ବିବାହ ଉତ୍ସବର ହସଖୁସି ଭିତରେ ଯେ କେବେ ମୃତ୍ୟୁ ଲୁଚି ରହିଥାଏ, ତାହା ବୋଧହୁଏ କେହି କଳ୍ପନା କରିନଥିଲେ। ମଣିଷର ଖୁସି ପାଳିବାର ବିକୃତ ନିଶା ଆଜି ଗୋଟିଏ ପରିବାରକୁ ଉଜାଡ଼ି ଦେଇଛି। କାନଫଟା ‘ଡିଜେ’ (DJ) ସାଉଣ୍ଡ୍ କେବଳ ମନୋରଞ୍ଜନ ହୋଇ ରହିନାହିଁ, ବରଂ ଏହା ଏବେ ନିରୀହ ଜୀବନ ନେଉଥିବା ‘ସାଇଲେଣ୍ଟ୍ କିଲର୍’ ସାଜିଛି। ଏଭଳି ଏକ ଛାତିଥରା ଘଟଣା ଘଟିଛି ପାଟଣାଗଡ଼ ଉପଖଣ୍ଡ ବ୍ରହ୍ମପୁର ଗାଁରେ, ଯେଉଁଠି ଡିଜେର ଅତ୍ୟାଧିକ ଶବ୍ଦ ଜଣେ ୪୫ ବର୍ଷୀୟା ମହିଳାଙ୍କ ପ୍ରାଣବାୟୁ ଛଡ଼ାଇ ନେଇଛି।
ମୃତକ ଜଣକ ହେଲେ ବ୍ରହ୍ମପୁର ଗାଁର ଲୁଚନା ବାହୁକ। ସୂଚନା ମୁତାବକ, ଗାଁରେ ଏକ ବିବାହ ରୋଷଣୀ ଚାଲିଥିବା ବେଳେ ପ୍ରତିଯୋଗିତା ମୂଳକ ଭାବେ ଅତି ଉଚ୍ଚ ସ୍ୱରରେ ବାଜୁଥିଲା ଡିଜେ। ଘରେ ଅସୁସ୍ଥ ଥିବା ଲୁଚନାଙ୍କ ଶରୀର ଏହି ଧ୍ୱନି ପ୍ରଦୂଷଣକୁ ସହ୍ୟ କରିପାରିନଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଦର୍ଶାଇ ଡିଜେ ବନ୍ଦ କରିବାକୁ ବା ସାଉଣ୍ଡ୍ କମ୍ କରିବାକୁ ଅପରେଟରଙ୍କୁ ବାରମ୍ବାର ନେହୁରା ହୋଇଥିଲେ। ହେଲେ ଉତ୍ସବର ନିଶାରେ ଚୂର୍ ଥିବା ଆୟୋଜକ କିମ୍ବା ଡିଜେ ମାଲିକ କାହାରି କଥା ଶୁଣିନଥିଲେ।
ଫଳରେ ଛାତିର ସ୍ପନ୍ଦନ ବଢ଼ିଯାଇ ଘଟଣାସ୍ଥଳରେ ହିଁ ଅଚେତ ହୋଇ ଟଳି ପଡ଼ିଥିଲେ ଲୁଚନା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ହସ୍ପିଟାଲ ଓ ପରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସାଙ୍ଗକୁ ପ୍ରବଳ ଜନଅସନ୍ତୋଷ ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ପରିବାର ଓ ପଡ଼ୋଶୀ ମିଶି ଆଜି ସକାଳୁ ରାସ୍ତାରୋକ କରିଥିଲେ। ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତର ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଛି।
