ଜୁନ୍ ୧୭ ତାରିଖ ସକାଳ ପ୍ରାୟ ୯ଟା…
ବିହାରର ଭୋଜପୁର ଜିଲ୍ଲାର ଏକ ଖୋଲା ପଡ଼ିଆ।
ଜଣେ ଯୁବକ ହାତରେ ବନ୍ଧୁକ ଧରି ଫେସବୁକ୍ରେ ଲାଇଭ୍ ଆସୁଛନ୍ତି।
ପ୍ରଶାସନକୁ ଚେତାବନୀ ଦେଉଛନ୍ତି, ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରୁଛନ୍ତି।
ଆଉ ତା’ପରେ… ସମସ୍ତଙ୍କ ସାମ୍ନାରେ ନିଜ ବନ୍ଧୁକକୁ ପୋଲିସ ଆଡ଼କୁ ଫିଙ୍ଗି ଆତ୍ମସମର୍ପଣ କରୁଛନ୍ତି।
କିନ୍ତୁ ଏହାର କିଛି ସମୟ ପରେ ଖବର ଆସେ… ସେହି ଯୁବକ ଜଣକ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି!
ହଁ, ଆମେ କହୁଛୁ ଭରତ ଭୂଷଣ ତିୱାରୀଙ୍କ କଥା। ଯାହାଙ୍କ ମୃତ୍ୟୁକୁ ନେଇ ଏବେ ସାରା ବିହାର ରାଜନୀତିରେ ନିଆଁ ଲାଗିଯାଇଛି। ସୋସିଆଲ ମିଡିଆରୁ ନେଇ ସଂସଦ ପର୍ଯ୍ୟନ୍ତ ଗୋଟିଏ ପ୍ରଶ୍ନ- ଏହା ଏନକାଉଣ୍ଟର ଥିଲା ନା ହତ୍ୟା?କିଏ ଏହି ଭରତ ତିୱାରୀ? ଜଣେ ସମାଜସେବୀ ନା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ? ଏହି ପ୍ରଶ୍ନର ଉତ୍ତର ଭିତରେ ଲୁଚି ରହିଛି ଏକ ବଡ଼ ରହସ୍ୟ।
ଗୋଟିଏ ପଟେ, ଭରତଙ୍କ ଫେସବୁକ୍ ପ୍ରୋଫାଇଲ୍ ଦେଖିଲେ ଜଣାପଡ଼େ ସେ ସରକାରୀ ଅଧିକାରୀଙ୍କୁ ସ୍ପଷ୍ଟ ଭାବେ ଧମକ ଦେଉଥିଲେ। ଜଗଦୀଶପୁରର SDMଙ୍କୁ ଜୀବନରୁ ମାରିଦେବା ସହ ‘ବିପ୍ଳବାତ୍ମକ ଯୁଦ୍ଧ’ର ଆହ୍ୱାନ ଦେଉଥିଲେ। ହାତରେ ବନ୍ଧୁକ ଧରି ଫେସବୁକ୍ ଲାଇଭ୍ରେ ପୋଲିସ ଉପରକୁ ଗୁଳି ଚଳାଇବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ପୋଲିସ କହିଥିଲା- ଭରତଙ୍କ ମାନସିକ ସ୍ଥିତି ଠିକ୍ ନାହିଁ।
କିନ୍ତୁ ଦ୍ୱିତୀୟ ଚିତ୍ରଟି ସମ୍ପୂର୍ଣ୍ଣ ଓଲଟା! ବିଲାଉତି ଏବଂ ଆଖପାଖର ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ଭରତ ଥିଲେ ଜଣେ ମସିହା। ଗରିବଙ୍କ ସୁଖ-ଦୁଃଖର ସାଥୀ। ରାସ୍ତା, ବିଜୁଳି, ପାଣି ପାଇଁ ଅଧିକାରୀଙ୍କ ଆଖିରେ ଆଖି ମିଶାଇ ଲଢ଼ୁଥିବା ଜଣେ ସ୍ଥାନୀୟ ନେତା।
ତେବେ ଜୁନ୍ ୧୭ ତାରିଖ ଦିନ ସେମିତି କ’ଣ ଘଟିଲା, ଯେଉଁଥିପାଇଁ ପୋଲିସକୁ ଗୁଳି ଚଳାଇବାକୁ ପଡ଼ିଲା? ଏଠାରେ ସାମ୍ନାକୁ ଆସୁଛି ଦୁଇଟି ପରସ୍ପର ବିରୋଧୀ କାହାଣୀ!
ପୋଲିସର କହିବା କଥା: ଆତ୍ମସମର୍ପଣ କରିବାକୁ କହିବା ସତ୍ତ୍ୱେ ଭରତ ପୋଲିସ ଉପରକୁ ସିଧାସଳଖ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୋଲିସ ଜବାବୀ ଗୁଳିମାଡ଼ କରିଥିଲା, ଯେଉଁଥିରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
କିନ୍ତୁ ପ୍ରତ୍ୟକ୍ଷଦର୍ଶୀ ଓ ପରିବାରର ଅଭିଯୋଗ: ଭରତ ପୂର୍ବରୁ ହିଁ ବନ୍ଧୁକ ଫିଙ୍ଗି ସରଣ୍ଡର କରିସାରିଥିଲେ। ପୋଲିସ ତାଙ୍କୁ କିଛି ବାଟ ନେଇଯାଇ ଅତି ନିକଟରୁ ଏକାଧିକ ଗୁଳି ମାରିଛି! ଭରତଙ୍କ ମା’ ସୁମନ ଦେବୀ ସିଧାସଳଖ ପୋଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।
ଭରତଙ୍କ ମୃତ୍ୟୁ ପରେ ଭୋଜପୁର ରଣକ୍ଷେତ୍ର ପାଲଟିଛି। ଉତ୍ତ୍ୟକ୍ତ ଗ୍ରାମବାସୀ NH-922 ହାଇୱେ ବ୍ଲକ୍ କରି ଶବ ରଖି ବିକ୍ଷୋଭ କରିଛନ୍ତି, ପୋଲିସ ଲାଠିଚାର୍ଜ କରିଛି, ଏବଂ ଅନେକ ଲୋକଙ୍କ ଉପରେ FIR ମଧ୍ୟ ହୋଇଛି। ଶାହପୁର ଥାନା ପ୍ରଭାରୀ ରାଜେଶ କୁମାର ମଲାକାରଙ୍କ ସହ କିଛି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏହାକୁ ସିଧାସଳଖ ‘ଫେକ୍ ଏନକାଉଣ୍ଟର’ କହି ସରକାରଙ୍କୁ ଘେରିଥିବା ବେଳେ ଶାସକ ଦଳର ନେତାମାନେ ମଧ୍ୟ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।ଚାପ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଜୁଡିସିଆଲ୍ ଇନକ୍ଵାରୀ ବା ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ତେବେ ପ୍ରକୃତ ସତ କଣ? ଜଣେ ବ୍ୟବସ୍ଥା ବିରୋଧରେ ଲଢ଼ୁଥିବା ସାଧାରଣ ଯୁବକକୁ ମାନସିକ ରୋଗୀ ସଜାଇ ପୋଲିସ ରାସ୍ତାରୁ ହଟାଇ ଦେଲା, ନା ଜଣେ ଆଇନ ହାତକୁ ନେଇଥିବା ଅପରାଧୀର ଏହା ହିଁ ଶେଷ ପରିଣତି ଥିଲା? ଏହା ଏକ ପ୍ଲାନ୍ଡ୍ ମର୍ଡର ନା ପୋଲିସର ଆତ୍ମରକ୍ଷା? ନ୍ୟାୟିକ ତଦନ୍ତର ରିପୋର୍ଟ ହିଁ ଏହି ସସପେନ୍ସ ଉପରୁ ପରଦା ହଟାଇବ।
