\n\n\n\n\n\n\n

ଅସମ୍ପୂର୍ଣ୍ଣ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ବଢ଼ାଇଲା ଚିନ୍ତା

ଅଧାରେ ରହିଲା ମରାମତି କାମ।
ପାଣି ପାଇଁ ଡହଳ ବିକଳ।
ଦୁଃଖରେ ଦିନ କାଟୁଛନ୍ତି ଚାଷୀ।
କେବେ ସରିବ ପ୍ରକଳ୍ପ କାମ?
ବାଲେଶ୍ୱର: ରାଇବଣିଆ ଅଞ୍ଚଳର ଗହିରାଖାଲ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ଅନେକ ପଞ୍ଚାୟତର ଚାଷୀ ନିର୍ଭର କରନ୍ତି। ଏବେ ଏହି ପ୍ରକଳ୍ପର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ୧୯୬୦ ମସିହା ପୂର୍ବରୁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପର ମରାମତି ପାଇଁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ଠିକାଦାର କାମ ଅଧାରୁ ଛାଡି ପଳାଇଯାଇଥିବା ଅଭିଯୋଗ ହୋଇଛି। କାମ ଅସମ୍ପୂର୍ଣ୍ଣ ଥିବାରୁ ଚାଷୀମାନେ ନିଜ ଜମିକୁ ଠିକ୍ ଭାବେ ପାଣି ନେଇପାରୁ ନାହାନ୍ତି। ଏହାସହ ଯାତାୟାତର ସୁବିଧା ପାଇଁ ଏକ ପୋଲ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି। ଏହି ସମସ୍ୟା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ, ବିଭାଗୀୟ ଯନ୍ତ୍ରୀ ଖୁବ୍ ଶୀଘ୍ର ମରାମତି କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜଳସେଚନ ବ୍ୟବସ୍ଥା ଠିକ୍ ନଥିବାରୁ ଏବଂ କାମ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଚାଷ କାମ ବାଧାପ୍ରାପ୍ତ ହେଉଛି। ତେଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଅସମ୍ପୂର୍ଣ୍ଣ କାମକୁ ଶେଷ କଲେ, ଆଖପାଖ ଅଞ୍ଚଳର ଶହ ଶହ ଚାଷୀ ଉପକୃତ ହୋଇପାରିବେ।