\n\n\n\n\n\n\n

ଭାରତ ପାଇଁ ବାହାରିଲା ଚୀନ; ଡରିଗଲେ ଟ୍ରମ୍ପ !

ମଧ୍ୟପ୍ରାଚ୍ୟରେ ବାରୁଦର ଗନ୍ଧ! ହରମୁଜ ପ୍ରଣାଳୀ ଏବେ ବିଶ୍ୱ ଯୁଦ୍ଧର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ପଟେ ଇରାନୀ ସେନାର ଭାରତୀୟ ଜାହାଜ ଉପରେ ଗୁଳିକାଣ୍ଡ, ଅନ୍ୟପଟେ ଆମେରିକାର ଆକ୍ରମଣାତ୍ମକ ରୂପ ସମଗ୍ର ଅଞ୍ଚଳରେ ଏବେ ହାହାକାର ପରିସ୍ଥିତି। ଏହି ସଙ୍କଟ ସମୟରେ ଏବେ ଏଣ୍ଟ୍ରି କରିଛି ଚୀନ। ଭାରତୀୟ ଜାହାଜ ଉପରେ ହୋଇଥିବା ଗୁଳିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛି ବେଜିଂ। ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ହରମୁଜ ପ୍ରଣାଳୀ କୌଣସି ଗୋଟିଏ ଦେଶର ସମ୍ପତ୍ତି ନୁହେଁ, ଏହା ଏକ ଅନ୍ତର୍ଜାତୀୟ ସାମୁଦ୍ରିକ ମାର୍ଗ। ଏହାକୁ ସମସ୍ତଙ୍କ ପାଇଁ ଖୋଲା ରଖିବା ବିଶ୍ୱ ସମ୍ପ୍ରଦାୟର ସ୍ୱାର୍ଥ ପାଇଁ ଅପରିହାର୍ଯ୍ୟ। ପରିସ୍ଥିତି ସେତିକିବେଳେ ଜଟିଳ ହେଲା, ଯେତେବେଳେ ଇରାନୀ ସେନା ଏକ ଭାରତୀୟ ଜାହାଜକୁ ଟାର୍ଗେଟ୍ କଲା। ଏହି ଘଟଣା ସାମୁଦ୍ରିକ ସୁରକ୍ଷା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି। ଚୀନ କହିଛି, କୌଣସି ବି ପକ୍ଷ ଏପରି ପଦକ୍ଷେପ ନେବା ଉଚିତ ନୁହେଁ ଯାହା ନିଆଁରେ ଘିଅ ଢାଳିବା ଭଳି କାମ କରିବ। ତେବେ କେବଳ ଇରାନ ନୁହେଁ, ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଚୀନ ଚିନ୍ତା ପ୍ରକଟ କରିଛି। ଗୋଟିଏ ପଟେ ଆମେରିକାର ଦାଦାଗିରି, ଅନ୍ୟପଟେ ଇରାନର ପାଲଟା ଜବାବ। ଏହି ଦୁଇ ଶକ୍ତିଶାଳୀ ଦେଶର ଲଢ଼େଇ ମଝିରେ ଏବେ ଭାରତୀୟ ଜାହାଜ ଓ ନାବିକଙ୍କ ସୁରକ୍ଷା ବିପଦରେ। ଚୀନ ଏବେ ଅନ୍ତର୍ଜାତୀୟ ସହଯୋଗ ମାଧ୍ୟମରେ ସାଧାରଣ ଯାତାୟାତ ସ୍ବାଭାବିକ କରିବାକୁ ପ୍ରସ୍ତୁତ ବୋଲି କହୁଛି। କିନ୍ତୁ ପ୍ରଶ୍ନ ଉଠୁଛି—ବିଶ୍ୱ ବାଣିଜ୍ୟର ଏହି ସର୍ବବୃହତ ମାର୍ଗରେ ଶାନ୍ତି ଫେରିବ ନା ଆରମ୍ଭ ହେବ ଏକ ଭୟଙ୍କର ସଂଗ୍ରାମ?