ବସରେ ଟିକେଟ୍ କାଟିଲେ ମୁଖ୍ୟମନ୍ତ୍ରୀ!
ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା!
ଏକ୍ସପ୍ରେସ୍ ବସରେ ବି ମାଗଣା ଯାତ୍ରା!
ବସରେ ମୁଖ୍ୟମନ୍ତ୍ରୀ, ଛାତ୍ରୀଙ୍କ ସହ ଖାଇଲେ ଚକୋଲେଟ୍!
ମହିଳା ଓ କିନ୍ନରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି!
ଭିଡ଼ ବସରେ ହଠାତ୍ ଜଣେ ଭିଆଇପିଙ୍କ ଏଣ୍ଟ୍ରି… ତାଙ୍କ ହାତରେ ଅଛି ଟିକେଟ୍ ମେସିନ୍… ଆଉ ସେ ନିଜେ ଛିଡ଼ା ହୋଇ ଯାତ୍ରୀମାନଙ୍କୁ, ଖାସ୍ କରି ମହିଳାମାନଙ୍କୁ ନିଜ ହାତରେ ବାଣ୍ଟୁଛନ୍ତି ବସ୍ ଟିକେଟ୍। କେବଳ ସେତିକି ନୁହେଁ, ସେହି ବସରେ ଯାତ୍ରା କରୁଥିବା କଲେଜ ପିଲାଙ୍କ ହାତରୁ ଡେରୀମିଲ୍କ ଚକୋଲେଟ୍ ଆଣି ହସି ହସି ଖାଉଛନ୍ତି ଏହି ବ୍ୟକ୍ତିଜଣକ। କିଏ ଏହି ବ୍ୟକ୍ତି? କାହିଁକି ସେ ବସରେ ଏମିତି ବୁଲି ବୁଲି ଟିକେଟ୍ ବାଣ୍ଟୁଛନ୍ତି? କ’ଣ ରହିଛି ଏହା ପଛର ବଡ଼ ରହସ୍ୟ?
ତେବେ ଏ କୌଣସି ସାଧାରଣ କଣ୍ଡକ୍ଟର ନୁହଁନ୍ତି ବରଂ ଏ ହେଉଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ। ଗାନ୍ଧୀ ଜୟନ୍ତୀ ଅବସରରେ ଚେନ୍ନାଇର ଏକ ସାଧାରଣ ବସରେ ଯାତ୍ରା କରି ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଆଉ ତାଙ୍କର ଏହି ସାଧାରଣ ଯାତ୍ରା ପଛରେ ଲୁଚି ରହିଛି ଏକ ବହୁତ ବଡ଼ ଘୋଷଣା ! ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟରେ ଏକ ମେଗା ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହାର ନାମ ହେଉଛି ‘ବେଟ୍ରି ପୟନମ୍ ଥିଟ୍ଟମ୍’ ଅର୍ଥାତ୍ ‘ବିଜୟ ଯାତ୍ରା’। ଏବେ ରାଜ୍ୟର ମହିଳା ଏବଂ କିନ୍ନରମାନେ ସମ୍ପୂର୍ଣ୍ଣ ମାଗଣାରେ ବସରେ ଯାତ୍ରା କରିପାରିବେ। ଆଉ ସବୁଠୁ ବଡ଼ ସସପେନ୍ସ କଥା ହେଲା, ଏହି ମାଗଣା ଯାତ୍ରା ପାଇଁ କୌଣସି ଆୟ ସୀମା ନାହିଁ କିମ୍ବା ଗୋଟିଏ ଦିନରେ କେତେଥର ଯାତ୍ରା କରିବେ ତାର କୌଣସି ଲିମିଟ୍ ମଧ୍ୟ ନାହିଁ!
ଏହି ଗୋଟିଏ ନିଷ୍ପତ୍ତି ଯୋଗୁଁ ପ୍ରତିଦିନ ପ୍ରାୟ ୮୪ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ। ରାଜ୍ୟର ୭ଟି ପରିବହନ ନିଗମ ଦ୍ୱାରା ପରିଚାଳିତ ପ୍ରାୟ ୧୨ ହଜାର ୬୯୫ ଟି ବସରେ ଏହି ସୁବିଧା ଉପଲବ୍ଧ ହେବ। ଏବେ ଏକ୍ସପ୍ରେସ୍ ଏବଂ ଡିଲକ୍ସ ବସରେ ମଧ୍ୟ ମହିଳାମାନେ ବିନା ପଇସାରେ ଯାତ୍ରା କରିପାରିବେ। ପରିବହନ ମନ୍ତ୍ରୀ ଏ. ବିଜୟ ତାମିଲାନ ପାର୍ଥିବନ ଏହି ଯୋଜନାକୁ ଏକ ‘ସାମାଜିକ ବିପ୍ଳବ’ ବୋଲି ଆଖ୍ୟା ଦେଇଛନ୍ତି। ମହିଳାଙ୍କ ଶିକ୍ଷା, ରୋଜଗାର ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେପରି ଗମନାଗମନ ଖର୍ଚ୍ଚ କୌଣସି ବାଧା ସୃଷ୍ଟି ନକରେ, ସେଥିପାଇଁ ଏହି ଐତିହାସିକ ପଦକ୍ଷେପ ନିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଆରା ଅନ୍ଦାଜ ଆଉ ମହିଳାଙ୍କ ପାଇଁ ଖୋଲିଥିବା ଏହି ସୁବିଧାର ପେଡ଼ି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ‘ବିଜୟ ଯାତ୍ରା’ ରାଜ୍ୟର ମହିଳାଙ୍କୁ ଆହୁରି ସ୍ୱାଧୀନ କରିବା ସହ ରାଜ୍ୟର ବିକାଶରେ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।
