ବିରାଟ କୋଠା… ବଡ଼ ନାଁ… କିନ୍ତୁ ଭିତର ପୂରା ଫମ୍ପା !
କନେଷ୍ଟବଳ ହତ୍ୟାକାଣ୍ଡ ପରେ ଖୋଲିଲା ପୋଲିସର ଅସଲ ଗୁମର !
କୁଆଡ଼େ ଗଲା କମିଶନରେଟ୍ ପୋଲିସର ‘ଉଇ କେୟାର, ଉଇ ଡେୟାର’ ?
ବିରାଟ କୋଠା… ବଡ଼ ନାଁ… ଆଉ ଅଫିସରଙ୍କ ଲମ୍ବା ତାଲିକା ! ସରକାର ଯୋଗାଇ ଦେଇଛନ୍ତି ସବୁ ପ୍ରକାର ଆଧୁନିକ ଜ୍ଞାନକୌଶଳ, ଗାଡ଼ିମୋଟର ଓ ବଡ଼ ବଡ଼ ପଦବୀ । ହେଲେ ରାଜଧାନୀର ଛାତି ଉପରେ ଯେତେବେଳେ ଖୋଦ୍ ରକ୍ଷକ ପାଲଟିଯାଏ ଅପରାଧୀର ଶିକାର, ସେତେବେଳେ ଖୋଲିଯାଏ ସବୁ ଦକ୍ଷତାର ମୁଖା ! କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟାକାଣ୍ଡ ପରେ, ଏବେ କମିଶନରେଟ୍ ପୋଲିସର ଭିତର କଥା କେତେ ଫମ୍ପା ତାହା ପଦାକୁ ଆସିଛି ।
୨୦୦୮ ମସିହାରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା, ଆଜି ତାହା କେବଳ ଧଳାହାତୀ ପାଲଟିଛି କି? ଦିନେ ‘ଉଇ କେୟାର, ଉଇ ଡେୟାର’ ର ନାରା ଦେଉଥିବା ପୋଲିସ, ବାଲିଅନ୍ତାରେ ଲୋକଙ୍କ ଉପସ୍ଥିତିରେ ମାଡ଼ ଖାଉଥିବା କନେଷ୍ଟବଳଙ୍କୁ ନା ଦେଇପାରିଲା ‘କେୟାର’, ନା ଦେଖାଇପାରିଲା ‘ଡେୟାର’ । ଆଜି କମିଶନରେଟ୍ ନେତୃତ୍ୱକୁ ଦେଖିଲେ ଲାଗୁଛି ଯେମିତି ଏହା ବୌଦ୍ଧ କିମ୍ବା କନ୍ଧମାଳ ଭଳି କୌଣସି ଉପାନ୍ତ ଜିଲ୍ଲା ସହ ସମାନ ହୋଇଯାଇଛି । ଆଉ ଦକ୍ଷ ଅଫିସରଙ୍କର ଯେମିତି ଘୋର ଅଭାବ ଦେଖାଦେଇଛି ।
ଅବସ୍ଥା ଏମିତି ହେଲାଣି ଯେ, ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଡିଜିପିଙ୍କ ଉପରେ ବର୍ଷିଛନ୍ତି । ପୁରୁଣା ଓ ଦକ୍ଷ ଅଫିସରଙ୍କୁ ଆଣି ଟ୍ରାକ୍କୁ ଫେରିବାକୁ ତାଗିଦ୍ କରିଛନ୍ତି । ଆକ୍ସନ୍ ଛାଡି କେବଳ କାଗଜପତ୍ର କାମରେ ବ୍ୟସ୍ତ ରହୁଥିବା ପୋଲିସ ବାବୁଙ୍କ ଯୋଗୁଁ ଆଜି ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ହୁଗୁଳା, ଆଉ ଅପରାଧୀ ଖୋଲାସାଣ୍ଡ !
ଏବେ ସବୁଠୁ ବଡ଼ ପ୍ରଶ୍ନ… ରାଜଧାନୀବାସୀଙ୍କ ସୁରକ୍ଷା କ’ଣ ଏମିତି ରାମ ଭରସାରେ ଚାଲିବ? ନା କମିଶନରେଟ୍ ପୋଲିସ ନିଜର ହଜିଯାଇଥିବା ଗାରିମା ଫେରିପାଇବ? ଦେଖିବାକୁ ବାକି ରହିଲା ସରକାରଙ୍କ ଆକ୍ସନ୍ ପରେ ଏହି ବିରାଟ କୋଠାରେ କଣ ପରିବର୍ତ୍ତନ ଆସୁଛି !
