ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ରିପୋର୍ଟ ଗାଏବ: ବିଜେଡି-ବିଜେପିର ବଡ଼ ଷଡ଼ଯନ୍ତ୍ର! 

ହଜିଲା ଫାଇଲ୍ ପଛରେ ମହା-ଷଡ଼ଯନ୍ତ୍ର!

ପୂର୍ବ ସରକାରଙ୍କୁ ଘଣ୍ଟ ଘୋଡାଉଛନ୍ତି ବର୍ତମାନର ସରକାର !

୪.୫ କୋଟିର ତଦନ୍ତ ରିପୋର୍ଟ ଗାଏବ କଲା କିଏ? 

କିଏ ଲୁଚାଇଛି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ରିପୋର୍ଟ ?

ସାଂଘାତିକ ଅଭିଯୋଗ: ତୃତୀୟ ମହଲାରୁ ପୋଡ଼ା ଯାଇଥିଲା କି ଫାଇଲ୍?

କାହିଁକି ନୀରବ ମୁଖ୍ୟମନ୍ତ୍ରୀ?

୪ କୋଟି ୫୦ ଲକ୍ଷ ଟଙ୍କା… ଦୁଇ ଦୁଇଟି ବିଚାର ବିଭାଗୀୟ କମିଶନ… ଦୀର୍ଘ ବର୍ଷର ତଦନ୍ତ… ଆଉ ଶେଷରେ ଫଳ ଶୂନ! ଓଡ଼ିଶା ରାଜନୀତିର ସବୁଠୁ ବଡ଼ ସିକ୍ରେଟ୍ ଏବେ ରାଜଧାନୀର ବନ୍ଦ କୋଠରୀ ଭିତରେ କେଉଁଠି ହଜିଯାଇଛି।

କନ୍ଧମାଳ ଦଙ୍ଗା ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା… ଯେଉଁ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା, ତାହାର ତଦନ୍ତ ରିପୋର୍ଟ କୁଆଡେ ଗଲା? ୨୦୧୫ ମସିହାରେ ଜଷ୍ଟିସ୍ ପାଣିଗ୍ରାହୀ ଏବଂ ଜଷ୍ଟିସ୍ ନାଇଡୁ କମିଶନ ଦେଇଥିବା ରିପୋର୍ଟକୁ ଗାଏବ କରିବା ପଛରେ କାହାର ହାତ ଅଛି? ଆଇନ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ ପରେ ସରକାର କ୍ୟାପିଟାଲ ଥାନାରେ ଏଫଆଇଆର୍ (FIR) ତ ଦେଲେ, କିନ୍ତୁ ଏହା କେବଳ ଲୋକଦେଖାଣିଆ ନୁହେଁ ତ?

ଅଭିଯୋଗ ହେଉଛି, ଏହି ରିପୋର୍ଟ ଗାଏବ ହେବା ପଛରେ ଉଭୟ ବିଜେଡି ଏବଂ ବିଜେପିର ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି। ଗୋଟିଏ ପଟେ ନବୀନ ସରକାର ଦୀର୍ଘ ବର୍ଷ ଧରି ରିପୋର୍ଟକୁ ଚାପି ରଖିଥିଲେ। କ୍ଷମତାଚ୍ୟୁତ ହେବା ପୂର୍ବରୁ ତତ୍କାଳୀନ ପାଣ୍ଡିଆନ୍ ଗ୍ରୁପ୍ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡ଼ି ଦେଇଥିବା ଏବଂ କମ୍ପ୍ୟୁଟର ହାର୍ଡଡିସ୍କ ନଷ୍ଟ କରିଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସୁଛି। ଆରଟିଆଇ (RTI) ମାଗିଲେ ତଥ୍ୟ ନାହିଁ ବୋଲି ଅଧିକାରୀମାନେ ଅସହାୟତା ପ୍ରକାଶ କରୁଛନ୍ତି।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ଲକ୍ଷ୍ମଣାନନ୍ଦ ସ୍ୱାମୀଙ୍କ ହତ୍ୟା ପ୍ରସଙ୍ଗରେ ନ୍ୟାୟ ମାଗୁଥିବା ବିଜେପି, ସରକାରକୁ ଆସିଲା ପରେ ଚୁପ୍ କାହିଁକି? ୩ ମାସ ତଳେ ଗଣମାଧ୍ୟମରେ ଏହି ଗୁମର ଫିଟିବା ପରେ ବି ମୁଖ୍ୟମନ୍ତ୍ରୀ କାହିଁକି ନୀରବ ଥିଲେ? ଏହା କଣ ପୂର୍ବ ସରକାରଙ୍କ ଦୁର୍ନୀତିଖୋର ଅଫିସରଙ୍କୁ ସୁରକ୍ଷା ଦେବାର ଏକ ବ୍ଲୁ-ପ୍ରିଣ୍ଟ କି? କାହା ଇଙ୍ଗିତରେ ଚାଲିଛି ଏହି ଲୁଚକାଳି ଖେଳ? ତଦନ୍ତରୁ କିଛି ବାହାରିବ ନା ବିଜେଡି-ବିଜେପି ଭିତରେ ଥିବା ବୁଝାମଣାରେ ଏ ଫାଇଲ୍ ସବୁଦିନ ପାଇଁ ପାଉଁଶ ହୋଇଯିବ? ଉତ୍ତର ଖୋଜୁଛି ଓଡ଼ିଶା!

Leave a Reply

Your email address will not be published. Required fields are marked *