ଅଟକି ରହିଛି ପ୍ରକଳ୍ପ କାର୍ଯ୍ୟ।
ମିଳିପାରୁନି ଜଙ୍ଗଲ ବିଭାଗ ଅନୁମତି।
ଜମି ଅଧିଗ୍ରହଣରେ ବଡ଼ ବିଳମ୍ବ।
ଆଗେଇ ପାରୁନି ନିର୍ମାଣ କାମ!
କେବେ ସରିବ ବୃହତ ପ୍ରକଳ୍ପ?
ପୁରୀ: ରାଜ୍ୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ କାର୍ଯ୍ୟରେ ଏବେ ବଡ଼ ବାଧା ସୃଷ୍ଟି ହୋଇଛି। ଆବଶ୍ୟକ ଜଙ୍ଗଲ ଅନୁମତି ନ ମିଳିବା କାରଣରୁ ନିର୍ମାଣ କାମ ଆରମ୍ଭ ହୋଇପାରୁ ନାହିଁ। ଏହା ସହିତ ଜମି ଅଧିଗ୍ରହଣ ଏବଂ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ନ ଥିବାରୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ ହେବା ନେଇ ଆଶଙ୍କା ଦେଖାଦେଇଛି। ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରଠାରୁ ଆରମ୍ଭ ହୋଇ ପୁରୀ ଓ କୋଣାର୍କ ଦେଇ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ଏହି ପ୍ରାୟ ୧୬୦ କିଲୋମିଟର ଦୀର୍ଘ ରାଜପଥ ନିର୍ମାଣ ପାଇଁ ଯୋଜନା ରହିଛି। ଏଥିପାଇଁ କେନ୍ଦ୍ରୀୟ ଅର୍ଥନୈତିକ ବ୍ୟାପାର କମିଟି ପ୍ରାୟ ୮୩୦୦ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪ ଲେନ୍ ଏବଂ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୨ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ୧୭ ଟି ଠିକାଦାର ସଂସ୍ଥା ଆବେଦନ କରିଛନ୍ତି।ପ୍ରସ୍ତାବିତ ଏହି ଉପକୂଳ ରାଜପଥ ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଓ ଅସ୍ତରଙ୍ଗ ବନ୍ଦର ଦେଇ ପାରାଦୀପକୁ ସିଧାସଳଖ ସଂଯୋଗ କରିବ। ଏହି ରାସ୍ତା କାର୍ଯ୍ୟକ୍ଷମ ହେଲେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯୋଗାଯୋଗ ଅତ୍ୟନ୍ତ ସୁଗମ ହୋଇପାରିବ ଏବଂ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗାଡ଼ି ଚଳାଚଳ କରିପାରିବ। ପର୍ଯ୍ୟଟନ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।କିନ୍ତୁ ଏହି ରାଜପଥର ଏକ ବଡ଼ ଅଂଶ ରାଜନଗର ହେନ୍ତାଳବଣ ଓ ବାଲୁଖଣ୍ଡ ଅଭୟାରଣ୍ୟ ଭିତର ଦେଇ ଯାଉଥିବାରୁ ଉପକୂଳ ନିୟନ୍ତ୍ରଣ ପରିଚାଳନା ପ୍ରାଧିକରଣ ତଥା ପରିବେଶ ମନ୍ତ୍ରଣାଳୟର ଅନୁମତି ଅପେକ୍ଷାରେ ରହିଛି। ଏଥିସହିତ ପ୍ରକଳ୍ପ ନିର୍ମାଣ ସ୍ଥଳରେ ଥିବା ପ୍ରାୟ୧୩୧ ଅଧିକ ଗଛକୁ ସୁରକ୍ଷିତ ରଖିବା ପାଇଁ ବାଇପାସ୍ ନିର୍ମାଣର ପ୍ରସ୍ତାବ ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରସ୍ତୁତ ଚୂଡ଼ାନ୍ତ ବିକାଶ ଯୋଜନାକୁ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଅନୁମୋଦନ ଦେଇସାରିଛି। କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରୁ ଚୂଡ଼ାନ୍ତ ଅନୁମତି ମିଳିବା ପରେ ତୁରନ୍ତ ଟେଣ୍ଡର ଚୂଡ଼ାନ୍ତ କରାଯାଇ ରାଜପଥ ନିର୍ମାଣ କାର୍ଯ୍ୟ ଜୋରଦାର ଆରମ୍ଭ କରାଯିବ। ସମଗ୍ର ଉପକୂଳ ଓଡ଼ିଶାର ଭାଗ୍ୟ ବଦଳାଇବାକୁ ଥିବା ଏହି ମେଗା ରାଜପଥ ପ୍ରକଳ୍ପ ଏବେ ପ୍ରଶାସନିକ ତଥା ପରିବେଶ ମଞ୍ଜୁରୀକୁ ଅପେକ୍ଷା କରିଛି। ସମସ୍ତ ଅନୁମତି ସମୟୋଚିତ ଭାବେ ମିଳିଲେ ହିଁ ଧାର୍ଯ୍ୟ ସମୟ ମଧ୍ୟରେ ଏହି ଯୋଗାଯୋଗ ସ୍ୱପ୍ନ ସାକାର ହୋଇପାରିବ।
