\n\n\n\n\n\n\n

ଉପମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ବିରୋଧୀଙ୍କ ହୁଙ୍କାର!

ଦେଶ ତଥା ରାଜ୍ୟରେ ଏବେ ଦରଦାମ ବୃଦ୍ଧି ଓ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଜନତା ହନ୍ତସନ୍ତ। ଆଉ ଏହାରି ଭିତରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ପଲିଟିକ୍ସ। ନିକଟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦରଦାମ ବୃଦ୍ଧିକୁ ନେଇ ପାଟଣାଗଡ଼ ଓ ବେଲପଡ଼ାରେ ଶକ୍ତି ପ୍ରଦର୍ଶନ କରିଥିଲେ ଜିଲ୍ଲା ବିଜେଡି ସଭାପତି ସରୋଜ ମେହେର। କିନ୍ତୁ ଆଜି ଖପ୍ରାଖୋଲ ବ୍ଲକରେ ଦେଖିବାକୁ ମିଳିଛି ତାଙ୍କର ଅସଲ ଶକ୍ତି ପରୀକ୍ଷା; ଯେଉଁ ଖପ୍ରାଖୋଲ ଗତ ନିର୍ବାଚନରେ କେ.ଭି.ଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା!ଆଜି ହଜାର ହଜାର ସମର୍ଥକଙ୍କୁ ଧରି ଖପ୍ରାଖୋଲ ବିଜେଡି ଅଫିସରୁ ବାହାରିଥିଲା ଏକ ବିଶାଳ ବାଇକ୍ ରାଲି ଏବଂ ସିଧା ପହଞ୍ଚିଥିଲା ବିଦ୍ୟୁତ ଅଫିସ ସମ୍ମୁଖରେ। ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି, ଯେମିତିକି ୩୦୦ ୟୁନିଟ୍ ମାଗଣା ବିଜୁଳି, ଚାଷୀଙ୍କ ବିଦ୍ୟୁତ ବିଲ୍ ଛାଡ଼, ଟାଟା ପାୱାରର ସ୍ମାର୍ଟ ମିଟର ହଟାଇବା ଏବଂ ବକେୟା ବିଲ୍ ଆଦାୟ ବନ୍ଦ କରିବା ଭଳି ୭ ଦଫା ଦାବି ନେଇ ଜୋରଦାର ବିକ୍ଷୋଭ କରିଛି ବିଜେଡି। କେବଳ ସେତିକି ନୁହେଁ, ସ୍ଥାନୀୟ ଲୋକଙ୍କ ଦ୍ୱାରା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି. ସିଂ ଦେଓଙ୍କ ବିରୋଧରେ ଦିଆଯାଇଛି ଜୋରଦାର ନାରାବାଜି।ଲୋକଙ୍କ ସୁଖଦୁଃଖରେ ସବୁବେଳେ ଠିଆ ହେଉଥିବା ସରୋଜ ମେହେର ଏବେ ଗାଁରୁ ସହର ଯାଏଁ ସଭିଙ୍କ ପ୍ରଶଂସା ସାଉଁଟୁଛନ୍ତି। ଏଭଳି ସ୍ଥିତିରେ ବିଜେଡିର ଏହି ବିଶାଳ ଜନସମର୍ଥନ ଆଗାମୀ ପଞ୍ଚାୟତ ନିର୍ବାଚନରେ କେ.ଭି.ଙ୍କୁ ଏକ ଶକ୍ତ ଝଟକା ଦେଇପାରେ ବୋଲି ସାଧାରଣରେ ଜୋରଦାର ଚର୍ଚ୍ଚା!