ତରଭୁବନେଶ୍ୱର: ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ନିକଟରେ ଥିବା ଭୂତଳ ରାସ୍ତା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ଷା ହେଉ ବା ନହେଉ, ଡ୍ରେନ୍ ଓ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଏଠାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଯାହାଫଳରେ ଭିଏସଏସ ନଗର, ଡାକ କଲୋନୀ, ପଥରବନ୍ଧ, ଗାଡ଼କଣ, ରଙ୍ଗମାଟିଆ ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଆଦି ବହୁ ଅଞ୍ଚଳର ଲୋକେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରାସ୍ତାରେ ଅତ୍ୟଧିକ ପାଣି ଜମି ରହିବା କାରଣରୁ ଦୁଇଚକିଆ ଯାନ ବୁଡ଼ିଯିବା ସହ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବାଧ୍ୟହୋଇ ଲୋକଙ୍କୁ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ବୁଲି ଯିବାକୁ ପଡ଼ୁଛି ଅବା ରସୁଲଗଡ଼ ଗୋଲେଇ ଛକ ଦେଇ ଅନେକ ସମସ୍ୟା ଭୋଗିବାକୁ ପଡ଼ୁଛି।ଦୀର୍ଘ ୧୨ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ଭୂତଳ ରାସ୍ତା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ବାଣୀବିହାର ଛକରେ ଓଭରବ୍ରିଜ୍ ନିର୍ମାଣ ପରେ ଏହି ରାସ୍ତା ଦେଇ ଯିବା ଆସିବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଏକ ବିରାଟ ପାଇପ୍ ଲାଇନ୍ ଯୋଗୁଁ ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଟକି ରହିଛି।ଗତ ମାସମାନଙ୍କରେ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅନେକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ। ପ୍ରଥମେ ସଠିକ୍ ଜଳ ନିଷ୍କାସନର ବ୍ୟବସ୍ଥା କରି ତୁରନ୍ତ ରାସ୍ତା ନିର୍ମାଣ ଶେଷ କରିବାକୁ ସ୍ଥାନୀୟ ଲୋକେ ଜୋରଦାର ଦାବି କରିଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ସହ ଅଧାପନ୍ତରିଆ ଭୂତଳ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ଯାଇ ସାଧାରଣ ଲୋକଙ୍କୁ ଏହି ଦୈନନ୍ଦିନ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ।