\n\n\n\n\n\n\n

ଲୋକଙ୍କୁ ଶୋଷିବାକୁ ନୂଆ ପ୍ଲାନ ! ହେଲମେଟ ନ ପିନ୍ଧିଲେ କଟିବ ବିଜୁଳି !

ବିଦ୍ୟୁତ ବିଲ ସହ ଯୋଡ଼ିହୋଇଯିବ ଟ୍ରାଫିକ ଚାଳଣ !

ଟ୍ରାଫିକ ନିୟମ ଭାଙ୍ଗୁଥିଲେ ହୋଇଯାଆନ୍ତୁ ସାବଧାନ

ନହେଲେ, ଅନ୍ଧାର ହୋଇଯିବ ଆପଣଙ୍କ ଘର !

ଲୋକଙ୍କୁ ଶୋଷଣ କରିବାକୁ ସରକାରଙ୍କ ନୂଆ ଫାଶ !

ଇ-ଚାଲାଣ ନଦେଲେ କଟିବ ଘରର ଲାଇନ୍

୪୫ ହଜାର କୋଟି ଆଦାୟ ପାଇଁ ରଚାଯାଉଛି କି ଚକ୍ରାନ୍ତ?

ରାସ୍ତାରେ ନୁହେଁ, ସିଧା ଘରେ ପଶି ଜରିମାନା ଆଦାୟ କରିବେ ସରକାର!

ଆପଣ ଯଦି ଭାବୁଛନ୍ତି ରାସ୍ତାରେ ଟ୍ରାଫିକ୍ ନିୟମ ଭାଙ୍ଗି, ପୋଲିସକୁ ଫାଙ୍କି ଦେଇ ଖସି ଆସିଲେ ଆପଣ ସୁରକ୍ଷିତ… ତେବେ ଟିକେ ଅଟକି ଯାଆନ୍ତୁ। କାରଣ ଏବେ ସରକାର ଆପଣଙ୍କୁ ଘରେ ପଶି ଧରିବେ। ଲୋକଙ୍କୁ ଶୋଷଣ କରିବା ପାଇଁ, ସାଧାରଣ ଜନତାଙ୍କ ପକେଟ୍ କାଟିବା ପାଇଁ ସରକାରଙ୍କୁ ମିଳିଯାଇପାରେ ଆଉ ଏକ ବଡ଼ ହତିଆର।

ଆପଣ ରାସ୍ତାରେ ଗାଡ଼ି ଚଲାଉଥିବେ, କିନ୍ତୁ ଆପଣଙ୍କ ଘରର ବିଜୁଳି କଟିଯିବ! କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଖୁବଶୀଘ୍ର ସତ ହେବାକୁ ଯାଉଛି। ସୁପ୍ରିମକୋର୍ଟ ଏମିତି ଏକ ପ୍ରସ୍ତାବ ଉପରେ ବିଚାର କରିଛନ୍ତି ଯାହା ଯଦି ସରକାର ଲାଗୁ କରିଦିଅନ୍ତି, ତେବେ ମହଙ୍ଗା ମାଡ଼ରେ ଛଟପଟ ହେଉଥିବା ସାଧାରଣ ଲୋକଙ୍କ ଅଣ୍ଟା ସମ୍ପୂର୍ଣ୍ଣ ଭାଙ୍ଗିଯିବ।

ପୁରା ଦେଶରେ ଏବେ ୪୫ ହଜାର କୋଟି ଟଙ୍କାର ଇ-ଚାଲାଣ ବକେୟା ପଡ଼ିଛି। ସରକାରୀ ବ୍ୟବସ୍ଥାର ବିଫଳତା କାରଣରୁ ଆଦାୟ ହୋଇଛି ମାତ୍ର ୨୫ ହଜାର କୋଟି। କିନ୍ତୁ ଏବେ ନିଜର ଅପାରଗତା ଲୁଚାଇବା ପାଇଁ ସରକାର ଲୋକଙ୍କ ଉପରେ କୋରଡ଼ା ମାଡ଼ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରସ୍ତାବ ରହିଛି- ଯଦି ଆପଣ ଟ୍ରାଫିକ୍ ଇ-ଚାଲାଣ ନଦେବେ, ତେବେ ସେହି ଜରିମାନା ସିଧା ଆପଣଙ୍କ ଘରର ବିଦ୍ୟୁତ୍ ବିଲ୍ ସହିତ ଯୋଡ଼ି ହୋଇ ଆସିବ। ଆଉ ଯଦି ଆପଣ ସେହି ବିଲ୍ ନ ଦିଅନ୍ତି? ତେବେ ଆଖି ପିଛୁଳାକେ ଆପଣଙ୍କ ଘରର ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ।

ସରକାରଙ୍କ ଏହି ଡିଜିଟାଲ୍ ଜାଲରେ ଲୋକଙ୍କୁ ଛନ୍ଦିବା ପାଇଁ ଆହୁରି ଅନେକ ବାଟ ଖୋଜାଯାଇଛି। ଚାଲାଣ ନଦେଲେ ଆପଣଙ୍କ ଗାଡ଼ିର ଆରସି (RC) ନବୀକରଣ ହେବନି, ଫିଟନେସ୍ ସାର୍ଟିଫିକେଟ୍ ମିଳିବନି, ଗାଡ଼ି ବିକ୍ରି କରିପାରିବେନି, ଏପରିକି ପରିବହନ ପୋର୍ଟାଲରେ ଆପଣଙ୍କୁ ବ୍ଲାକଲିଷ୍ଟ କରିଦିଆଯିବ। ଆଉ ଯଦି ରାସ୍ତାରେ ଯାଞ୍ଚ ବେଳେ ବକେୟା ଥିବା ଜଣାପଡେ, ତେବେ ସିଧା ଗାଡ଼ି ଜବତ। ଏମିତି ଏକଚାଟିଆ ନିୟମ ଯଦି ଆସେ, ସରକାରୀ ବାବୁମାନଙ୍କ ହାତରେ ଲୋକଙ୍କୁ ହଇରାଣ କରିବା ପାଇଁ ଏକ ବ୍ରହ୍ମାସ୍ତ୍ର ଲାଗିଯିବ। ଜଣେ ଗରିବ ଖଟିଖିଆ ମଣିଷ ଯିଏ ଦିନକୁ ତିନିଶହ ଟଙ୍କା ରୋଜଗାର କରୁଛି, ସେ ହଜାର ହଜାର ଟଙ୍କାର ଇ-ଚାଲାଣ ଦେବ ନାଁ ପରିବାର ପୋଷିବ?

ସୁପ୍ରିମକୋର୍ଟ ଅବଶ୍ୟ ଏହାକୁ କେବଳ ଏକ ବିକଳ୍ପ ଓ ପ୍ରସ୍ତାବ ଭାବେ ରଖିଛନ୍ତି, କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। କିନ୍ତୁ ସବୁବେଳେ ଜନତାଙ୍କ ପକେଟ୍ ଉପରେ ଆଖି ରଖିଥିବା ସରକାର ଯଦି ଏହାକୁ ଆଳ କରି ନିୟମ ଲାଗୁ କରିଦିଅନ୍ତି, ତେବେ ପ୍ରତିଟି ଘରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ନିଜର ରାଜକୋଷ ଭରିବା ପାଇଁ ସରକାର ଏହି ଅଗଣତାନ୍ତ୍ରିକ ବାଟ ଆପଣେଇବେ କି? କ’ଣ ଗୋଟେ ଟ୍ରାଫିକ୍ ଉଲ୍ଲଂଘନ ପାଇଁ ପୁରା ପରିବାରକୁ ଅନ୍ଧାରରେ ରଖିବା ଠିକ୍ ହେବ? ଆପଣଙ୍କ ମତ କ’ଣ, ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।