ପ୍ରଶ୍ନ ପତ୍ର ଡ଼ିଲରେ ୩୦ ଲକ୍ଷ ଟଙ୍କା କେମିତି ଯାଇଥିଲା ?
କେମିତି କମ୍ପାନୀ ନେଉଥିଲେ ଏହି ଟଙ୍କା ?
ପରୀକ୍ଷା ଦାୟିତ୍ୱ ନେଇଥିବା କମ୍ପାନୀ ମାନଙ୍କ ରହସ୍ୟ ଖୋଲୁଛି
SI ପରୀକ୍ଷା କେଳେଙ୍କାରୀର ନୂଆ ଖୁଲାସା!
ED ରେଡ୍ ରୁ ଆସିଲା ସାଙ୍ଘାତିକ ତଥ୍ୟ !
ଗୋଟିଏ ପଟେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପରିଶ୍ରମ କରୁଥିବା ଯୁବକଯୁବତୀ… ଆଉ ଅନ୍ୟ ପଟେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ଡିଲ୍ ଅଭିଯୋଗ! ଓଡ଼ିଶା ପୋଲିସ୍ SI ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା ନେଇଛି ଏବେ ନୂଆ ମୋଡ଼। ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ—EDର ଚଢ଼ାଉ ପରେ ସାମ୍ନାକୁ ଆସିଛି ନୂଆ କମ୍ପାନୀ ଲିଙ୍କ୍, ଆର୍ଥିକ କାରବାର ଏବଂ ସଂଗଠିତ ନେଟୱର୍କକୁ ନେଇ ସନ୍ଦେହ।
ଓଡ଼ିଶା ଏବଂ ପଶ୍ଚିମବଙ୍ଗର ୧୨ଟି ସ୍ଥାନରେ ଚଢ଼ାଉ। ଜବତ ହୋଇଛି ଦସ୍ତାବିଜ୍, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ଆର୍ଥିକ ରେକର୍ଡ।କିନ୍ତୁ ପ୍ରଶ୍ନ ହେଉଛି— ପରୀକ୍ଷା ପରିଚାଳନାର ଦାୟିତ୍ୱରେ ଥିବା ବ୍ୟବସ୍ଥା ଭିତରେ କେମିତି ପହଞ୍ଚିଲା ଏହି ଷଡ଼ଯନ୍ତ୍ରର ସନ୍ଦେହ?
ଘଟଣାର ମୂଳ ୨୦୨୫ ସେପ୍ଟେମ୍ବର ୩୦ ତାରିଖ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଇଚ୍ଛାପୁରମ୍ ନିକଟରେ ଅଟକାଯାଇଥିଲା ତିନୋଟି ବସ୍। ସେଥିରେ ଥିଲେ ୧୧୪ ଜଣ SI ପରୀକ୍ଷାର୍ଥୀ। ଅଭିଯୋଗ ଥିଲା, ପ୍ରଶ୍ନପତ୍ର ଯୋଗାଇଦେବାର ପ୍ରଲୋଭନ ଦେଇ ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୧୫ରୁ ୩୦ ଲକ୍ଷ ଟଙ୍କା ଆଦାୟ କରିବାର ଯୋଜନା ଚାଲିଥିଲା। କେବଳ ଟଙ୍କା ନୁହେଁ, ଗ୍ୟାରେଣ୍ଟି ନାଁରେ ମୂଳ ଶିକ୍ଷାଗତ ସାର୍ଟିଫିକେଟ୍ ଏବଂ ଖାଲି ଚେକ୍ ନିଆଯାଇଥିବା ଅଭିଯୋଗ ମଧ୍ୟ ରହିଛି। ଏହା ପରେ ପରୀକ୍ଷା ବାତିଲ୍ ହେଲା। ମାମଲାର ତଦନ୍ତ ଦାୟିତ୍ୱ ନେଲା CBI। ଆଉ ଏବେ ଆର୍ଥିକ ଦିଗର ଖୋଳତାଡ଼ କରୁଛି ED।
ଏବେ ଏହି ମାମଲାରେ ସାମ୍ନାକୁ ଆସିଛି କମ୍ପାନୀଗୁଡ଼ିକର ଭୂମିକାକୁ ନେଇ ଗମ୍ଭୀର ପ୍ରଶ୍ନ। ତଦନ୍ତ ଅନୁସାରେ, ଓଡ଼ିଶା ପୋଲିସ୍ ନିଯୁକ୍ତି ବୋର୍ଡ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇଥିଲା କେନ୍ଦ୍ରୀୟ PSU ITI ଲିମିଟେଡ୍କୁ। ଏହା ପରେ କାମ ଯାଇଥିଲା ଭୁବନେଶ୍ୱରର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍—STPL ପାଖକୁ। EDର ଅଭିଯୋଗ ଅନୁସାରେ, STPL ପକ୍ଷରୁ ପଞ୍ଚସଫ୍ଟ ଟେକ୍ନୋଲୋଜିଜ୍କୁ ବିନା ଅନୁମତିରେ ସମ୍ବେଦନଶୀଳ ପରୀକ୍ଷାର୍ଥୀ ତଥ୍ୟ ପରିଚାଳନା କାମ ଦିଆଯାଇଥିବା ସନ୍ଦେହ ରହିଛି। ଏହି ମାମଲାରେ କିଛି ବ୍ୟକ୍ତି ଓ କମ୍ପାନୀଙ୍କ ମଧ୍ୟରେ ପରୀକ୍ଷା ପୂର୍ବରୁ ଟଙ୍କା କାରବାର ହୋଇଥିବା ତଥ୍ୟ ମିଳିଥିବା ED କହିଛି। ଏହା ପ୍ରଶ୍ନପତ୍ର ଲିକ୍ ସହ ଜଡ଼ିତ ଥିଲା କି ନାହିଁ, ତାହାର ତଦନ୍ତ ଚାଲିଛି। ତେବେ ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି
ପରୀକ୍ଷା ପୂର୍ବରୁ କାହିଁକି ହେଲା ଟଙ୍କା କାରବାର?
କମ୍ପାନୀଗୁଡ଼ିକର ଭୂମିକା କେତେ ଗଭୀର?
ନିଯୁକ୍ତି ବୋର୍ଡର ତଦାରଖ କେଉଁଠି ଥିଲା?
ପରୀକ୍ଷାର୍ଥୀଙ୍କ କ୍ଷତି ଭରଣା କରିବ କିଏ?
ସରକାର ଉତ୍ତରଦାୟିତ୍ୱ ନେବେ କି?
ଯେଉଁ ପରୀକ୍ଷା ଓଡ଼ିଶାର ହଜାର ହଜାର ଯୁବକଯୁବତୀଙ୍କ ଭବିଷ୍ୟତ ସହ ଜଡ଼ିତ, ସେହି ପରୀକ୍ଷାରେ ପ୍ରଶ୍ନପତ୍ରର ଗୋପନୀୟତା ରକ୍ଷା ପାଇଁ କେମିତି ବ୍ୟବସ୍ଥା ଥିଲା? କାମ ଦେଇଥିବା ସଂସ୍ଥା, କାମ ନେଇଥିବା କମ୍ପାନୀ ଏବଂ ତଥ୍ୟ ପରିଚାଳନାରେ ଜଡ଼ିତ ଲୋକଙ୍କ ଯାଞ୍ଚ କରାଯାଇଥିଲା କି? ଯଦି ତଦନ୍ତରେ ବିନା ଅନୁମତିରେ ତଥ୍ୟ ହସ୍ତାନ୍ତର ଏବଂ ଅନିୟମିତ ଆର୍ଥିକ କାରବାରର ପ୍ରମାଣ ମିଳୁଛି, ତେବେ ଏହାକୁ ରୋକିବାରେ ବ୍ୟବସ୍ଥା କେଉଁଠି ବିଫଳ ହେଲା? ସରକାର କେବଳ ପରୀକ୍ଷା ବାତିଲ୍ କରି ନିଜ ଦାୟିତ୍ୱ ସାରିଦେବେ, ନା ଏହି ବିଫଳତାର ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର କରିବେ?
ଏବେ EDର ତଦନ୍ତରେ ଆହୁରି କେଉଁ କେଉଁ ଲିଙ୍କ୍ ସାମ୍ନାକୁ ଆସୁଛି, କେଉଁମାନଙ୍କୁ ଜେରା ପାଇଁ ଡକାଯାଉଛି ଏବଂ ଆର୍ଥିକ କାରବାରର ଶେଷ ଗନ୍ତବ୍ୟ କେଉଁଠି—ତାହା ଉପରେ ରହିଛି ନଜର। ତେବେ ମନେ ରଖନ୍ତୁ, ଏହି ମାମଲାରେ ଅଭିଯୋଗ ଓ ସନ୍ଦେହର ତଦନ୍ତ ଚାଲିଛି। ଦୋଷ ପ୍ରମାଣିତ ହେବା ଆଇନଗତ ପ୍ରକ୍ରିୟା ଉପରେ ନିର୍ଭର କରିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ—ଯୋଗ୍ୟତା ଆଧାରରେ ଚାକିରି ପାଇବାକୁ ଆଶା ରଖିଥିବା ଯୁବକଯୁବତୀଙ୍କ ମନରେ ଉଠିଥିବା ପ୍ରଶ୍ନର ଉତ୍ତର ମିଳିବା ଦରକାର। ପ୍ରଶ୍ନପତ୍ର ଲିକ୍ର ପୂରା ସତ୍ୟ କେବେ ସାମ୍ନାକୁ ଆସିବ? ଦୋଷୀ କିଏ, ଏବଂ ଦାୟିତ୍ୱରେ ଥିବା ଲୋକଙ୍କ ଭୂମିକା କ’ଣ ଥିଲା? ଏହାର ଉତ୍ତର ଦେବାକୁ ହେବ ତଦନ୍ତକାରୀ ସଂସ୍ଥା ଏବଂ ସରକାରଙ୍କୁ।
