\n\n\n\n\n\n\n

ପଦ୍ମ ଧରିବେ ପ୍ରଭାତ ! ଧଳା ପିନ୍ଧି ଦେଲେ ବଡ ସଙ୍କେତ !

ବଦଳିଲା କପଡ଼ା… ବଦଳିବେ କି ପ୍ରଭାତ?

ଖଇରିଆ ଛାଡ଼ି ଧଳା ପିନ୍ଧିଲେ ପ୍ରଭାତ

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି ଦେଲେ ବଡ଼ ସଙ୍କେତ !

ବବିଙ୍କ ୮ କୋଟିର ଅଭିଯୋଗ ପରେ ପ୍ରଭାତଙ୍କ ବଡ଼ ଚାଲ୍

ବିଜେଡି ଛାଡ଼ି ପଦ୍ମ ଧରିବେ କି କଟକର ହେଭିୱେଟ୍ ନେତା?

ଦୃଶ୍ୟ ଉପରେ ଟିକେ ଭଲ ଭାବରେ ନଜର ପକାନ୍ତୁ… ଏ ହେଉଛନ୍ତି କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ହେଭିୱେଟ୍ ନେତା ପ୍ରଭାତ ବିଶ୍ୱାଳ। ଦେହରେ ଆଉ ସେହି ଚିରାଚରିତ ଖଇରିଆ ରଙ୍ଗର ପୋଷାକ ନାହିଁ, ବରଂ ତାଙ୍କୁ ଦେଖିବାକୁ ମିଳିଛି ଏକ ଧଳା ସାର୍ଟରେ। ଆଉ ତାଙ୍କ ସାମ୍ନାରେ ଅଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଟକ ଓଏମପି ଛକରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରୁଛନ୍ତି ନିଜେ ପ୍ରଭାତ। କିନ୍ତୁ ଏହା କଣ କେବଳ ଏକ ସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା? ନା… ଏହା ପଛରେ ଲୁଚି ରହିଛି ଓଡ଼ିଶା ରାଜନୀତିର ଏକ ବଡ଼ ଭୂମିକମ୍ପର ସଙ୍କେତ!

ଫ୍ଲାସବ୍ୟାକ୍ କୁ ଟିକେ ମନେ ପକାନ୍ତୁ। କିଛି ଦିନ ତଳେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ବିଜେଡି ନେତା ବବି ଦାସଙ୍କ ଏକ ସାଂଘାତିକ ଅଭିଯୋଗ। ରାଜ୍ୟସଭା ଭୋଟ୍ ପାଇଁ ପ୍ରଭାତ ବିଶ୍ୱାଳ ୮ କୋଟି ଟଙ୍କା ମାଗିଥିଲେ ବୋଲି ବବି ଖୋଲାଖୋଲି ବୋମା ଫୁଟାଇଥିଲେ। ଏହି ଆକ୍ରମଣର ପାଲଟା ଜବାବ ଦେଇ ପ୍ରଭାତ ଏକ ରହସ୍ୟମୟ ବୟାନ ଦେଇଥିଲେ। କହିଥିଲେ- “୧୭ ତାରିଖରେ ମା’ଙ୍କ ପାଖରୁ ଫେରିବି… ଆଉ ଧଳା କପଡ଼ା ପିନ୍ଧି ସବୁ ଗୁମର ଫିଟାଇବି।”

ଆଉ ଆଜି ଦେଖିବାକୁ ମିଳିଛି ସେହି ଧଳା ପୋଷାକର ଅସଲ ରହସ୍ୟ! ଖଇରିଆ ଛାଡ଼ି ଧଳା ପିନ୍ଧିଥିବା ପ୍ରଭାତଙ୍କ ଏହି ‘ଗୁମର’ କଣ ବିଜେପି ଶିବିରକୁ ଯିବାର ପ୍ରସ୍ତୁତି? ବବିଙ୍କୁ ଚେକ୍-ମେଟ୍ ଦେବା ପାଇଁ, ନିଜ ପୁଅ ସୌଭିକ୍ ଙ୍କ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ପ୍ରଭାତ କଣ ଏବେ ପଦ୍ମ ଧରିବାକୁ ଯାଉଛନ୍ତି? ଶଙ୍ଖ ଛାଡ଼ି ପଦ୍ମ ପୋଖରୀରେ ବୁଡ଼ ପକାଇବାକୁ କଟକର ଏହି ଟାଣୁଆ ନେତା ମନ ବଳାଇ ସାରିଲେଣି କି?

ରାଜନୈତିକ ମହଲରେ ଏବେ ଗୋଟିଏ ପ୍ରଶ୍ନ… ବଦଳୁଥିବା କପଡ଼ା ଓ ବଦଳୁଥିବା ଅନ୍ଦାଜ୍ କଣ ଖୁବଶୀଘ୍ର ବିଜେପିରେ ମିଶ୍ରଣର ମୋହର ମାରିବ? କଟକ ରାଜନୀତିର ଏହି ନୂଆ କ୍ଲାଇମାକ୍ସ କୁଦୃଷ୍ଟି ଏବେ ପୂରା ଓଡ଼ିଶାର। ଅପେକ୍ଷା କେବଳ ଏକ ଔପଚାରିକ ଘୋଷଣାକୁ…।
ବ୍ୟୁରୋ ରିପୋର୍ଟ ବି ଟିଭି